ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ବ ଏଡସ ଦିବସ ପାଳିତ ହୋଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଵିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଝାରସୁଗୁଡ଼ା ମୂଖ୍ୟ ଚିକିତ୍ସାଳୟରେ ସିଡିଏମଓ ଜଗଦୀଶ ଚନ୍ଦ୍ର ବାରିକଙ୍କ ସଭାପତିତ୍ବରେ ଏକ ସଚେତନତା ସଭା ଅନୁଷ୍ଠିତ କରାଯାଇଥିଲା। ଏହା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଡସ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଯାନକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା।
ଏତଦବ୍ୟତୀତ ବେଲପାହାଡ଼ର ଟିଆରଏଲ ଡାକ୍ତରଖାନାରେ ମଧ୍ୟ ଏହି ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଜାହାଙ୍ଗୀର ମେଡିକାଲର ସମସ୍ତ କର୍ମୀ ପ୍ଲାକାର୍ଡ ଓ ରଙ୍ଗୋଲି ମାଧ୍ୟମରେ ଏଡସ ବିଷୟରେ ସଚେତନତା ସୃଷ୍ଟି କରିଥିଲେ।ମେଡିକାଲର ପ୍ରଶାସନିକ ଅଧିକାରୀ ଶ୍ରୀ ଅନିରୁଦ୍ଧ ମିଶ୍ରଙ୍କ ତତ୍ତ୍ବାବଧାନରେ ସମସ୍ତ କର୍ମଚାରୀ ଉତ୍ସାହର ସହିତ ଭାଗ ନେଇଥିଲେ। ଶ୍ରୀ ମିଶ୍ର ଏହି ଅବସରରେ ଜଣାଇଥିଲେ ଯେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଆରଏଲ ମେଡିକାଲ ତରଫରୁ ଏହି ମହାମାରୀ ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଆଣିବାକୁ ପଦକ୍ଷେପ ନିଆଯାଇଥିଲା। କୋଭିