ଓଡଗାଁ, ୬।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଓଡଗାଁ ସ୍ୱର୍ଣ୍ଣ କଳସ କ୍ଷେତ୍ରରେ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରାର ନବଦିନୀୟ ସନ୍ଧ୍ୟା ବେଶର ଅନ୍ତିମ ପର୍ବ ଅନୁଷ୍ଠିତ ହୋଇଛି। ସୋମବାର ଅନ୍ତିମ ସନ୍ଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ବେଶ ଦର୍ଶନ କରି ଶ୍ରଦ୍ଧାଳୁମାନେ ମନରେ ଅପାର ପ୍ରଶାନ୍ତି ଓ ଆନନ୍ଦ ଅନୁଭବ କରିଥିବା ଦେଖାଯାଇଥିଲା। ଯାତ୍ରା ଅବସରରେ ସମଗ୍ର ଓଡଗାଁ ଅଯୋଧ୍ୟା ନଗରୀର ଭ୍ରମ ସୃଷ୍ଟି କରିଥିଲା। ନବଦିନ ଧରି ଶ୍ରୀରାମଙ୍କ ଜନ୍ମ ବିଧାନ କର୍ମଠାରୁ ଆରମ୍ଭ କରି ସୀତା ବିବାହ, ବନବାସ ଓ ଶେଷରେ ସିଂହାସନ ଆରୋହଣ ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ଆକର୍ଷଣୀୟ ଭାବେ ପ୍ରଦର୍ଶନ କରାଯାଇଥିଲା। ବିଶେଷ କରି ୧୪ ବର୍ଷର ବନବାସ ଘଟଣା ଯେଉଁଠି ଭକ୍ତମାନଙ୍କ ହୃଦୟକୁ ବିଷାଦମୟ କରିଥିଲା, ସେଠି ରାଜ୍ୟାଭିଷେକ ବେଶ ଦର୍ଶନ ମନରେ ଶତଗୁଣ ଆନନ୍ଦ ଭରିଦେଇ ଥିଲା। ରତ୍ନ ବେଦୀରେ ଶ୍ରୀରାମ ଓ ମା’ ସୀତାଙ୍କ ଦିବ୍ୟ ଦର୍ଶନ ସହ ଲକ୍ଷ୍ମଣ ଛତ୍ରଧାରୀ ଭାବେ ଦଣ୍ଡାୟମାନ ଥିବା ବେଳେ ଭରତ ଓ ଶତୃଘ୍ନ ଚାମର ପକାଉଥିଲେ। ଭକ୍ତ ହନୁମାନ ପ୍ରଭୁଙ୍କ ପାଦପଦ୍ମରେ ଆଣ୍ଠୁମାଡି ପ୍ରଣାମ କରୁଥିବା ଦୃଶ୍ୟ ଅତ୍ୟନ୍ତ ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ। ସେହିପରି ବିଭିଷଣ, ସୁଗ୍ରୀବ, ଜାମ୍ବବାନ ସମେତ ଦେବାଦେବୀମାନଙ୍କ ଉପସ୍ଥିତି ଦୃଶ୍ୟକୁ ଅଧିକ ଜୀବନ୍ତ କରିଥିଲା। ଅଧର୍ମ ଉପରେ ଧର୍ମ, ଅସତ୍ୟ ଉପରେ ସତ୍ୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟ ଉତ୍ସବ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡ଼ଙ୍ଗୀ, ପାଳିଆ ପଣ୍ଡା, ପୁଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ଓ ଅନ୍ୟାନ୍ୟ ସଦସ୍ୟ ଗଣ, ସୁଆର ସେବକ ପରିଷଦ ସଭାପତି ଓ ସଦସ୍ୟଙ୍କ ସହଯୋଗ ଏବଂ ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ସମସ୍ତ ନୀତିକାର୍ଯ୍ୟ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଯାତ୍ରାକୁ ଶୃଙ୍ଖଳିତ ରଖିବା ତଥା ଶ୍ରଦ୍ଧାଳୁ ମାନଙ୍କ ନିର୍ଭୟ ଦର୍ଶନ ଉଦେଶ୍ୟରେ ଓଡଗାଁ ଆଇଆଇସି ନାରାୟଣ ବାରିକଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ତେବେ ମଙ୍ଗଳବାର ବନବାସ ବେଶ ଠାରୁ ପ୍ରତ୍ୟହ ଅପରାହ୍ନରେ କାଳବୈଶାଖୀ ବର୍ଷାର ପ୍ରଭାବ ଯାତ୍ରା ଦର୍ଶନ ପାଇଁ କେତେକାଂଶରେ ବ୍ୟାଘାତ ସୃଷ୍ଟି କରିଥିଲେ ମଧ୍ୟ ପ୍ରତ୍ୟହ ବହୁ ଦୁରଦୁରାନ୍ତରୁ ଆସୁଥିବା ଯାତ୍ରି ଓ ଭକ୍ତମାନଙ୍କ ଭିଡ଼ ଅବିରତ ଜାରି ରହିଥିଲା।
ରାଜ୍ୟ
ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ଅନ୍ତିମ ସନ୍ଧ୍ୟା; ରାଜ୍ୟାଭିଷେକ ବେଶ ଦର୍ଶନ ଭକ୍ତଙ୍କୁ କରିଥିଲା ଆନନ୍ଦ ବିଭୋର
- Hits: 80








