ଝାରସୁଗୁଡ଼ା :(ସୁଭାଷ ସହାରେ): ଗତ ୨୪ ତାରିଖରେ ନୟାଗଡ଼ ଜିଲ୍ଲା ଯଦୁପୁରରେ ଏକ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ନନ୍ଦିଘୋଷ ଚ୍ୟାନେଲର ସମ୍ବାଦଦାତା ଓ କ୍ୟାମେରାମେନଙ୍କୁ ଆକ୍ରମଣକୁ ଝାରସୁଗୁଡ଼ା ପ୍ରେସ କ୍ଲବ ତରଫରୁ ନିନ୍ଦା କରାଯାଇଛି। ଏହି ପରିପ୍ରେକ୍ଷୀରେ ଦୋଷୀମାନଙ୍କୁ ଗିରଫ କରିବା ପାଇଁ ଓ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଦାବୀ କରି ସେମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ ନୟାଗଡ଼ ଜିଲ୍ଲାର ଯଦୁପୁରରେ ଗତ ୨୪ ଡିସେମ୍ବରରେ ଜଣେ ନନ୍ଦିଘୋଷ ଚ୍ୟାନେଲର ସାମ୍ବାଦିକ ଅନୁଜ ଦାସ ଓ ତାଙ୍କ ସହିତ ଯାଇଥିବା କ୍ୟାମେରାମେନ ବିଷ୍ଣୁ ତରସିଆଙ୍କ ଉପରେ ବିଜେପି କର୍ମୀମାନେ ଆକ୍ରମଣ କରି ସେମାନଙ୍କୁ ମାଡ଼ ମାରି ତାଙ୍କର କ୍ୟାମେରା ଓ ଗାଡ଼ି ଭଙ୍ଗାରୁଜା କରିଥିଲେ। ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନେବାକୁ ସେମାନେ ଏହି ପତ୍ରରେ ଲେଖି ଜଣାଇଛନ୍ତି। ଅନ୍ୟ ପକ୍ଷରେ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି।