-
କୋଭିଡ କଟକଣା ଭିତରେ ଝାରସୁଗୁଡ଼ା ମହୋତ୍ସବ ଦୁଲଦୁଲି ନେଇ ଅନିଶ୍ଚିତତା।
-
ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ: ଆୟୋଜକ
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାର ପ୍ରତିଷ୍ଠା ଦିବସରେ ଅନୁଷ୍ଠିତ ହୋଇ ଆସୁଥିବା ଝାରସୁଗୁଡ଼ା ମହୋତ୍ସବ "ଦୁଲଦୁଲି"ର ଏ ବର୍ଷ ଆୟୋଜନ ହେବା ନେଇ ସନ୍ଦେହ ଉପୁଜିଛି। ପ୍ରତ୍ୟେକ ବର୍ଷ ମାସ ମାସ ପୂର୍ବରୁ ଏହାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମର ରୂପରେଖ ଓ ଯୋଜନା ଚୂଡ଼ାନ୍ତ ପର୍ଯ୍ୟାୟରେ ଥବା ବେଳେ ଏ ବର୍ଷ ଏହାକୁ ନେଇ ଏକ ପ୍ରସ୍ତୁତି ବୈଠକଟିଏ ମଧ୍ୟ ହୋଇପାରି ନାହିଁ ବୋଲି ଜଣା ପଡ଼ିଛି। ତେଣୁ ଆସନ୍ତା ବର୍ଷ ଏହି କାର୍ଯ୍ୟକ୍ରମ ହେବ କି ନାହିଁ ତାହା କମିଟିର ସଦସ୍ୟ ଓ ଜିଲ୍ଲାପାଳଙ୍କ ଆଲୋଚନା ସଭା ପରେ ହିଁ ଜଣା ପଡ଼ିବ ବୋଲି ଆୟୋଜକମାନେ କହିଛନ୍ତି।
ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ଜିଲ୍ଲାର ମହୋତ୍ସବ ଦୁଲଦୁଲି ପ୍ରତ୍ୟେକ ବର୍ଷ ଜାନୁଆରୀ ମାସ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ। ଜିଲ୍ଲା,ରାଜ୍ୟ ଓ ରାଜ୍ୟ ବାହାରରୁ ଅନେକ କଳାକାରଙ୍କ ସମାଗମ ଏହି ମହୋତ୍ସବକୁ ରଙ୍ଗାରଙ୍ଗ କରି ଦେଇଥାଏ। ଝାରସୁଗୁଡ଼ାବାସୀ ବର୍ଷେ ଧରି ଉତ୍ସୁକତାର ସହ ଏହାର ପ୍ରତୀକ୍ଷା କରିଥାନ୍ତି। ମାତ୍ର ମହାମାରୀ କୋରୋନା ଏ ବର୍ଷ ସମସ୍ତ ଉତ୍ସବ ଉପରେ କଟକଣା ଲଗାଇ ଦେଇଥିବାରୁ ଦୁଲଦୁଲି ମଧ୍ୟ ଏହାର ପ୍ରଭାବରୁ ମୁକ୍ତ ହେବାର ସମ୍ଭାବନା କମ ଦିଶୁଛି।