ନୂଆଁ ମନ, ନୂଆ ସପନ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଭିଡ
ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅଧିନସ୍ତ ବରପଦର ଗ୍ରାମ ମୁଣ୍ଡରେ ଘୁଗୁରା ପାହାଡର ପାଦ ଦେଶର ଏକ ମନୋରମ ପରିବେଶରେ ମେଲଛାମୁଣ୍ଡା ପୁଲିସ ତରଫରୁ ସନିବାର ଦିନ ଏକ ଜନ ସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ସବଇନ୍ସପେକ୍ଟର ପ୍ରଦୀପ କୁମାର ସାହୁଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ବରଗଡ ଆରକ୍ଷୀ ଅଧିକ୍ଷକ ପଦ୍ମୀନି ସାହୁ, ଏସଡିପିଓ ପ୍ରଦୀପ କୁମାର ସାହୁ, ପଦ୍ମଶ୍ରୀ ହଳଧର ନାଗ, ସାଲେପାଲି ସରପଂଚ ଆରତୀ ଭୋଇ ପ୍ରମୁଖ ଆମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆମନ୍ତ୍ରୀତ ଅତିଥି ମାନେ ଉପସ୍ଥିତ ଜନସାଧାରଣଙ୍କୁ ପୁଲିସ ବିଭାଗର ଜନ ସଂପର୍କ ଶିବିରର ଉଦେଶ୍ୟ ଜ୍ଞାପନ କରିବା ସହ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ପୁଲିସ ବିଭାଗ ଉପରେ ବିଶ୍ୱାସ ରଖି ଗ୍ରାମଂଚଳରେ ଘଟୁଥିବା ଅସାମାଜିକ କାର୍ଯ୍ୟକଳାପକୁ ମିଳିତ ଭାବେ ବନ୍ଦ କରିବା ଏବଂ ଯୁବ ଗୋଷ୍ଠୀଙ୍କୁ ଉଚିତ ମାର୍ଗ ଦର୍ଶନ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ଏହି ଅବସରରେ ମେଲଛାମୁଣ୍ଡା, କେଲେଣ୍ଡା, ବରପଦର, ସାଲେପାଲି, ପଣ୍ଡକିପାଲି, ବିଜାପାଲି, ଟେଙ୍ଗେରପଦର ଆଦି ଗ୍ରାମର ସ୍କୁଲ ଛାତ୍ର ଛାତ୍ରୀ ମାନେ ନାଚ, ଗୀତ, ହାସ୍ୟ ଅଭିନୟ ଓ ବକୃତା ପ୍ରଦର୍ଶନ କରି ଉପସ୍ଥିତ ଜନସାଧାରଣଙ୍କ ମନ ମୋହିନେଇଥିଲେ । ମନୋରଂଜନ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ର/ଛାତ୍ରୀଙ୍କୁ ଶିବିର ତରଫରୁ ସ୍କୁଲ ବ୍ୟାଗ, ଖାତା,କଲମ ଆଦି ପ୍ରଦାନ କରି ଉତ୍ସାହିତ କରାଯାଇଥିଲା । ପୁଲିସ ତରଫରୁ ଅଂଚଳର ଶତାଧିକ ବୃଦ୍ଧ/ବୃଦ୍ଧାଙ୍କୁ କମ୍ବଳ, ଶାଢୀ, ଧୋତି ବଂଟନ କରାଯାଇଥିଲା । ଶିବିର ତରଫରୁ ଅୟୋଜିତ କରାଯାଇଥିବା ସ୍ୱାସ୍ଥ୍ୟ ଶିବିରରେ ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଫିସର ମାନଙ୍କ ଦ୍ୱାରା ୧୫୪ ଜଣ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣାରେ ଓøଷଧ ପାଇପାରିଥିଲେ । ଯୁବ ଗୋଷ୍ଠୀଙ୍କୁ ଆକୃଷ୍ଟ କରିବା ପାଇଁ ଶିବିର ତରଫରୁ ଏକ କ୍ରିକେଟ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଥିଲା । ଏଥିରେ ମେଲଛାମୁଣ୍ଡା, କେଲେଣ୍ଡା, ବରପଦର ଓ ଜାମପାଲି ଆଦି ଗ୍ରାମର ଦଳ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ମେଲଛାମୁଣ୍ଡା ଏବଂ ବରପଦର ଦଳ ମଧ୍ୟରେ ଅନୁଷ୍ଠିତ ହୋଇ ମେଲଛାମୁଣ୍ଡା ଦଳ ଚଂପିଆନ ହୋଇଥିଲେ । ଖେଳରେ ଭାଗ ନେଇଥିବା ସମସ୍ତ ଖେଳାଲିଙ୍କୁ ଆମନ୍ତ୍ରୀତ ଅତିଥି ମାନେ କ୍ରିକେଟ ପୋଷାକ ଏବଂ ଖେଳ ସାମଗ୍ରୀ ପ୍ରଦାନ କରିଥିଲେ । ଶିବିରରେ ଆଖ ପାଖ ଗ୍ରାମର ଦୁଇ ହଜାରରୁ ଉର୍ଦ୍ଧ ସଂଖ୍ୟାରେ ଆବାଳ ବୃଦ୍ଧ ବନୀତା ଯୋଗ ଦେଇଥିଲେ । ପୁଲିସ ବିଭାଗ ତରଫରୁ ସମସ୍ତଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଶେଷରେ ଏଏସ.ଆଇ ଧରୁଆ ଧନ୍ୟବାଦ ଜ୍ଞାପନ କରିଥିଲେ ।