ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୨୧ ଜାନୁଆରୀ ୧ ବର୍ଷର ଆରମ୍ଭ ହୋଇଥିବା ବେଳେ ଏହାକୁ ବିଭିନ୍ନ ଢ଼ଙ୍ଗରେ ଜନସାଧାରଣ ପାଳନ କରିଥିବାର ପରିଲକ୍ଷିତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ିସେମ୍ବର ୩୧ ରାତି ୧୦ରୁ ୨୦୨୧ ଜାନୁଆରୀ ୧ ପର୍ଯ୍ୟନ୍ତ ନବ ବର୍ଷ ସ୍ୱାଗତ ଉତ୍ସବ ପାଳନ ଉପରେ ଜିଲ୍ଲାରେ ଥିବା ସମସ୍ତ ହୋଟେଲ, ରେଷ୍ଟୋରାଣ୍ଟ, କ୍ଲବ, କଲ୍ୟାଣ ମଣ୍ଡପ, ପାର୍କ, ସମ୍ମିଳନୀ କକ୍ଷ ଓ ସର୍ବସାଧାରଣ ଆଦି ସ୍ଥାନମାନଙ୍କରେ ଜନଗହଳି କାର୍ଯ୍ୟକ୍ରମ ଆୟୋଜନ ନ କରିବା ପାଇଁ କଟକଣା ଜାରି କରିଥିବା ବେଳେ ଜନସାଧାରଣ ବଣ ଭୋଜି ଓ ଶିମିଳିପାଳ ଅଭୟାରଣ୍ୟ ବୁଲିବା ଉପରେ ଅଧିକ ଗୁରୁତ୍ୱ ଦେଇଥିବାର ଜଣାପଡ଼ିଛି । ଆଜି ଶିମିଳିପାଳ ଅଭୟାରଣ୍ୟର ଯଶୀପୁର ଫାଟକ ମଧ୍ୟ ଦେଇ ୬୮ଟି ଚାରି ଚକିଆ ଯାନରେ ୪୦୫ ଜଣ ପର୍ଯ୍ୟଟକ ଓ ଶାମାଖୁଣ୍ଟା ବ୍ଲକର ପିଠାବଟା ପ୍ରବେଶ ପଥ ମଧ୍ୟ ଦେଇ ୪୦ଟି ଚାରିଚକିଆ ଯାନରେ ୩୧୧ ଜଣ ପର୍ଯ୍ୟଟକ ଏହିପରି ମୋଟ ୭୧୬ ଜଣ ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟକୁ ବୁଲି ଯାଇଥିବାର ଜଣାପଡ଼ିଛି । ସେହିପରି ଜିଲ୍ଲାର ଭୀମକୁଣ୍ଡ, ଦେବକୁଣ୍ଡ, ସୀତାକୁଣ୍ଡ, ବ୍ରାହ୍ମଣୀ କୁଣ୍ଡ, ରାମତୀର୍ଥ, ବାଲିଡ଼ିହା ବନ୍ଧ, କାଳିଆଖାଳ, ହଳଦିଆ ବନ୍ଧ, ଦେଉଳି ବନ୍ଧ, ବଡ଼ଯୋଡ଼ ବନ୍ଧ, ଶମୀବୃକ୍ଷ, କାଳ ଡେମ, ସୁନ ଡେମ, ସୁଲେପାଟ ବନ୍ଧ ଆଦି ବିଭିନ୍ନ ସ୍ଥାନମାନଙ୍କର ବଣ ଭୋଜି ନିମନ୍ତେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପୁଣି ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ମନ୍ଦିର, ମା ଅମ୍ବିକା ମନ୍ଦିର, ସିରିଡ଼ି ସାଇବାବା ମନ୍ଦିର ସହିତ ଶୁକୃଳି ବ୍ଲକସ୍ଥିତ କିଚକେଶ୍ୱରୀ ମନ୍ଦିର ଆଦ ସହିତ ଜିଲ୍ଲାରେ ଥିବା ବିଭିନ୍ନ ଦେବାଳୟରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କରୋନା କଟକଣା କାରଣରୁ ଜିଲ୍ଲାରେ ଥିବା ସମସ୍ତ ମଠ ମନ୍ଦିରରେ ଦେବାଦେବୀମାନଙ୍କ ପୂଜାର୍ଚ୍ଚନା କରିବାର ସୁଯୋଗ ପାଇ ନ ଥିଲେ ମଧ୍ୟ ମନ୍ଦିର ବାହାରେ ଆଜି ସକାଳଠାରୁ ଭକ୍ତମାନଙ୍କ ଗହଳି ଲାଗି ରହିଥିଲା ।