ଦୁଇ ଆନ୍ତ ରାଜ୍ୟ ଲୁଟେରା ଗିରଫ, ବାରିପଦା ସହରରେ ବିଭିନ୍ନ ଲୁଟରେ ସମ୍ପୃକ୍ତି
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ନିକଟରେ ବାରିପଦା ପୌରପରିଷଦରେ ବିଭିନ୍ନ ଲୁଟ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଆନ୍ତଃ ରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ବାରିପଦା ଟାଉନ ଥାନା ପୁଲିସର ସ୍ୱତନ୍ତ୍ର ସ୍ୱାଡର଼୍ । ଲୁଟେରାମାନେ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମରାଠୀସାହି ଗ୍ରାମର ନାଗେଶ୍ୱର ପ୍ରଧାନଙ୍କ ପୁଅ ବାଳକ୍ରୀଷ୍ଣ ପ୍ରଧାନ(୩୨) ଓ ଜି. ମରିଦୟାଙ୍କ ପୁଅ ଗଣ୍ଟ ଶ୍ରୀହରି(୨୦) । ଏମାନଙ୍କ ନିକଟରୁ ଏକ ହିରୋ ୟୁନିକନ ବାଇକ, ନଗଦ ୪୦ ହଜାର ୫ଶହ ଟଙ୍କା, ୫ଟି ମୋବାଇଲ ଫୋନ, ଗୋଟାଏ ମାଷ୍ଟର କେ, ୪ଟି ଅତିରିକ୍ତ ମୋବାଇଲ ସିମକୁ ପୁଲିସ ଜବତ କରିଥିଲେ । ଏମାନେ ଝାଡ଼ଖଣ୍ଡ ରାଜ୍ୟରୁ ସମସ୍ତ ଡ଼କାୟତି ଓ ଲୁଟ ଘଟଣାର ଅପରେଟ କରୁଥିବା ସମୟରେ ବାଇକର ଡ଼ିକି ଭାଙ୍ଗି ଲୁଟ କରିବାରେ ଓସ୍ତାଦ ଅଟନ୍ତି । ଟାଟାରୁ ଲୁଟ କରିବା ପରେ ବାରିପଦାକୁ ଆସିଥିଲେ । ବାରିପଦାରେ ବିଭିନ୍ନ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସୁଥିବା ଗ୍ରାହକମାନଙ୍କୁ ଫଲୋ କରି ସୁବିଧା ଦେଖି ସେମାନଙ୍କୁ ଲୁଟ କରିଥାନ୍ତି । ନିକଟରେ ବାରିପଦା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ତୁଳସୀଚଉରା ଅଞ୍ଚଳର ପ୍ରତାପ ମୁଖୀ ୨ ଲକ୍ଷ ଟଙ୍କା ଉଠାଇ ଯାଉଥିବା ବେଳେ ତାଙ୍କୁ ଫଲୋ କରି ତାଙ୍କ ଘର ନିକଟ ପଡ଼ିଆରେ ଉକ୍ତ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଏଥି ସହିତ ବାରିପଦା ସହରରେ ବାଇକ ଡ଼ିକି ଭାଙ୍ଗି ଲୁଟ ଘଟଣାରେ ଏମାନଙ୍କର ହାତ ଥିବାର ସନ୍ଦେହ କରାଯାଇଛି । ଲୁଟେରାମାନଙ୍କୁ ପୁଲିସ ପକ୍ଷରୁ ପଚରାଉଚରା କରାଯିବା ସମୟରେ ସେମାନେ ନିଜର ଅପରାଧ ସ୍ୱିକାର କରିଥିଲେ । ଏହାକୁ ନେଇ ଥାନାରେ ଅଭିଯୁକ୍ତ ଦୁଇ ଜଣଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୯୪ ଅନୁସାରେ କେଶ ନମ୍ବର ୯୯/୨୦୨୧ରେ ଏକ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ବୀରେନ୍ଦ୍ର ସେନାପତିଙ୍କ ସୂତ୍ରରୁ ଜଣାପଡ଼ିଛି ।