୧୧ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାନ ଗଦାମାରିବେ ଚାଷୀ
ପଦ୍ମପୁର- ଦିନକୁ ଦିନ ବଢିବାରେ ଲାଗିଛି ଧାନ ବିକ୍ରି ସମସ୍ୟା। ଚଳିତ ବର୍ଷ ଧାନ ବିକ୍ରି କରିବା ପାଇଁ ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଚାଷୀ ଧାନ ଅମଳ କରି ସରକାରୀ ଧାର୍ଯ୍ୟ ମୂଲରେ ଧାନ ବିକ୍ରି କରିବା ପାଇଁ ମଣ୍ଡିକୁ ନେଲେ ସେଠାରେ ଟୋକନ ଓ ଟାର୍ଗେଟ ଫାସରେ ଛନ୍ଦି ହେଉଛନ୍ତି । ଧାନ ମଣ୍ଡିରେ ପକାଇ ମାସ ପରେ ମାସ ବିତିଯାଉଛି ହେଲେ ଧାନ ବିକ୍ରି ହୋଇପାରୁନାହିଁ । ମାସମାସ ଧରି ଖୋଲା ଆକଶ ତଲେ ଖରା ଶୀତରେ ପଡି ଧାନ ବସ୍ତି ଗୁଡିକ ଫାଟି ଯାଉଛି ଫଲରେ ଧାନ ତଲେ ପଡି ନଷ୍ଟ ହେଉଛି । ଯେଉଁ ସମୟରେ ଚାଷୀ ପାଖରେ ବୈଧତା ଥିବା ଟୋକନ ଥିଲା ସେହି ସମୟରେ ପର୍ଯ୍ୟାପ୍ତ ପରିମାଣରେ ଟାର୍ଗେଟ ନ ଥିଲା । ବର୍ତ୍ତମାନ ଚାଷୀଙ୍କ ଟୋକନ ବୈଧତା ନାହିଁ କିନ୍ତୁ ଧାନ ମଣ୍ଡିରେ ପଡି ନଷ୍ଟ ହେଉଛି । ପୁଣି କେବେ ଟୋକନ ଆସିବ ସେ ଆଶାରେ ଚାଷୀ ଚାତକ ପରାୟ ଚାହିଁ ବସିଛନ୍ତି । ଏହି ସବୁ ସମସ୍ୟା ଯୋଗୁଁ ଚାଷୀ ମହଳରେ ତୀବ୍ର ଅସନ୍ତୋଷ ପାଉଛି । ଧାନ କିଣାରେ ଅବ୍ୟବସ୍ଥା ପ୍ରତିବାଦରେ ଗତ ଜାନୁଆରୀ ୨୫ ତାରିଖ ଦିନ ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ କନସିଂହା ଛକଠାରେ ଧାନ ରଖି ରାଜରାସ୍ତା ଅବରୋଧ କରିଥିଲେ , ସେହି ସମୟରେ ପଦ୍ମପୁର ଉପଜିଲ୍ଲାପାଳ ଘଟଣା ସ୍ଥଳକୁ ପହଞ୍ଚି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଦଶ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରତିଶ୍ରୁତିର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଚାଷୀଙ୍କ ସମସ୍ୟାର କୌଣସି ସମାଧାନ ହୋଇନାହିଁ । ଆଜି ପଦ୍ମପୁର ଗୋରୁବଜାର ଠାରେ ରାଜବୋଡାସମ୍ବର କୄଷକ ସଂଗଠନ ସଭାପତି ବାଞ୍ଛାନିଧି ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଚାଷୀମାନେ ଧାନ କିଣାରେ ଅବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ଏବଂ ଏହାର ପ୍ରତିବାଦରେ ଆଗାମୀ ୧୧ ତାରିଖ ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶହଶହ ବସ୍ତା ଧାନ ପୁରାଇବା ସହ ଚାଷୀଙ୍କ ଧାନ ବିକ୍ରି ନ ହେବା ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ଅଚଳ କରିବା ପାଇଁ ଚେତାବନୀ ଦେଇଛନ୍ତି । ଏହି ବୈଠକରେ ରମେଶ ମହାପାତ୍ର, ଅଶୋକ ସାହୁ,କୈଲାସ ବାରିକ,ଦହିତା ସାହୁ,ମଳୟ ଭୋଇ,ମୁକ୍ତେଶ୍ଵର ପଟେଲ,ପ୍ରଶାନ୍ତ ପ୍ରଧାନ,ବିଜୟ ସାହୁ,ମୀନକେତନ ବିଶ୍ବାଲ,ଅଶୋକ ମେହେର, ଚିନ୍ମୟ କୁମାର ପଣ୍ଡା, ସୁରେଶ ଚାନ୍ଦ, ନବୀନ ବେହେରା,ପୄଥ୍ବିରାଜ ନାୟକଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।