ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ:ପାରଳାଖେମୁଣ୍ଡି ସ୍ଥିତ ନଗର ଭବନ ଠାରେ କରୋନା ଟିକାକରଣର ଦ୍ଵିତୀୟ ପର୍ଯ୍ୟାୟ ତଥା କରୋନାର ସମ୍ମୁଖ ଯୋଦ୍ଧା ମାନଙ୍କୁ କୋଭିଡ୍-୧୯ ଟିକାକରଣର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ ମିଳିତ ଭାବେ ଶୁଭାରମ୍ଭ କରିଥିଲେ । ପ୍ରଥମେ କୋଭିଡ୍ ଯୋଦ୍ଧା ମାନଙ୍କ ମଧ୍ୟରୁ ଆରକ୍ଷୀ ଅଧିକ୍ଷକ ଶ୍ରୀ ତପନ କୁମାର ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା କୋଭିଡ୍ ଟିକା ନେଇଥିଲେ ।
ଟିକା ନେବା ପରେ ସେମାନେ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ , ଏହି ଦ୍ଵିତୀୟ ପର୍ଯ୍ୟାୟର କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମରେ ଆଗଧାଡିର କୋଭିଡ ଯୋଦ୍ଧା ମାନଙ୍କୁ ମୁଖ୍ୟତଃ ପୋଲିସ ଓ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସାମିଲ କରାଯାଇଛି । ସରକାରଙ୍କ ପକ୍ଷରୁ ମିଳିଥିବା ସୁଯୋଗ ପ୍ରକାରେ ମୁଁ ମଧ୍ୟ ଏହି କୋଭିଡ୍ ଟିକା ନେଇଛି । ଟିକା ନେବାପରେ ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି । କୌଣସି ପାର୍ଶ୍ଵ-ପ୍ରତିକ୍ରିୟା ଦେଖା ଦେଇନାହିଁ । ଏହି ଟିକା ନେବା ଫଳରେ ଏହା ଆମକୁ କରୋନାରୁ ମୁକ୍ତ ଓ ସୁସ୍ଥ ରଖିବା ସହ ସମାଜକୁ ମଧ୍ୟ ସୁରକ୍ଷା ପ୍ରଦାନ କରିବ । ଏହି ଟିକା ସମ୍ପୂର୍ଣ୍ଣ ଭାବେ ନିରାପଦ ଓ ସୁରକ୍ଷିତ । ମୁଁ ସମସ୍ତ ଆଗଧାଡିର କରୋନା ଯୋଦ୍ଧା ମାନଙ୍କୁ ଆହ୍ବାନ କରୁଛି ଯେ , ସମସ୍ତେ ଏହିଟିକା ନିଅନ୍ତୁ , ନିଜେ କରୋନା ମୁକ୍ତ ହେବା ସହ ସମାଜକୁ କରୋନା ମୁକ୍ତ ରଖିବାରେ ସହାୟକ ହୁଅନ୍ତୁ । ଏହି ପ୍ରକ୍ରିୟାର ଦ୍ଵିତୀୟ ପର୍ଯ୍ୟାୟରେ ଫ୍ରଣ୍ଟ-ଲାଇନ କରୋନା ଯୋଦ୍ଧା ମାନଙ୍କୁ କୋଭିଡ୍ ଟିକା ନେବା ପାଇଁ ଯେଉଁ ସୁଯୋଗ ଦିଆହୋଇଛି , ସେଥିପାଇଁ ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଥିଲେ ।
