ବଡ଼ବିଲ (ଶାସକ ପ୍ରଶାସକ) କେନ୍ଦୁଝର ଜିଲା ବଡବିଲ ଆଇନଜୀବୀ ସଂଘର କାର୍ଯ୍ୟକାରିଣୀ ନିର୍ବାଚନ ପ୍ରକ୍ରିୟା ଶନିବାର ସନ୍ଧ୍ୟାରେ ଶେଷ ହୋଇଛି। ନିର୍ବାଚନରେ ସଭାପତି ଭାବେ ତ୍ରିବେଣୀ ଗିରି ଏବଂ ସମ୍ପାଦକ ଭାବେ ଦେବପ୍ରିୟ ରଣା ନିର୍ବାଚିତ ହୋଇଥିବା ଜଣାପଡିଛି ।
ରାଜ୍ୟ ବାର କାଉନସିଲ ନିର୍ଦ୍ଦେଶାନୁଯାୟୀ, ରାଜ୍ୟବ୍ୟାପୀ ଆଇନଜୀବୀ ସଂଘ ଗୁଡିକର ନିର୍ବାଚନ ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ହେବାକୁ ସ୍ଥିରୀକୃତ ହୋଇଥିଲାବେଳେ କୋଭିଡ-୧୯ କଟକଣା ଯୋଗୁଁ ନିର୍ବାଚନ କରା ନ ଯାଇ ଇଂଟେରିମ କମିଟି ଗଠନ କରାଯାଇ କାର୍ଯ୍ୟ ନିର୍ବାହ ହେଉଥିଲା । ପୁନଃ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟବ୍ୟାପୀ ଗତ ନଭେମ୍ବର ୧୭ ତାରିଖରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୧୨ ତାରିଖ ଶନିବାର ଦିନ ମତଦାନ ହୋଇଥିଲା । ସକାଳ ୮ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ପାଇଁ ସମୟ ରହିଥିଲାବେଳେ ମୋଟ ୬୩ ଜଣ ଆଇନଜୀବୀ ମତଦାନ ଦେଇଥିଲେ । ତେବେ ଏହି ନିର୍ବାଚନରେ ନିଦ୍ଦ୍ୱର୍ନ୍ଦରେ ସଭାପତି ଭାବେ ତ୍ରିବେଣୀ ଗିରି, ଉପସଭାପତି ଭାବେ ଧିରେନ୍ଦ୍ର କୁମାର ଦଳାଇ, ଯୁଗ୍ମ ସମ୍ପାଦକ ଭାବେ ପ୍ରଦୀପ କୁମାର ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋଜ କୁମାର ସିଂହ, ବସନ୍ତ କୁମାର ମହାପାତ୍ର, ଗାୟତ୍ରୀ କୁନାର ବାବୁ, ଶୁଭେନ୍ଦୁ କୁମାର ଗିରି, ରମେଶ ଚନ୍ଦ୍ର କାରୁଆ ନିର୍ବାଚିତ ହୋଇଥିବାବେଳେ କେବଳ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦବୀ ନିମନ୍ତେ ମତଦାନ ହୋଇଥିଲା । ସମ୍ପାଦକ ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିିତା କରୁଥିବା ପ୍ରାର୍ଥୀ ପ୍ରଦୀପ୍ତ କୁମାର ଧଳ ମୋଟ ୧୫ ଖଣ୍ଡ ଭୋଟ ହାତେଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ଦେବପ୍ରିୟ ରଣା ୪୭ ଖଣ୍ଡ ଭୋଟ ହାତେଇ ବିଜୟୀ ହୋଇ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି କୋଷାଧ୍ୟକ୍ଷ ପଦବୀ ନିମନ୍ତେ ପ୍ରତିଦ୍ୱନ୍ଦିିତା କରୁଥିବା ପ୍ରାର୍ଥୀ ତରୁଣ କୁମାର ସେନ ମୋଟ ୨୮ ଖଣ୍ଡ ଭୋଟ ହାତେଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ମିହିର କୁମାର ନାମତୋଆର ମୋଟ ୩୫ ଖଣ୍ଡ ଭୋଟ ହାତେଇ ବିଜୟୀ ହୋଇ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବଡବିଲ ଆଇନଜୀବୀ ସଂଘର ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ସଦସ୍ୟ ଶ୍ରୀକୃଷ୍ଣ ଦାସ, ପ୍ରିଜାଇଡିଂ ଅଫିସର ଭାବେ ପରମେଶ୍ୱର ଭୁକ୍ତା ଏବଂ ପୋଲିଂ ଅଫିସର ଭାବେ ରଘୁନାଥ ବାରିକ ଦାୟିତ୍ୱ ତୁଲାଇଥିବା ଜଣାପଡିଛି ।