ସାରାବଙ୍ଗ ମଣ୍ଡିରେ ଟୋକନ ବିଭ୍ରାଟ.ପେକ୍ସ ସମ୍ପାଦକ, ଡିଇଓଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ ପୁରୋହିତ) : ସଦର ବ୍ଲକ ସାରାବଙ୍ଗ ମଣ୍ଡିରେ ଟୋକନ ବିଭ୍ରାଟ ଦେଖା ଦେଇଛି । ଏହା ଉପରେ ଜିଲ୍ଲାପାଳ ସ୍ୱଧାଦେବ ସିଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାରାବଙ୍ଗ ପେକ୍ସ ସମ୍ପାଦକ ଭିଷ୍ମ କୁମାର ସାହୁ ଓ ଡାଟା ଏଣ୍ଟ୍ରି ଅପରେଟର(ଡିଇଓ) ପୂର୍ଣ୍ଣେନ୍ଦ୍ର ଦଣ୍ଡସେନାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଉଭୟ ଅଧିକାରୀ ନିଲମ୍ବିତ ହେବା ପରେ ଏଆରସିଏସ ଅଧିକାରୀ ଭୀକାରି ସେଠ ଧାନ ସଂଗ୍ରହ କରୁଛନ୍ତି । 

    ଗତ ୨ ତାରିଖରେ ଜିଲ୍ଲାପାଳ ସ୍ୱଧାଦେବ ସିଂ ସାରାବଙ୍ଗ ମଣ୍ଡିକୁ ପରିଦର୍ଶନ କରି ଧାନ ସଂଗ୍ରହ ପ୍ରକ୍ରିୟା ଉପରେ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସେଠାରେ ଚାଷି ମାନଙ୍କୁ ଉଚିତ ସମୟରେ ଟୋକନ ମିଲୁ ନ ଥିବା ଚାଷି ଅଭିଯୋଗ କରିଥିଲେ । ଧାନ ବିକ୍ରିର ପୂର୍ବ ଦିନ ଚାଷିଙ୍କୁ ଟୋକନ ମିଲୁଥିବାରୁ ଚାଷି ଉଚିତ ସମୟରେ ମଣ୍ଡିକୁ ଧାନ ଆଣି ପାରୁନାହାନ୍ତି । ଅନ୍ୟପକ୍ଷେ ମଣ୍ଡିକୁ ଧାନ ଆଣିବାର ୩/୪ ଦିନ ପରେ ଧାନ ବିକ୍ରି ହେଉଛି । ଏବେ ଶୀତ କାକରରେ ଚାଷି ଧାନକୁ ରାତି ସାରା ଜଗି ରହୁଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏସିଏସଓ ଥଣ୍ଡୁରାମ ନାଏକଙ୍କୁ ଏହି ଘଟଣାର ନିରପେକ୍ଷ ସରଜମିନ ତଦନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗତ କାଲି ଏସିଏସଓ ଶ୍ରୀ ନାଏକ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି ରିପୋର୍ଟ ଆଧାରରେ ଜିଲ୍ଲାପାଳ ସାରାବଙ୍ଗ ପେକ୍ସ ସମ୍ପାଦକ ଶ୍ରୀ ସାହୁ ଓ ଡିଇଓ ଶ୍ରୀ ଦଣ୍ଡସେନାଙ୍କୁ କାର୍ଯ୍ୟରେ ଅବହେଳା କରିଥିବା ଦର୍ଶାଇ ନିଲମ୍ବିତ କରିଥିଲେ । ଅନ୍ୟପକ୍ଷେ ଗତ ୨ ତାରିଖ ଠାରୁ ମଣ୍ଡିରେ ୨୦ ଜଣ ଚାଷିଙ୍କ ପ୍ରାୟ ୩ ହଜାର ବସ୍ତା ଧାନ ଗଚ୍ଛିତ ହୋଇ ରହିଛି । 

ଚାଷି ମାନେ ଧାନ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣିଥିଲେ । ପୂର୍ବାହ୍ନରେ ଧାନ ସଂଗ୍ରହକୁ ନେଇ ଚାଷି ମଣ୍ଡିରେ ହୋ ହାଲ୍ଲା କରିବା ସହ ସିଏସଓ କୃଷ୍ଣଚନ୍ଦ୍ର ସେଠିଙ୍କୁ ଅଭିଯୋଗ କରିଥିଲେ । ଅନ୍ୟପକ୍ଷେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଖବର ପାଇ ମଣ୍ଡିରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ସେଠି ଧାନ ସଂଗ୍ରହକୁ ନେଇ ଚାଷିଙ୍କ ସହ ଆଲୋଚନା କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ମଣ୍ଡିରେ ଧାନ ସଂଗ୍ରହ କରିବାକୁ ଏଆରସିଏସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମଧ୍ୟାହ୍ନରେ ଏଆରସିଏସ ଭିକାରୀ ସେଠ ନିଜ ଅଧିକାରୀ ମାନଙ୍କୁ ନେଇ ସାରାବଙ୍ଗ ମଣ୍ଡିରେ ପହଂଚି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯୋଗାଣ ନିରୀକ୍ଷକ ଗୋକୁଲ ସାହୁ ଡିଇଓ କାର୍ଯ୍ୟ ତୁଳାଇ ଚାଷିଙ୍କ ତାଲିକା ପ୍ରସ୍ତୁତ କରିଥିଲେ । ମଧ୍ୟାହ୍ନରେ ହେମାଲି ମାନେ ଅନୁପସ୍ଥିତ ରହିବାରୁ ଧାନ ସଂଗ୍ରହ ହୋଇ ପାରିନଥିଲା । ସନ୍ଧ୍ୟାରେ ହେମାଲି ମାନେ ପହଂଚିବାରୁ ଧାନ ସଂଗ୍ରହ ଆରମ୍ଭ ହୋଇଛି । ସେହିପରି ଖୁଟମନଭେରା ମଣ୍ଡିରେ ଯୋଗାଣ ନିରୀକ୍ଷକ ଯଶୋବନ୍ତରାଜ ମାଝି ପରିଚାଳନା ଦାୟିତ୍ୱ ନେଇ ଧାନ ସଂଗ୍ରହ କରୁଛନ୍ତି । ଗତ ବର୍ଷ କାର୍ଯ୍ୟରେ ଅବହେଳା ପାଇଁ ସାରାବଙ୍ଗ ପେକ୍ସ ସମ୍ପାଦକ ଶ୍ରୀ ସାହୁ ଓ ଡିଇଓ ଶ୍ରୀ ଦଣ୍ଡସେନାଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଥିଲେ ।  

 

0
0
0
s2sdefault