ଓଏସ୍ଡିଏ ମାଧ୍ୟମରେ ୧୯ଜଣ ଯୁବତୀ ନିଯୁକ୍ତି ପାଇଁ ଗଲେ ବେଙ୍ଗାଲୁରୁ
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ (ଓଏସ୍ଡିଏ) ଅଧୀନରେ କାର୍ଯ୍ୟ କରୁଥିବା ଡାଲ୍ମିଆ ଭାରତ ଫାଉଣ୍ଡେଶନ୍ ତରଫରୁ ପ୍ରଶିକ୍ଷଣ ଦିଆଯାଇଥିବା ୧୯ଜଣ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ସୁଦୂର ବେଙ୍ଗାଲୁରୁ ପଠାଯାଇଛି। ଏହି ଯୁବତୀମାନେ ଗୁରୁବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସାଇସଜେଟ୍ ବିମାନରେ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ଝାରସୁଗୁଡ଼ା ଜିଲା ନିୟୋଜନ ଅଧିକାରୀ କୁମାରୀ ସାହୁ ଓ ରାଉରକେଲା ଜିଲା ନିୟୋଜନ ଅଧୁକାରୀ ଜ୍ୟୋତି ପ୍ରକାଶ ସେଠୀ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ଯାତ୍ରାର ସଫଳ କାମନା କରିଥିଲେ। ରୋଜଗାର ପାଇଁ ବିମାନରେ ବସି ବେଙ୍ଗାଲୁରୁ ଯାଉଥିବାରୁ ଯୁବତୀମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ଯୁବତୀମାନେ ବେଙ୍ଗାଲୁରୁର କିଟେକ୍ସ ଗାର୍ମେଣ୍ଟ କମ୍ପାନୀରେ ନିଯୁକ୍ତି ପାଇ ସିଲେଇ କାମ କରିବେ ବୋଲି ଜଣାପଡିଛି । ଏଥିମଧ୍ୟରେ ଝାରସୁଗୁଡା ଜିଲା ଦକ୍ଷତା ବିକାଶ ପ୍ରଶିକ୍ଷଣ କେନ୍ଦ୍ରରୁ ୭, ରାଉରକେଲା ଓ ରାଜଗାଙ୍ଗପୁର ପ୍ରଶିକ୍ଷଣ କେନ୍ଦ୍ରରୁ ୧୨ଜଣ ଯୁବତୀ ରହିଛନ୍ତି। ଝାରସୁଗୁଡା ପ୍ରଶିକ୍ଷଣ କେନ୍ଦ୍ରର ଯୁବତୀଙ୍କ ମଧ୍ୟରେ ସତ୍ୟବତୀ କିଷାନ, ସୋନମ ଦେବୀ, ଅନିତା କୁମାରୀ, ଶାନ୍ତି ତନ୍ତୀ, ନମିତା କିଷାନ, ସୁନୀତା ବାର୍ଲା, ସୁମିତ୍ରା ମୁଣ୍ଡା ପ୍ରମୁଖ ରହିଛନ୍ତି।