ଭୁବନେଶ୍ୱର, ଏପ୍ରିଲ୍ ୬ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଓ ଇନଷ୍ଟିଟ୍ୟୁଟ ଅଫ୍ ବିଜିନେସ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍(ଆଇବିସିଏସ୍)ର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ବିଭିନ୍ନ ସଚେତନତା ବାର୍ତା ନେଇ ଭୁବନେଶ୍ୱର ନିକଟସ୍ଥ ଗ୍ରାମଗୁଡ଼ିକରେ ଏକ ସପ୍ତାହ ବ୍ୟାପୀ ଶିବିର ପରିଚାଳନା କରିଛନ୍ତି ।
କାର୍ଯ୍ୟକ୍ରମ ଗୁଡ଼ିକ ମଧ୍ୟରେ ଛାତ୍ରଛାତ୍ରୀମାନେ ଘର ଘର ବୁଲି ସାମାଜିକ ଓ ଅର୍ଥନୈତିକ ସର୍ଭେ, ସଚେତନତା ଅଭିଯାନ, ଅଗ୍ନି ସୁରକ୍ଷା ପ୍ରଶିକ୍ଷଣ, ସ୍ୱାସ୍ଥ୍ୟସେବା ଶିବିର, ଡିଜିଟାଲ ସ୍ୱାକ୍ଷରତା ଏବଂ ଏଆଇ ନେଇ ସଚେତନତା ବାର୍ତା ପ୍ରଦାନ କରିଛନ୍ତି ।
ମାର୍ଚ୍ଚ ୧୯ ରୁ ୨୫ ତାରିଖ ପର୍ଯ୍ୟନ୍ତ ଆଇଟିଇଆର୍ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଭୁବନେଶ୍ୱର ଉପକଣ୍ଠସ୍ଥ ହରପୁର ଗ୍ରାମରେ ସ୍ୱତନ୍ତ୍ର ଶିବିର ପରିଚାଳନା କରିଥିବା ବେଳେ ଆଇବିସିଏସ୍ର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାର୍ଚ୍ଚ ୧୮ ରୁ ୨୪ ତାରିଖ ପର୍ଯ୍ୟନ୍ତ ନୂଆଗାଁରେ ଶିବିର ସ୍ଥାପନ କରିଥିଲେ ।
ଆଇଟିଇଆରର ଛାତ୍ରଛାତ୍ରୀମାନେ ଅଭିନବ ‘ବାୟୋ ସେବା’ ବାର୍ତା ପ୍ରସାରିତ କରିଥିବା ବେଳେ ଏହା ମୁଖ୍ୟତଃ ବରିଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଦେବା ଉଦେ୍ଧଶ୍ୟରେ କରାଯାଇଥିଲା । ସ୍ୱେଚ୍ଛାସେବୀମାନେ ବରିଷ୍ଠ ନାଗରିକଙ୍କ ସହ ସମୟ ବିତାଇ ସେମାନଙ୍କର ଯତ୍ନ ନେଇଥିଲେ ଏବଂ ଏଥି ସହିତ ସେମାନଙ୍କର ଆବଶ୍ୟକତାକୁ ପୂରଣ କରିବା ଦିଗରେ ପରିବାରବର୍ଗଙ୍କୁ ବୁଝାଇଥିଲେ ।
ସେହିପରି ସ୍ୱେଚ୍ଛାସେବୀମାନେ ଗ୍ରାମର ୬ଟି ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ପରିବେଷଣ କରି ବାଲ୍ୟ ବିବାହ, ଯୋ÷ତୁକ ପ୍ରଥା, ସଫେଇ, ଋତୁସ୍ରାବ ସମୟରେ ସ୍ୱଚ୍ଛତା ଏବଂ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ନେଇ ଭୋଟ ଦାନ ଅଧିକାର ସମ୍ପର୍କରେ ବୁଝାଇଥିଲେ ବୋଲି ଏନ୍ଏସ୍ଏସ୍ର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର କମଳ ଲୋଚନ ମହାନ୍ତ କହିଛନ୍ତି ।
ଆଇବିସିଏସ୍ର ସ୍ୱେଚ୍ଛାସେବୀମାନଙ୍କ ସହିତ ଅନୁଷ୍ଠାନର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇ ଏକତା ଓ ଶୃଙ୍ଖଳା ସମ୍ପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ଶ୍ରୀ ଅନନ୍ତ ପ୍ରସାଦ ନନ୍ଦ ଉପସ୍ଥିତ ଥିଲେ ।
କରାଯାଇଥିବା ସର୍ଭେରେ ପରିବାର ଗୁଡ଼ିକର ଜୀବନଶୈଳୀର ସ୍ତର, ଅର୍ଥନୈତିକ ଅବସ୍ଥା ଓ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଜଣାପଡ଼ିଥିଲା । ସ୍ୱେଚ୍ଛାସେବୀମାନେ ସ୍ଥାନୀୟ ଏକ ବିଦ୍ୟାଳୟରେ ଶାରୀରିକ ପରିଚ୍ଛନ୍ନତା ଏବଂ ପରିବେଶ ସୁରକ୍ଷା ବିଷୟରେ ବୁଝାଇଥିଲେ ।
ରାଜ୍ୟ
ସଫେଇ ସଚେତନତା ନେଇ ଗ୍ରାମାଂଚଳରେ ସପ୍ତାହ ବ୍ୟାପୀ ଶିବିର ପରିଚାଳନା କଲେ ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ
- Hits: 8








