-
ଉଦଯାପିତ ହେଲା ଓଡିଆ ମେଗା ସିରିୟଲ୍ କ୍ରିକେଟ୍ ଲିଗ୍
-
ଚିକୁ ସାମଲ ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଓ ଅମିତ ଶ୍ରେଷ୍ଠ ବୋଲର
ଭୁବନେଶ୍ୱର : ସ୍ଥାନୀୟ କିଟ୍ ସ୍ପୋର୍ଟସ୍ ଗ୍ରାଉଣ୍ଡ୍ ଠାରେ ଆୟୋଜିତ ‘ଓଡିଆ ମେଗା ସିରିୟଲ୍ କ୍ରିକେଟ୍ ଲିଗ୍’ ଉଦଯାପିତ ହୋଇଯାଇଛି । ଆମେବି ପ୍ଲସ୍ ପ୍ରାୟୋଜିତ ଏହି ଦ୍ୱିଦିବସୀୟ ପ୍ରତିଯୋଗିତାରେ ‘ଜୀବନସାଥୀ’ ଟିମ୍ ଚାମ୍ପିୟନ୍ ହୋଇଥିବା ବେଳେ ‘ମୋ ଦେହେ ବୋଳି ଦେ ତୋ ଦେହ କଳା’ ଟିମ୍ ରନର୍ସ ଅପ୍ ହୋଇଛି । ୧୨ଟି ଟିମକୁ ପଛରେ ପକାଇ ‘ଜୀବନସାଥୀ’ ଏହି ଟାଇଟଲ ହାସଲ କରିଛି । ଚିକୁ ସାମଲ(ମୋ ଦେହେ ବୋଳିଦେ ତୋ ଦେହ କଳା) ଶ୍ରେଷ୍ଠ ବ୍ୟାଟସମ୍ୟାନ୍ ଓ ଅମିତକୁମାର (ଜୀବନସାଥୀ) ଶ୍ରେଷ୍ଠ ବୋଲର ଘୋଷିତ ହୋଇଛନ୍ତି ।
ପ୍ରଥମ ଦିବସରେ ୧୪ଟି ଟିମକୁ ନେଇ ୭ଟି କ୍ୱାଲିଫାଇଙ୍ଗ୍ ବା ପ୍ରତିଯୋଗିତା ପର୍ଯ୍ୟାୟ ମ୍ୟାଚ୍ ଖେଳାଯାଇଥିବା ବେଳେ ସେ ମଧ୍ୟରୁ ‘କୁଆଁରୀ ବୋହୂ’, ‘ନୂଆ ବୋହୂ’, ‘ମହାଦେବୀ’, ‘ସିଂହଦ୍ୱାର’, ‘ନଣନ୍ଦପୁଟୁଳି’, ‘ସିନ୍ଦୂରର ଅଧିକାର’, ‘ଜୀବନସାଥୀ’ ଓ ‘ମୋ ଦେହେ ବୋଳିଦେ ତୋ ଦେହ କଳା’ ଟିମ୍ କ୍ୱାର୍ଟର ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ । ସେ ମଧ୍ୟରୁ ‘ଜୀବନସାଥୀ’, ‘ସିନ୍ଦୂରର ଅଧିକାର’,‘ମୋ ଦେହେ ବୋଳିଦେ ତୋ ଦେହ କଳା’ ଓ ‘କୁଆଁରୀ ବୋହୂ’ ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ସେଥିରୁ ‘ଜୀବନସାଥୀ’ ଓ ‘ମୋ ଦେହେ ବୋଳିଦେ ତୋ ଦେହ କଳା’ ପରସ୍ପରକୁ ଫାଇନାଲରେ ଭେଟିଥିଲେ ।
‘ଜୀବନସାଥୀ’ ପ୍ରଥମେ ବ୍ୟାଟିଂ କରିବାକୁ ଆସି ୮ ଓଭରରେ ୮୬ରନ୍ ସ୍କୋର୍ କରିଥିବା ବେଳେ ‘ମୋ ଦେହେ ବୋଳିଦେ ତୋ ଦେହ କଳା’ ଟିମ୍ ୬ ୱିକେଟ୍ ହରାଇ ୮୨ରନରେ ସୀମିତ ରହିଥିଲେ । ଦ୍ୱିତୀୟ ଦିବସର ଉଦଯାପନୀ ଉତ୍ସବରେ ପଦ୍ମଶ୍ରୀ ଦିଲୀପ ତିର୍କୀ ଓ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ୟାମାପ୍ରସାଦ ମିଶ୍ର, ଶ୍ରୀଜିତ୍ ଶତପଥୀ, ଦ୍ୱିପାୟନ ମଜୁମଦାର, ରତିକାନ୍ତ ଶତପଥୀ, ଗାର୍ଗୀ ମହାନ୍ତି, ବସନ୍ତ ସାହୁ, ଅନୁକୂଳ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗିତାକୁ ଆୟୋଜନ କରିବାରେ ବରଦାପ୍ରସନ୍ନ ପାତ୍ର, ଅଜୟ ସିଂହ, ଅମିତ୍ କୁମାର ଓ ସାରଦା ପ୍ରସନ୍ନ ପାତ୍ର ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । କିଟ୍ ସ୍ପୋର୍ଟସ ଏକାଡେମୀ ଏବଂ ଓଡିଶା କ୍ରିକେଟ୍ ଆସୋସିଏସନର ପ୍ୟାନେଲ୍ ଅମ୍ପାୟାର ମ୍ୟାଚ୍ ପରିଚାଳନା କରିଥିଲେ । ଟେଲି କଳାକାରଙ୍କ ପାଇଁ ଏକ ନିଆରା ସୁଯୋଗ ଓ ଅବସର ଆଣିଦେଇଥିଲା ‘ଓଡିଆ ମେଗା ସିରିୟଲ୍ କ୍ରିକେଟ୍ ଲିଗ୍’ । ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ମାଧ୍ୟମରେ ମନୋରଞ୍ଜନ ସାଙ୍ଗକୁ ସକାରାତ୍ମକ ଚିନ୍ତାଧାରା ଓ ସ୍ୱାସ୍ଥ୍ୟସଚେତନତାର ବାର୍ତା ଦେବା ଏହାର ଆଭିମୁଖ୍ୟ ରହିଥିଲା ।
ପ୍ରଥମ ଦିବସରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଗୁଡିକ ଅନୁଷ୍ଠିତ ହୋଇଥିବାବେଳେ ଦ୍ୱିତୀୟ ଦିବସରେ କ୍ୱାର୍ଟର ଫାଇନାଲ୍, ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସ୍ପନସର ଟିମ୍ ଆମେବି ପ୍ଲସକୁ ମିଶାଇ ମୋଟ୍ ୧୪ଟି ମେଗାଧାରାବାହିକ ଏଥିରେ ଅଂଶଗ୍ରହଣ କରିଥିବା ବେଳେ ‘ତାରାତାରିଣୀ’, ‘ମାୟା’, ‘ରହିଛି ରହିବି ତୋରି ପାଇଁ’, ‘ତୋ ପାଇଁ ମୁଁ ମୋ ପାଇଁ ତୁ’ କ୍ୱାର୍ଟର ଫାଇନାଲରୁ ହିଁ ବାଦ୍ ପଡିଥିଲେ । ୭ଟି ଲିଗ୍ ମ୍ୟାଚ୍, ୪ଟି କ୍ୱାର୍ଟର ଫାଇନାଲ, ୨ଟି ସେମିଫାଇନାଲ ଓ ୧ଟି ଫାଇନାଲ୍ ମ୍ୟାଚକୁ ମିଶାଇ ମୋଟ୍ ୧୪ଟି ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ‘ଜୀବନସାଥୀ’ ଟିମ୍ ବିଜୟୀ ହୋଇଥିବା ବେଳେ ‘ମୋ ଦେହେ ବୋଳିଦେ ତୋ ଦେହ କଳା’ ଟିମ୍ ରନର୍ସ ଅପ୍ ହୋଇଛି ।