ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଥାନା ଅନ୍ତର୍ଗତ ଅର୍ଡା ପଞ୍ଚାୟତର ଏକ ଗ୍ରାମରେ ଏକ ବାଲ୍ୟବିବାହକୁ ପୋଲିସ ସହାୟତାରେ ରୋକିବାକୁ ସମର୍ଥ ହେଲେ ଚାଇଲ୍ଡଲାଇନ। ବିଗତ କେତେ ମାସ ଭିତରେ ଏହିପରି ବାଲ୍ୟବିବାହକୁ ରୋକିବା ପାଇଁ ଚାଇଲ୍ଡଲାଇନ ତରଫରୁ ହେଉଥିବା ପ୍ରୟାସକୁ ଝାରସୁଗୁଡ଼ା ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଛି।
ସୂଚନା ଅନୁସାରେ, ସୁନ୍ଦରଗଡ଼ ଅଞ୍ଚଳର ଏକ ଗ୍ରାମର ଜଣେ ୧୬ ବର୍ଷ ବୟସ୍କା ନାବାଳିକା ଅର୍ଡା ନିକଟସ୍ଥ ଏହି ଗ୍ରାମର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ତା ପରେ ସେ ଏହି ଯୁବକଙ୍କ ଘରକୁ ଚାଲି ଆସି ରହୁଥିଲେ। ଶେଷରେ ଯୁବକଙ୍କ ପରିବାର ଯୁବତୀ ସହ ନିଜ ପୁଅର ବିବାହ କରିବା ପାଇଁ ରାଜି ହୋଇ ପ୍ରସ୍ତୁତ ହୋଇଥିଲେ। ମାତ୍ର ଏହି ବିବାହ ବିଷୟରେ ଚାଇଲ୍ଡଲାଇନର ୧୦୯୮ ରେ ଖବର ଆସିବା ପରେ ଚାଇଲ୍ଡଲାଇନ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା, ସଦସ୍ୟ ଡୋଳାମଣି ସେଠ ଓ ଜ୍ୟୋତ୍ସ୍ନା ପ୍ରଧାନ ଓ ଆଇସିଡିଏସ ସୁପରଭାଇଜରଙ୍କ ସହ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ଆଙ୍ଗନୱାଡ଼ି କର୍ମଚାରୀ ମଧ୍ୟ ଉପସ୍ଥିତ ରହିଥିଲେ। କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ଉଭୟପକ୍ଷଙ୍କୁ ବାଲ୍ୟବିବାହ ସମ୍ବନ୍ଧୀୟ ସମସ୍ତ ଆଇନକାନୁନ,ଏହାର କୁପରିଣାମ ଓ ଦଣ୍ଡବିଧାନ ସମ୍ପର୍କରେ ବୁଝାଇଥିଲେ। ନାବାଳିକାକୁ ୧୮ ବର୍ଷ ହେବା ପରେ ସମ୍ପୃକ୍ତ ଯୁବକ ସହ ବିବାହ କରାଇବା ପାଇଁ ଝିଅର ପରିବାର ଲୋକେ ମଧ୍ୟ ରାଜି ହୋଇଥିଲେ। ଏହାପରେ ନାବାଳିକାକୁ ଲଇକେରା ଥାନାରେ ଉପସ୍ଥିତ କରାଇ ଏକ ଷ୍ଟେସନ ଡାଏରୀ କରାଯିବା ପରେ ଶିଶୁ ମଙ୍ଗଳ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥିତ କରାଯାଇଥିଲା। ଶେଷରେ କମିଟିର ଆଦେଶ ଅନୁଯାୟୀ ନାବାଳିକାର ପିତା ଏକ ରାଜିନାମାରେ ସ୍ବାକ୍ଷର କରିବା ପରେ ଝିଅକୁ ତାର ବାପାଙ୍କୁ ହସ୍ତାନ୍ତର କରାଯାଇଥିଲା।