ଜିଲ୍ଲାସ୍ତରୀୟ ୫ମ ଜିଲ୍ଲା ପରିଷଦ ବୈଠକଜିଲ୍ଲାରେ ଧାନ ସଂଗ୍ରହ ଅବ୍ୟବସ୍ଥାକୁ ନେଇ ଗର୍ଜିଲେ ନିର୍ବାଚିତ ପ୍ରତିନିଧି
ନୂଆପଡ଼ା(ଅମିତ ପୁରୋହିତ): ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ୫ ମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି, ଜିଲ୍ଲାପାଳ ସ୍ୱଧାଦେବ ସିଂ, ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଜିଲ୍ଲାରେ ଧାନ ସଂଗ୍ରହକୁ ନେଇ ନିର୍ବାଚିତ ପ୍ରତନିଧି ମାନେ ଜିଲ୍ଲା ପ୍ରଶାସନ ଉପରେ ଗର୍ଜି ଉଠିଥିଲେ । ଚଳିତ ବର୍ଷ ଧାନ ସଂଗ୍ରହରେ ଜିଲ୍ଲା ପ୍ରଶାସନ, ଯୋଗାଣ ବିଭାଗ, ଆରଏମସି ସମ୍ପୁର୍ଣ୍ଣ ବିଫଳ ହୋଇଛି ବୋଲି ଚଢାଉ କରିଥିଲେ । ଗତ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଜିଲ୍ଲାର ୨୬ଟି ପେକ୍ସ ଜରିଆରେ ୫୭ଟି ଧାନ ସଂଗ୍ରହ କେନ୍ଦ୍ରରେ ୧୬,୨୦୬ ଜଣ ଚାଷୀଙ୍କ ୯,୫୪, ୩୩୯ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି । ଜିଲ୍ଲାର ୩୭ ଟି ଧାନ ସଂଗ୍ରହ କେନ୍ଦ୍ରରେ ୧୫୮୩ ଜଣ ଚାଷୀଙ୍କ ୨ ଲକ୍ଷ ୮ ହଜାର ୪୦୮ ବସ୍ତା ଧାନ ମଣ୍ଡିରେ ପଡି ରହିଛି । ଗତ ୧୮ ତାରିଖ ସୁଦ୍ଧା ଜିଲ୍ଲାରେ ୨୨ଟି ମହିଳା ଏସଏଚଜିଙ୍କ ମଣ୍ଡିରେ ୧୪୬୦ ଟୋକନ ସୃଷ୍ଟି ହୋଇଛି । ଏଥିରେ ୭୪,୨୯୫ କ୍ୱିଣ୍ଟାଲ (ପ୍ରାୟ ୧.୬ ଲକ୍ଷ ବସ୍ତା) ଧାନ ସଂଗ୍ରହ ହେବାକୁ ବାକି ରହିଛି । ଗତ ଡିସେମ୍ବର ୧୧ ରୁ ଚାଷୀ ଧାନ ବିକ୍ରି ପାଇଁ ଧାନକୁ ଗଦାଇ ରଖିଥିଲେ ବି ଧାନ ଉଠି ପାରୁନାହିଁ । ଅନେକ ଚାଷୀଙ୍କ ଟୋକନ ଅବଧି(୧ ମାସ) ଶେଷ ହୋଇ ଯାଇଥିବାରୁ ଧାନ ବିକ୍ରି ଆଶା କ୍ଷୀଣ ହେବାରେ ଲାଗିଛି । ଶୀତ କାକରରେ ଚାଷୀ ଦିନ ରାତି ମଣ୍ଡିରେ ଜଗି ରହିଛନ୍ତି ।ଏହାକୁ ନେଇ ନିର୍ବାଚିତ ପ୍ରତିନିଧିମାନେ ଯୋଗାଣ ବିଭାଗ ଉପରେ ଚଢାଉ କରିଥିଲେ । ଜିଲ୍ଲାରେ ୩୫ ଲକ୍ଷ କ୍ୱିଣ୍ଟାଲ ଧାନ ଅମଳ ହେଉଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମାତ୍ର ୧୨ ଲକ୍ଷ କ୍ୱିଣ୍ଟାଲ ଧାନ ସଂଗ୍ରହ କରି କାମ ସାରି ଦେଉଛନ୍ତି । ବଳକା ଧାନକୁ ଚାଷୀମାନେ କେଉଁଠି ବିକ୍ରି କରିବେ । ଶେଷରେ ଚାଷୀ ୨୧ ଶହ ରୁ ୧୩ ଶହ ଟଙ୍କାରେ ବିକ୍ରି କରି ଶୋଷଣର ଶୀକାର ହେଉଛନ୍ତି ବୋଲି ସାଂସଦ ଶ୍ରୀ ପଣ୍ଡା କହିଥିଲେ ।
