ଝାରସୁଗୁଡା ଜିଲ୍ଲାରେ ଧାନ ସଂଗ୍ରହରେ ଅବ୍ୟବସ୍ଥା: ଟାର୍ଗେଟ କୁ ନେଇ ଆଶା ଆଶଙ୍କାରେ ହଜାର ହଜାର ଚାଷୀ
ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ତାତିଲେ ଝାରସୁଗୁଡା ଜିଲ୍ଲାର ଚାଷୀ । ଗୋଟିଏ ପଟେ ଚଳିତ ବର୍ଷ ଟାର୍ଗେଟ କୁ ନେଇ ଚାଷୀ ମାନେ ଦ୍ଵନ୍ଦ ରେ ରହୁଥିବା ବେଳେ ଜିଲ୍ଲାର ପଞ୍ଜିକୃତ ୨୬ ପ୍ରତିଶତ ଚାଷୀ ଆଶା ଓ ଆଶଙ୍କା ରେ । ଅନ୍ୟପଟେ ଜିଲ୍ଲାରେ ବିଭିନ୍ନ ମଣ୍ଡି ରେ ହଜାର ହଜାର ଧାନ ବସ୍ତା ପଡିରହିଥିବା ବେଳେ ତ୍ରୁଟି ପୂର୍ଣ୍ଣ ଧାନ କ୍ରୟ ନୀତି ଯୋଗୁଁ ଜିଲ୍ଲାର ଅନେକ କୃଷକଙ୍କ ଟୋକେନ୍ ଲେପ୍ସ ହୋଇଯାଇଛି।ଲେପ୍ସ ଟୋକେନ୍ ର ନବୀକରଣ ଏବଂ ଝାରସୁଗୁଡାରେ ଧାନ କ୍ରୟ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ଦାବିରେ ଛତିଶଗଡ଼ ସୀମାନ୍ତ ରେମତା, ଚାରପାଲି ,ଭିଖମପାଲି, କନକତୋରା, ଅତାବିରା ପ୍ୟାକ୍ସ ଅନ୍ତର୍ଗତ ଚାଷୀ ମାନେ ଜାତୀୟ ରାଜପଥ ୪୯ ଅବରୋଧ କରି ପ୍ରତିବାଦ କରୁଛନ୍ତି । ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାରେ ଗତ ୨୫ ନଭେମ୍ବର ରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଅନେକ ପ୍ୟାକ୍ସ ରେ ସମସ୍ୟା ଲାଗି ରହୁଛି । ଚଳିତ ବର୍ଷ ଜିଲ୍ଲାରେ ୧୮ ହଜାର ୫୧୫ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବା ବେଳେ ଆଜି ସୁଦ୍ଧା ମାତ୍ର ୧୩ ହଜାର ୭୬୦ ଜଣ ଚାଷୀ ୮ ଲକ୍ଷ ୧୫ ହଜାର କ୍ୱିଣ୍ଟାଲ ଧାନ ବିକ୍ରି କରିଛନ୍ତି ।