ଭୁବନେଶ୍ୱର, ଏପ୍ରିଲ ୭: ଶିକ୍ଷା ଓ ଅନୁସନ୍ଧାନ ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ)ର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନେ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗ୍ରାମରେ ଏକ ସପ୍ତାହ ବ୍ୟାପୀ ସାମାଜିକ ଅର୍ଥନୈତିକ ସର୍ଭେ ସହ ସ୍ଥାନୀୟ ଗ୍ରାମବାସୀଙ୍କର ଅର୍ଥନୈତିକ ସ୍ଥିତି, କୃଷି କାର୍ଯ୍ୟ ପରିଚାଳନା ଓ ଜଳାଭାବ ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି ।
ମାର୍ଚ୍ଚ ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ସ୍ୱେଚ୍ଛାସେବୀମାନେ ଘରକୁ ଘର ବୁଲି ସର୍ଭେ କରିବା ସହ ପରିବାରର ସ୍ଥିତି, ପ୍ରାଥମିକ ଉପାର୍ଜନ, କୃଷକ ମାନଙ୍କ ଦ୍ୱାରା ଚାଷ କରାଯାଉଥିବା ଫସଲ ଏବଂ କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ ।
ଏଥି ସହିତ ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ବିଭିନ୍ନ ସରକାରୀ ବିକାଶମୂଳକ ଯୋଜନା ଏବଂ ଏହାର ଉପାଦେୟତା ସମ୍ପର୍କରେ ଗ୍ରାମରେ ସଚେତନତା ସୃଷ୍ଟି କରାଯାଇଥିଲା ।
ସର୍ଭେ ସମୟରେ ଗ୍ରାମବାସୀମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ସୁବିଧାର ଅଭାବ ବିଷୟରେ ଉଲ୍ଲେଖ କରି ଏହାର ପ୍ରତିକାର ନିମନ୍ତେ ଦାବୀ ଜଣାଇଥିଲେ ।
ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆଇଏଏସର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ସୋଆ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର କମଳ ଲୋଚନ ମହନ୍ତ, ଏଗ୍ରିକଲ୍ଚରାଲ ଏକ୍ସଟେନ୍ସନ୍ ବିଭାଗର ଡକ୍ଟର ବିବୁଧ ପରାଶର, ପ୍ଲାଂଟ ଫିଜିଓଲୋଜି ବିଭାଗର ମୁଖ୍ୟ ଡକ୍ଟର ସରୋଜ କୁମାର ମହାନ୍ତି, ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଡକ୍ଟର ନିତିଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଡକ୍ଟର ସବ୍ୟସାଚୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।