ଆଗଧାଡିର ଯୋଦ୍ଧା ଭାବେ ପାରଳାଖେମୁଣ୍ଡି ପୌର-ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ରାଉତ ମଧ୍ୟ ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ , ଏହି ଟିକାକରଣ ଦ୍ୱାରା ସାରା ଜଗତ କୋଭିଡ୍ ମୁକ୍ତ ହେବା ପାଇଁ ଏ ଦିଗରେ ନେଇଥିବା ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସିତ । ସାରା ଜଗତବାସୀ ଏହା ଦ୍ୱାରା ବିଶେଷ ଉପକୃତ ହେବେ , ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ବୋଲି କହିଥିଲେ ।
ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା , ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଛନ୍ତି ଯେ , ଦ୍ଵିତୀୟ ପର୍ଯ୍ୟାୟରେ ଫ୍ରଣ୍ଟ-ଲାଇନ କୋଭିଡ୍ ଯୋଦ୍ଧା ମାନଙ୍କ ଟିକାକରଣ ପ୍ରକ୍ରିୟା କାର୍ଯ୍ୟକ୍ରମ ଆଜିଠାରୁ ଏଠାରୁ ଆରମ୍ଭ ହୋଇଯାଇଛି । ଏହିଭଳି ଟିକାକରଣ ପ୍ରକ୍ରିୟା କାର୍ଯ୍ୟକ୍ରମ ସମସ୍ତ ବ୍ଲକରେ ଅନୁଷ୍ଠିତ କରାଯିବ । ଯେଉଁ ମାନେ ଟିକା ନେବେ , ପୂର୍ବରୁ ସେମାନଙ୍କ ପୋର୍ଟାଲ ପଞ୍ଜୀକରଣ ହୋଇଛି , ଏହି କୋଭିଡ୍ ଟିକାକରଣ ପାଇଁ ଯେଉଁ ମାନଙ୍କୁ ମୋବାଇଲ ଯୋଗେ ମେସେଜ ଆସୁଛି , ସେମାନେ ହିଁ ଏହି ଟିକା ନେଉଛନ୍ତି । ପ୍ରତିଦିନ ଏହା ଅନ୍ୟୁନ ୧୦୦ ଜଣ ଫ୍ରଣ୍ଟ-ଲାଇନ କୋଭିଡ ଯୋଦ୍ଧାଙ୍କୁ ଏହି କୋଭିଡ଼ ଟୀକା ଦେବା ପାଇଁ ବ୍ୟବସ୍ଥା ହୋଇଛି ବୋଲି କହିଥିଲେ ।
ଆଜିର ଏହି କୋଭିଡ ଟିକାକରଣ କାର୍ଯ୍ୟକ୍ରମରେ ଜିଲ୍ଲାର ସଦର ମହାକୁମା ପାରଳାଖେମୁଣ୍ଡି ସମେତ ସମସ୍ତ ବ୍ଲକର ୯ ଗୋଟି ସ୍ଥାନରେ ୨୯୫୭ ଜଣ ଫ୍ରଣ୍ଟ-ଲାଇନ୍ କୋଭିଡ୍ ଯୋଦ୍ଧାଙ୍କୁ ଟୀକାକରଣ କରାଯିବାର ଲକ୍ଷ ରଖାଯାଇଛି । ଟାଉନହଲ ଠାରେ ଅନୁଷ୍ଠିତ ଟିକାକରଣ କାର୍ଯ୍ୟକ୍ରମରେ ପ୍ରାୟ ୧୮୪ ଜଣ ଫ୍ରଣ୍ଟ-ଲାଇନ କୋଭିଡ ଯୋଦ୍ଧା କୋଭିଡ୍ ଟିକା ନେଇଥିବା ଜଣାଯାଇଛି ।
ଆଜି କୋଭିଡ ଟୀକାକରଣର ଦ୍ଵିତୀୟ ପର୍ଯ୍ୟାୟରେ ଜୁବୁଲୀ ବେହେରା , ଅତିରିକ୍ତ ଏସପି ସୀତାରାମ ଶତପଥୀ , ଡିଏସପି ରାମକୃଷ୍ଣ ପତି , ଆଦର୍ଶ ଥାନା ଆଇଆଇସି ବେବେକାନନ୍ଦ ସ୍ବାଇଁ ଏବଂ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ପିଏ ଆଇଟିଡିଏ ସରୋଜ କୁମାର ବେହେରା , ଅତିରିକ୍ତ ଉପଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ କୋଭିଡ୍ ଟୀକା ନେଇଥିଲେ ।