ହେଡଲାଇନସ୍:

ମନକୁ ଛୁଇଁଲା ଭଳି ବିଦାୟ ସମ୍ବର୍ଦ୍ଧନା : ଅବସରର ଦୁଃଖ ଓ ଆତ୍ମୀୟତାର ଖୁସିରେ ଭିଜିଲା ଆଖିପତା  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାୟଗଡା/ ସରୋଜ କୁମାର ସାହୁ : ସମସ୍ତେ ଅବସର ନିଅନ୍ତି | ସିକା ବି ଅବସର ନେଲେ | ସହକର୍ମୀଙ୍କୁ ବିଦାୟ ସମ୍ବର୍ଧନା ଦେବା ବି କିଛି ନୂଆ କଥା ନୁହଁ | ସମସ୍ତେ ଦିଅନ୍ତି, ତାହା ଏକ ଆନ୍ତରିକ ଔପଚାରିକତା | ହେଲେ ସିକାଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଅବସରକାଳୀନ ବିଦାୟ ସମ୍ବର୍ଧନା ନିହାତି ଟିକେ ନିଆରା ଥିଲା | ଆଉ ବିଦାୟରେ ଆତ୍ମିୟତା ବହୁତ | ସିକାଙ୍କ ଆଖି ଛଳଛଳ ହୋଇଯାଇଥିଲା ବିଦାୟ ଦୁଃଖ ଆଉ ବିଦାୟ ସମ୍ବର୍ଧନାର ଆତ୍ମୀୟତାରେ | ଆଉ ଅଜାଣତରେ ସେଠାରେ ଉପସ୍ଥିତ ଅନେକଙ୍କ ଆଖିପତା ବି ଓଦା ହୋଇଯାଇଥିଲା | ଖୋଦ ଏସପି ସାହେବ ପେଶାଦାରି ପିରାମିଡର ପୁରା ତଳ ପାହାଚକୁ ଓହ୍ଲାଇ ଅବସର ନେଉଥିବା ନିଜ ଅଧସ୍ତନ କର୍ମଚାରୀ ସିକାଙ୍କୁ  ଛାତିରେ ଲଗାଇ ଜଣାଇଥିଲେ ବିଦାୟକାଳୀନ ସମ୍ବର୍ଧନା | ଇଏ ତ ଆତ୍ମୀୟତାର କଥା ! ଅଜଣା ଖୁସିରେ ପୁରି ଉଠିଥିଲା ସିକାଙ୍କ ଛାତି |  ଆଉ ଏତେ ଦିନ ଧରି କାମ କରିଥିବା ସହକର୍ମୀମାନେ ବି କୌଣସି କାର୍ପଣ୍ୟ କରିନଥିଲେ ଶ୍ରଦ୍ଧାରେ | ନିଜ ପାଉଣାରୁ କାଟି ତାଙ୍କୁ ଦେଇଥିଲେ ଶ୍ରଦ୍ଧାର ଉପହାର, ଅବସର ନେଉଥିବା ପ୍ରିୟ ସହକର୍ମୀଙ୍କୁ  | ଆଜିର ବିଦାୟ ସମ୍ବର୍ଧନାଟି ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ବି ଅନ୍ୟକରଣୀୟ ପରମ୍ପରାଟିଏ ସୃଷ୍ଟି କରିଗଲା | 

ଆମେ କହୁଛୁ ରାୟଗଡା ଜିଲ୍ଲା ଆମ୍ବାଦଳା ଥାନାର ହୋମଗାର୍ଡ ଶ୍ରୀ ସିକା ଵାଗଙ୍କ କଥା | ସେ ଦୀର୍ଘ ୩୬ବର୍ଷର କର୍ମମୟ ହୋମଗାର୍ଡ ସେବାରୁ ଆଜି ନେଇଛନ୍ତି ଅବସର |  ରାୟଗଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯାଳୟରେ ଅଵସର କାଳିନ ଵିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ପୋଲିସ (ଆର. ଆଇ) ନିରଞ୍ଜନ ନାୟକ ଯୋଗଦେଇଥିବା ଵେଳେ (ଡି. ଏସ. ଆଇ.) ବି. ପ୍ରଧାନ, ମୁନୀଗୁଡା ଥାନା ହୋମଗାର୍ଡ ପ୍ଲାଟୁନ୍ କମାଣ୍ଡର  ଟୁଲୁ ପାଢି, ପ୍ଲାଟୁନ କମାଣ୍ଡର ଦୁର୍ଗା ପ୍ରସାଦ ପାଣିଗ୍ରାହୀ, ହୋମଗାର୍ଡ ଲଡୁ କିଶୋର ଵେହେରା, ଵିନୋଦ ଭାତ୍ରା ଓ ପ୍ରଦିପ ନାୟକ ପ୍ରମୂଖ ଉପସ୍ଥିତ ରହି ଥିଲେ। 

ଶ୍ରୀ ଵାଗ 36 ଵର୍ଷର କାର୍ଯ୍ୟକାଳ ମଧ୍ୟରେ ସମସ୍ତ ଅଧିକାରୀ ଓ ସହକର୍ମୀଙ୍କ ସହ ମିଳିମିଶି ଶାନ୍ତିରେ ଓ ନିଷ୍ଠାର ସହ ନିଜର କାର୍ଯ୍ୟ ତୁଲାଇ ସମସ୍ତଙ୍କର ପ୍ରିୟଭାଜନ ହୋଇ ପାଇଛନ୍ତି । କରୋନା ଭଳି ମହାମାରୀ ସମୟରେ ନିଜ ଜୀଵନକୁ ବାଜିମାରି ଜନତାଙ୍କ ସେଵାରେ ନିଜକୁ ଉତ୍ସର୍ଗ କରିଥିଲେ। ତାଙ୍କର ଏହି ଉତ୍ସର୍ଗୀକୃତ ସେବା ମନୋଭାବକୁ ତାଙ୍କରି ଅଵସର ପାଇଁ ଜିଲ୍ଲାରେ ସମସ୍ତ ହୋମଗାର୍ଡ (୧୧୨) ଜଣ ଯାକ ସେମାନଙ୍କର ଗୋଟିଏ ଦିନର ଦରମା କାଟି ସମୁଦାୟ ଏକ ଲକ୍ଷ ଟଙ୍କା (ଟଙ୍କା ୧,୦୦,୦୦୦/-)  ଅବସର ପ୍ରାପ୍ତ ହୋମଗାର୍ଡ ସିକା ଵାଗଙ୍କୁ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ  ଶର୍ମାଙ୍କ  ମାଧ୍ୟମରେ ପ୍ରଦାନ କରି ଅଶ୍ରୁଳ ବିଦାୟ ଦେଇଥିଲେ ।

0
0
0
s2sdefault