ଉପକାରାଗରରେ ପ୍ରେମ ଓ ଶାରୀରିକ ସଂପର୍କ, ମିଛ ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗରେ ଥାନା ରେ ଏତଲା।
ଟିଟିଲାଗଡ, ( ଗୌରବ ଦର୍ଜୀ)-ଜେଲ୍ ଭିତରେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା ଅନ୍ତେବାସୀନୀ । ଟିଟିଲାଗଡ଼ ଉପକାରାଗାର ରେ ପୂର୍ବରୁ ରହିଥିବା ଜଣେ ମହିଳା ଅନ୍ତେବାସୀନୀ ଏବେ ଉପକାରାଗାର ରେ ବିଚାରଧୀନ ରହିଥିବା ଜଣେ ପୁରୁଷ ଅନ୍ତେବାସୀ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ଟିଟିଲାଗଡ଼ ଥାନାରେ ଦାଖଲ କରିଥିବା ଅଭିଯୋଗ ମୁତାବକ ସେ ଏକ ଘରୋଇ କଳହ ରେ ଗତ ଅକ୍ଟୋବର ମାସ ୨୯ ତାରିଖ ଦିନ ଟିଟିଲାଗଡ଼ ଜେଲ ଯାଇ ଥିଲେ। ସେଠାରେ ଜଣେ ଅନ୍ତେବାସୀଙ୍କ ସହ ତାଙ୍କର ସାକ୍ଷାତ ହୋଇ ଥିଲା। ମହିଳା ଜଣକ ଜେଲ ଭିତରେ ମାନସିକ ଚାପରେ ରହିଥିବା ବେଳେ ସମ୍ପୃକ୍ତ ଯୁବକ ଅନ୍ତେବାସୀ ତାଙ୍କ ସହ ପ୍ରେମ ନିବେଦନ କରି ବିବାହ କରିବାର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ଜେଲ ଭିତରେ ରଖିଥିବା ବେଳେ ଜେଲର କେତେକ କର୍ମଚାରୀ ମାନେ ଉଭୟ ଙ୍କୁ ମିଳାମିଶା ପାଇଁ ସାହାଯ୍ୟ ସହଯୋଗ କରୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ମହିଳା। ତେବେ ଉକ୍ତ ଅନ୍ତେବାସୀ ଜେଲ ଭିତରେ ଏକ ମାମଲାରେ ଫସି ରହିଥିବାରୁ ନିୟମିତ ବ୍ୟବଧାନରେ ମହିଳା ତାଙ୍କୁ ଦେଖା କରିବାକୁ ଯାଉଥିବା କହିଛନ୍ତି। ହେଲେ ଗତ ଶୁକ୍ରବାର ଦିନ ଜେଲ ଭିତରେ ରହିଥିବା ଅନ୍ତେବାସୀ ସମ୍ପୃକ୍ତ ମହିଳାଙ୍କୁ ଚିହ୍ନି ନ ଥିବା କହିବାରୁ ମହିଳା ଜଣକ ତାଙ୍କୁ ଶୋଷଣ ଏବଂ ପ୍ରତାରଣା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି। ଏନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ଦାଏର କରିଛନ୍ତି ମହିଳା ଜଣକ। ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି। ଟିଟିଲାଗଡ଼ ଜେଲ କୁ ଯାଇ ଘଟଣାର ଛାନଭିନ ଆରମ୍ଭ କରିଛି ଟିଟିଲାଗଡ ପୋଲିସ। ପୀଡିତା ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଛି। ତେବେ ପ୍ରଥମେ ଘଟଣା କୁ ନେଇ କିଛି କହିବାକୁ ମନା କରୁଥିବା ପୀଡିତା ପରେ ଗଣ ମାଧ୍ୟମ ଆଗରେ ନିଜର ଘଟଣା ସମ୍ପର୍କ ରେ କହିଛନ୍ତି। ଜେଲ ଭିତରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଏବେ ତାଙ୍କୁ ଶୋଷଣ ଏବଂ ପ୍ରତାରଣା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମହିଳା ଜଣକ। ଗତ ଡିସେମ୍ବର ମାସ ୫ ତାରିଖ ରେ ଏହି ଘଟଣା ଘଟିଥିବା ବେଳେ ଡିସେମ୍ବର ମାସ ୧୯ ତାରିଖ ରେ ବେଲରେ ବାହାରି ଥିଲେ ମହିଳା। ଆଉ ପରେ ନିୟମିତ ସମ୍ପୃକ୍ତ ଅନ୍ତେବାସୀଙ୍କୁ ଭେଟିବାକୁ ଯାଉଥିଲେ ବୋଲି କହିଛନ୍ତି। ତେବେ ସେ ପଟେ ଏହି ଘଟଣା ଉପରେ ଟିଟିଲାଗଡ଼ ପୋଲିସ କିଛି କହିବାକୁ ମନା କରିଦେଇ ଥିବା ବେଳେ ଜେଲ କର୍ତ୍ତୃପକ୍ଷ ମଧ୍ୟ କିଛି କହିବାକୁ ମନା କରିଛନ୍ତି। ଟିଟିଲାଗଡ଼ ଉପକାରଗାରର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା। ଜେଲ ଭିତରେ ମହିଳା ଏବଂ ପୁରୁଷ ମାନଙ୍କ ପାଇଁ ସ୍ୱତନ୍ତ୍ର ସେଲ ବା ରହିବାର ବ୍ୟବସ୍ଥା ରହିଥିବା ବେଳେ ପୁଣି ମହିଳା ଅନ୍ତେବାସୀନିଙ୍କ ପାଇଁ ମହିଳା କର୍ମଚାରୀ ରହିଛନ୍ତି। ଅନେକ ସୁରକ୍ଷା ବ୍ୟବସ୍ଥା ରହିବା ସତ୍ତ୍ୱେ ଜଣେ ପୁରୁଷ ବିଚାରାଧୀନ ଅନ୍ତେବାସୀ ଏବଂ ମହିଳା ଅନ୍ତେବାସୀ ଙ୍କ ମଧ୍ୟରେ ଦେଖା ହେଲା କିପରି ? ପ୍ରେମ ରୁ ଶାରୀରିକ ସମ୍ପର୍କ ପର୍ଯ୍ୟନ୍ତ କଥା ଗଲା କେମିତି? ଆଉ ଶୋଷଣ ତଥା ପ୍ରତାରଣା ର ଅଭିଯୋଗ ଆସିଲା କେମିତି? ତେବେ ଏହି ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କାହିଁକି ଜେଲ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି ? କହିଁକି ପୋଲିସ ବିଭାଗ ବି ଗଣମାଧ୍ୟମ ଆଗରେ ସୂଚନା ପ୍ରଦାନ କରୁନି ଏମିତି ଅନେକ ପ୍ରସଙ୍ଗ ପ୍ରଶ୍ନ ଏବେ ଦେଖା ଦେଇ ଛି ?