-
ଓଡ଼ିଶାରେ ପ୍ରତିଷ୍ଠିତ ଇସ୍ପାତ ଶିଳ୍ପ ପାଇଁ ପ୍ରାଥମିକତା ଭିତ୍ତିରେ ଲୁହାପଥର ଖଣି ଆବଣ୍ଟନ ପାଇଁ ଅନୁରୋଧ
-
· କଞ୍ଚାମାଲ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଲୌହ ଖଣିଜ ଉତ୍ପାଦନ ବୃଦ୍ଧି ପାଇଁ ଅନୁରୋଧ
-
· ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ
-
· ଓଡ଼ିଶା ଶିଳ୍ପାନୁଷ୍ଠାନକୁ ପର୍ଯ୍ୟାପ୍ତ କଞ୍ଚାମାଲ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି
ଭୁବନେଶ୍ୱର, ୦୭ ଏପ୍ରିଲ୍ ୨୦୨୬: ମାନ୍ୟବର ସାଂସଦ ତଥା ଇଣ୍ଡିଆନ ଷ୍ଟିଲ ଆସୋସିଏସନ(ଆଇଏସଏ)ର ସଭାପତି ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଆଇଏସଏର ଏକ ବରିଷ୍ଠ ପ୍ରତିନିଧିମଣ୍ଡଳୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ଇସ୍ପାତ ଶିଳ୍ପ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଆହ୍ୱାନ ସମ୍ପର୍କରେ ଆଲୋଚନା କରିଛନ୍ତି।
ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ (ଆଇଏଏସ), ଉନ୍ନୟନ ସଚିବ ତଥା ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ (ଆଇଏଏସ), ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା (ଆଇଏଏସ), ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ କୁମାର ମିଶ୍ର (ଆଇଏଏସ), ଓଏମସିର ଅଧ୍ୟକ୍ଷ ଶ୍ରୀ ଗିରୀଶ ଏସଏନ (ଆଇଏଏସ) ଓ ଓଏମସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ (ଆଇଏଏସ) ପ୍ରମୁଖ ଉପସ୍ଥିତ ଥିଲେ।
ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାର ଭୂମିକା ଉପରେ ପ୍ରତିନିଧିମଣ୍ଡଳୀ ଗୁରୁତ୍ୱ ଦେଇଥିଲେ। ଏହା ସହିତ ଇସ୍ପାତ ଶିଳ୍ପକୁ ରାଜ୍ୟ ସରକାରଙ୍କ ନିରନ୍ତର ସହଯୋଗ ପାଇଁ ପ୍ରଶଂସା କରିଥିଲେ।
ରାଜ୍ୟଭିତ୍ତିକ ଶିଳ୍ପ ପାଇଁ ଲୁହାପଥର ଉପଲବ୍ଧତା ବୃଦ୍ଧି କରିବା ପାଇଁ ଆଇଏସଏର ପ୍ରତିନିଧିମଣ୍ଡଳୀ ରାଜ୍ୟ ସରକାର ଏବଂ ଓଏମସିକୁ ବିଭିନ୍ନ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତାବ ଦେଇଥିଲେ । ୨୦୩୦ ସୁଦ୍ଧା ରାଜ୍ୟରେ ୧୦୦ ଏମଟିପିଏ ଇସ୍ପାତ ଉତ୍ପାଦନର ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର ଇସ୍ପାତ ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ଦେବାକୁ ପ୍ରତିନିଧିମଣ୍ଡଳୀ ନିବେଦନ କରିଥିଲେ । ଏହା ସହିତ ସାମଗ୍ରିକ ପରିବହନ ବ୍ୟବସ୍ଥା ଓ ଭିତ୍ତିଭୂମି ବିକାଶର କାର୍ଯ୍ୟଯୋଜନା ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ ପାଇଁ ମଧ୍ୟ ଏହି ପ୍ରତିନିଧିମଣ୍ଡଳୀ ଅନୁରୋଧ କରିଥିଲା।
ଗଣମାଧ୍ୟମକୁ ସୂଚନା ଦେବା ଅବସରରେ ଶ୍ରୀ ନବୀନ ଜିନ୍ଦଲ କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ପ୍ରଗତିଶୀଳ ନେତୃତ୍ୱରେ ରାଜ୍ୟର ଇସ୍ପାତ ଶିଳ୍ପରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଓଡ଼ିଶା ଦ୍ୱାରା ଅନୁସରଣ କରାଯାଉଥିବା ଖଣି ନୀତି ଏବଂ ନିଲାମ ପ୍ରକ୍ରିୟା ଦେଶରେ ସର୍ବୋତ୍ତମ, ଯାହାପାଇଁ ରାଜ୍ୟକୁ ସର୍ବାଧିକ ରାଜସ୍ୱ ମିଳୁଛି। ଏଥିପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ।”
ସେ ଆହୁରି ମଧ୍ୟ କହିଥିଲେ, “ଇସ୍ପାତ ଶିଳ୍ପର ଅଭିବୃଦ୍ଧି ପାଇଁ ଲୁହାପଥର ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ସମ୍ପର୍କରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛୁ। ଆମେ ଏହା ମଧ୍ୟ ଅନୁରୋଧ କରିଥିଲୁ ଯେ ଲୁହାପଥର ଆବଣ୍ଟନ କ୍ଷେତ୍ରରେ ରାଜ୍ୟରେ ନିବେଶ କରିଥିବା ଶିଳ୍ପସଂସ୍ଥାମାନଙ୍କୁ ଓଡ଼ିଶା ଖଣି ନିଗମ ଦ୍ୱାରା ପ୍ରାଥମିକତା ଦିଆଯାଉ। ରାଜ୍ୟରେ ପରିଚାଳିତ ଶିଳ୍ପାନୁଷ୍ଠାନ ପାଇଁ କୌଣସି ପରିସ୍ଥିତିରେ ଲୋହ ଖଣିଜର ଅଭାବ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେଇଥିବାରୁ ଆମେ ଧନ୍ୟବାଦ ଜଣାଉଛୁ।”
ଏହି ପ୍ରତିନିଧିମଣ୍ଡଳୀରେ ଟାଟା ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟିଭି ନରେନ୍ଦ୍ରନ, ଇଣ୍ଡିଆନ ଷ୍ଟିଲ ଆସୋସିଏସନର ମହାସଚିବ ଶ୍ରୀ ଆଲୋକ ସହାୟ, ଟାଟା ଷ୍ଟିଲର ଉପସଭାପତି (କର୍ପୋରେଟ ସର୍ଭିସେସ) ଶ୍ରୀ ଡିବି ସୁନ୍ଦର ରମମ୍, ଜେଏସଡବ୍ଲୁ ଷ୍ଟିଲର ସଭାପତି ଶ୍ରୀ ଅନୀଲ ସିଂହ, ଜେଏସଡବ୍ଲୁ ବିପିଏସଏଲର ଶ୍ରୀ ଅରୁଣ ମାହେଶ୍ୱରୀ, ଏଏମଏନଏସର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଆଲୋକ ମେହେଟା, ଜିନ୍ଦଲ ଷ୍ଟେନଲେସର ମୁଖ୍ୟ ବ୍ୟାବସାୟିକ ଅଧିକାରୀ ଶ୍ରୀ ଶଶିଭୂଷଣ ଉପାଧ୍ୟାୟ ଓ ରାଜ୍ୟର ଅନ୍ୟ ଇସ୍ପାତ କମ୍ପାନିର ପ୍ରତିନିଧି ମାନେ ସାମିଲ ଥିଲେ।








