ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ଛଉନୃତ୍ୟ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ଛଉନୃତ୍ୟର ସଂରକ୍ଷଣ ସହିତ ଅଧିକରୁ ଅଧିକ ପ୍ରଚାର ଓ ପ୍ରସାର କରି ଏହାର ହୃତ ଗୌରବକୁ ପୁନଃ ପ୍ରତିଷ୍ଠା  କରାଇବା ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୋଜେକ୍ଟ ଛାଉଣୀ କାର୍ଯ୍ୟକାରୀ କରାଯାଇଛି |  ଉକ୍ତ ପ୍ରୋଜେକ୍ଟ ଛାଉଣୀ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଆରମ୍ଭ ହୋଇଛି ୬ ଦିବସୀୟ କର୍ମଶାଳା । ଏଥିରେ ଜିଲ୍ଲାର ଗ୍ରାମାଞ୍ଚଳମାନଙ୍କରୁ ଛଉନୃତ୍ୟ ଶିଳ୍ପୀମାନଙ୍କ ସମେତ ବାରିପଦାସ୍ଥିତ ଉତ୍ତରସାହି ଓ ଦକ୍ଷିଣସାହି ଛଉନୃତ୍ୟ ପ୍ରତିଷ୍ଠାନଗୁଡ଼ିକରୁ ବହୁ କଳାକାର ସାମିଲ ହୋଇଥିବା ବେଳେ  ସେମାନଙ୍କୁ ଛଉନୃତ୍ୟର ମୌଳିକ କୌଶଳ ସମୁହ ଉପରେ ତାଲିମ ଦିଆଯାଇଛି । ଏହା ସହିତ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ଦରବାର ଶାସନ ସମୟରେ ପ୍ରଦର୍ଶିତ ହେଉଥିବା ଦୁଇ ଗୋଟି ନୃତ୍ୟ ସମେତ ମୋଟ ୪ ଗୋଟି ନୃତ୍ୟର ଶିକ୍ଷାଦାନ କରାଯାଇଛି । ବାରିପଦା ଦକ୍ଷିଣସାହି ଛଉନୃତ୍ୟ ମନ୍ଦିରର ପାଗୁଲୁ ଜେନା, ଉତ୍ତରସାହି ଛଉନୃତ୍ୟ ପ୍ରତିଷ୍ଠାନର ରାମଚନ୍ଦ୍ର ଦାସ, ବାମନଘାଟି ଛଉନୃତ୍ୟ ପ୍ରତିଷ୍ଠାନର ତ୍ରିଲୋଚନ ମହାନ୍ତ ପ୍ରମୁଖ ଓସ୍ତାଦମାନେ କର୍ମଶାଳାରେ ଯୋଗ ଦେଇ ନୃତ୍ୟଶିଳ୍ପୀମାନଙ୍କୁ ଅଭ୍ୟାସ ଓ ତାଲିମ ପ୍ରଦାନ କରିଥିଲେ । 

           ଅନ୍ୟପକ୍ଷରେ କର୍ମଶାଳର ଶେଷ ଦୁଇ ଦିନ କଲମ୍ବିଆର ଛଉନୃତ୍ୟ ଶିଳ୍ପୀ କେରୋଲିନା ପ୍ରାଦା ଉକ୍ତ କର୍ମଶାଳାରେ ଯୋଗ ଦେଇଥିଲେ ।  ମୟୂରଭଞ୍ଜ ଛଉନୃତ୍ୟରେ ବ୍ୟବହୃତ ହେଉଥିବା ଶାସ୍ତ୍ରୀୟ ଅଙ୍ଗଭଙ୍ଗୀ ଏବଂ ଅଭିନୟ ବାବଦରେ ଶିବିରରେ ଶିକ୍ଷାର୍ଥୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହା ସହିତ ଦିଲ୍ଲୀରେ ଅବସ୍ଥାନ କରୁଥିବା କେନ୍ଦ୍ର ସଙ୍ଗୀତ ନାଟକ ଏକାଡେ଼ମୀ ସମ୍ମାନରେ ଭୂଷିତ ଛଉନୃତ୍ୟ ଗୁରୁ ଜନ୍ମେଜୟ ସାଏବାବୁଙ୍କ ନୃତ୍ୟ ଶୈଳୀ ବାବଦରେ ମଧ୍ୟ ତାଲିମ ଦେଇଥିଲେ । 

           ପ୍ରୋଜେକ୍ଟ  ଛାଉଣୀର କାର୍ଯ୍ୟକାରୀ ନିର୍ଦ୍ଦେଶିକା  ଶୁଭଶ୍ରୀ ମୁଖାର୍ଜୀ, ନିର୍ଦ୍ଦେଶକ ବିଭୂଦତ୍ତ ଦାସ ପ୍ରମୁଖ କର୍ମଶାଳାର ପରିଚାଳନା କରିଥିବା ସମୟରେ ଅଶୋକ ବୈଠା ଓ ଛତିଶ ଚନ୍ଦ୍ର ଧଡ଼ା ପ୍ରମୁଖ ବାଦ୍ୟ ଯନ୍ତ୍ରରେ ସହାୟତା ପ୍ରଦାନ କରିଥିଲେ 

 

0
0
0
s2sdefault