ହେଡଲାଇନସ୍:

ଦୁର୍ନୀତି ବିରୁଦ୍ଧର କଡା କାର୍ଯ୍ୟାନୁଷ୍ଠାନ : ଡି.ଆଇ.ଜି.ଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଦୁର୍ନୀତି ଓ ଅପାରଗତା ଯୋଗୁ ବିଦା ହେଲେ ଜେଲ ଡି.ଆଇ.ଜି ଗୋପବନ୍ଧୁ ମଲ୍ଲିକ 

  • ଆଉ ୬  ଅଧିକାରୀ ବି ଚାକିରିରୁ ବାଧ୍ୟତାମୂଳକ ବିଦା 

  • ବର୍ଷକ ମଧ୍ୟରେ ୧୦୪ ଜଣଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର(ଶାସକ ପ୍ରଶାସକ) : ଦୁର୍ନୀତି ଓ ଅପାରଗତା ଯୋଗୁ ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି | ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି., ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍‌.ପି., ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସି.ଡି.ପି.ଓ. ଅନ୍ତର୍ଭୁକ୍ତ ଅଟନ୍ତି |

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି | ଅପାରଗ ତଥା ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି ଏବଂ ପ୍ରଶାସନରୁ ଦୁର୍ନୀତି ଓ ଅପାରଗତା ଦୂର କରିବାପାଇଁ ସବୁବେଳେ କଠୋର ପଦକ୍ଷେପ ନେଇଛନ୍ତି |

ଏହି ପରିପ୍ରେକ୍ଷୀରେ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଜେଲ ବିଭାଗର ଡି.ଆଇ.ଜି. ଶ୍ରୀ ଗୋପବନ୍ଧୁ ମଲ୍ଲିକ | ଶ୍ରୀ ମଲ୍ଲିକ୍ ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବରେ ତାଙ୍କ ପଦବୀର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାର ଅଭିଯୋଗ ରହିଥିଲା|  ଜେଲ ବିଭାଗରେ ତାଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ସାଧୁତା ସନ୍ଦେହମୁକ୍ତ ନ ଥିଲା | 

ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର, କୋରାପୁଟ ନନ୍ଦପୁରର ସି.ଡି.ପି.ଓ. ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ଦୁଇଟି ଭିଜିଲାନ୍ସ କେସ୍‌ କରାଯାଇଛି | ୨୦୧୬ ରେ ୮୦ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମକଦ୍ଦମା ଦାୟର କରାଯାଇଥିବା ବେଳେ ଅକ୍ଟୋବର ୨୦୨୦ ରେ ଛତୁଆ ବିଲ୍‌ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କ ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରା ପଡିଥିଲେ | ସେ ବର୍ତ୍ତମାନ ନିଲମ୍ବିତ ଅଛନ୍ତି | 

ଶ୍ରୀ ଏକାନ୍ତ ପ୍ରିୟ ନାୟକ, କମାଣ୍ଡାଣ୍ଟ ଭାବରେ ଓଡିଶା ସଶସ୍ତ୍ର ପୋଲିସ ସେବାରେ କାର୍ଯ୍ୟରତ ଥିଲେ | ଦୁର୍ବ୍ୟବହାର ତଥା ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଗୋଟିଏ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି ଏବଂ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା | ଜଣେ ମଦ୍ୟପ ତଥା ଅଯୋଗ୍ୟ ଅଫିସର ଭାବରେ ତାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା |

ଶ୍ରୀ ଗୌତମ ମଲ୍ଲିକ, ଡି.ଏସ୍‌.ପିଙ୍କ ବିରୁଦ୍ଧରେ ଦୁଇଟି ଫୌଜଦାରୀ ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କୁ ମଧ୍ୟ ଚାକିରୀରୁ ନିଲମ୍ବିତ କରାଯାଇଥିଲା | ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଅଟେ |

ଶ୍ରୀ ଦେବେନ୍ଦ୍ର ନାଥ ବେହେରା, ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟୀ କମାଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି | ତାଙ୍କ ନାମରେ ଜଙ୍ଗଲରୁ କାଠ ଚୋରୀ ଅଭିଯୋଗରେ ଏକ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଛି | ସେହିପରି ବିନା ଅନୁମତିରେ ସରକାରୀ ଗାଡିରେ ଅଧସ୍ତନ କର୍ମଚାରୀଙ୍କୁ ବ୍ୟବହାର କରି କାଠର ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି | 

ଶ୍ରୀ ସତ୍ୟବ୍ରତ ରାଉତ, କନିଷ୍ଠ ଖଣି ଅଧିକାରୀଙ୍କ ବିରୁଦ୍ଧରେ ୫ ଗୋଟି ଭିଜିଲାନ୍ସ କେସ୍‌ ରହିଛି | ତାଙ୍କର ସାଧୁତା ସନ୍ଦେହ ଜନକ | ଦାୟୀତ୍ବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି | ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି | 

ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, କନିଷ୍ଠ ଖଣି ଅଧିକାରୀଙ୍କ ବିରୁଦ୍ଧରେ ୩ ଗୋଟି ଭିଜିଲାନ୍ସ କେସ୍‌ ଥିଲାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହ ଜନକ ଅଟେ |  ଦାୟୀତ୍ବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି |  ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି |

ଏହି ବାଧ୍ୟତାମୂଳକ ଅବସର ଆଦେଶ ତୁରନ୍ତ କାର୍ଯ୍ୟକାରୀ କରାଯିବ |

0
0
0
s2sdefault