ଜିଲ୍ଲାରେ ଧାନ ସଂଗ୍ରହକୁ ନେଇ ସାଂସଦ ଶ୍ରୀ ପଣ୍ଡା ଓ ବିଧାୟକ ଶ୍ରୀ ଢୋଲକିଆଙ୍କ ମଧ୍ୟରେ ତୁତୁ ମେମେ ହୋଇଥିଲା । ବିଧାୟକ ଶ୍ରୀ ଢୋଲକିଆ ଧାନ ସଂଗ୍ରହ ଟେର୍ଗେଟ ବାଣ୍ଟୁଛନ୍ତି ଓ ଏଥିରେ ତାଙ୍କର କଣ ଭୁମିକା ରହିଛି । ଏହାକୁ ସେ କଣ ପାଇଁ ସୋସିଆଲ ମେଡିଆରେ ଭାଇରାଲ କରୁଛନ୍ତି ବୋଲି ସାଂସଦ ଶ୍ରୀ ପଣ୍ଡା ଓ ଖଡ଼ିଆଳ ବିଧାୟକ ଶ୍ରୀ ପାଣିଗ୍ରାହୀ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ । ଏହାର ପ୍ରତିଉତ୍ତର ବିଧାୟକ ଶ୍ରୀ ଢୋଲକିଆ କହିଥିଲେ ଯେ, ଟାର୍ଗେଟ ମୁଁ ବାଣ୍ଟୁ ନାହିଁ କି ମୋର କ୍ଷମତା ବି ନାହିଁ । ରାଜ୍ୟ ସରକାରଙ୍କ ନିଦେ୍ର୍ଧଷ କ୍ରମେ ଜିଲ୍ଲାପାଳ ଟାର୍ଗେଟ ବାଣ୍ଟୁଛନ୍ତି । ରାଜ୍ୟ ସରକାର ଟେର୍ଗେଟ ବୃଦ୍ଧି କରିଥିବାରୁ ମୁଁ ଏହାକୁ ଫେସବୁକ ପେଜରେ ପୋଷ୍ଟ କରିଥିଲି ଓ ଏଥିରେ କୌଣସି ଅସୁବିଧା ନାହିଁ ବୋଲି କହିଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢିବାରୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝି ହସ୍ତକ୍ଷେପ କରି ସମାଧାନ କରିଥିଲେ । ପରେ ସାଂସଦ ଶ୍ରୀ ପଣ୍ଡା ଆମେ ଠିକା କାମ ବଣ୍ଟୁ ନାହୁଁ ବୋଲି ପ୍ରଶ୍ନ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଉତ୍ୟକ୍ତ ହୋଇ ସାଂସଦ ଶ୍ରୀ ପଣ୍ଡାଙ୍କ ଉପରେ ଚଢାଉ କରିଥିଲେ । ଉଭୟଙ୍କ ମଧ୍ୟରେ ତୁତୁ ମେମେ ହୋଇଥିଲା । ଜିଲ୍ଲା ପରିଷଦ ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକ ରେ ଠିକା ବଣ୍ଟାକୁ ନେଇ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବାରୁ ସାଧାରଣରେ ନିନ୍ଦା କରିଛନ୍ତି । ଚାଷୀ ମାନେ ନିଜ ଧାନ ସହ ବସ୍ତା ଦେଉଥିଲେ ବି ପାଉଣା ମିଲୁନାହିଁ । ପେକ୍ସ କର୍ମଚାରୀ, ଆରଏମସି, ଏସଏଚଜି ମହିଳାଙ୍କ ବଦଳ ରେ ମଣ୍ଡିରେ ମିଲର୍ସ ସିଧାସଳଖ ହସ୍ତକ୍ଷେପ କରି ମନମର୍ଜି ଚଳାଇ କଟନୀ ଛଟନୀ କରିବା ସହ କାହାର ଧାନ ଉଠାବେ ,ସେମାନେ ନିର୍ଦ୍ଧାରଣ କରୁଛନ୍ତି । ଏଥିରେ ଚାଷୀ କୁଳ ଶୋଷଣର ଶୀକାର ହେଉଛନ୍ତି । ସମସ୍ତ ପଞ୍ଚାୟତରେ ଧାନ ସଂଗ୍ରହ ପାଇଁ ଲାଇସେନ୍ସ ପ୍ରଦାନ କରନ୍ତୁ ବୋଲି ସାଂସଦ ଶ୍ରୀ ପଣ୍ଡା ପ୍ରସ୍ତାବ ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟ ପ୍ରିୟରଂଜନ ମେହେର, ସିନାପାଲି ବ୍ଲକରେ ଓଡିଶା, ଛତିଶଗଡ ରାଜ୍ୟର ସୀମା ବିବାଦ ପ୍ରସଙ୍ଗ ଉଠାଇ ଥିଲେ । ଏହି ବିବାଦ ୨ ବର୍ଷ ବିତି ଯାଇଥିଲେ ବି ଜିଲ୍ଲା ପ୍ରଶାସନ କୌଣସି ସମାଧାନ କରୁନାହିଁ । ଏବେ ଓଡିଶା ଜମିକୁ ପଡୋଶି ରାଜ୍ୟ ଅକ୍ତିଆର କରିବାରେ ଲାଗିଛି ବୋଲି କହିଥିଲେ । ଅପରାହ୍ନରେ ଉଦ୍ୟାନ, ବିଦ୍ୟାଳୟ, ଗଣ ଶିକ୍ଷା ଓ ସମଗ୍ର ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ସମାଜ କଲ୍ୟାଣ, ସାମଜିକ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ ଗୃହ ନିର୍ମାଣ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ବିଦୁ୍ୟତ, ପଶୁ ସମ୍ପଦ, ସମବାୟ, ମସô, ଯୋଜନା ଓ ସମନ୍ୱୟ, ଜଳ ବିଭାଜିକା, ଜଳ ସେଚନ ବିଭାଗର ସମୀକ୍ଷା ହୋଇଥିଲା । ଜିଲ୍ଲା ପରିଷଦ ସଭ୍ୟ ଲମ୍ବୋଧର ନିଆଲ, ଉଜ୍ଜ୍ୱଲ ଗୁପ୍ତା, ଗୀରିରାଜ ମାଝି, ଜିଲ୍ଲା ପରିଷଦ ସଭ୍ୟା ଭୁଗୁଲି ସୁନାନୀ, ରାମୁଲି ଶବର, ବାସନ୍ତି ମାଝି, ଡୋଲାକାନ୍ତି ମାଝି, ଉଷା ଚନ୍ଦ୍ରକାର, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର ପ୍ରମୁଖ ଜନ ପ୍ରତିନିଧି ଉପସ୍ଥିତ ଥିଲେ । ସେହିପରି ପିଡି ଡିଆରଡିଏ ନବୀନ ପଟେଲ, ଏପିଡି ମଧୁଛନ୍ଦା ସାହୁ, ଡିଡିଏ ବାବାଜୀ ଚରଣ ବେହେରା, ଡିଇଓ ଲକ୍ଷ୍ମଣ ଭୋଇ, ସିଡିଏମଓ ଡା. କାଳୀଚରଣ ବେହେରା, ଡିପିଓ ବିବେକାନନ୍ଦ ମହାନନ୍ଦ, ଡିପିଏମ ବିଶ୍ୱମ୍ବର ବେହେରା, ଡିଆରଡିଏ ଏପିଡି ବିଦେଶ ଘୋଷ ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ବରିଷ୍ଠ କିରାଣି ବିଭୁଦତ୍ତ ମିଶ୍ର, ମୋହନ ବାଗ, ତେଜପାଲ ଦଣ୍ଡସେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।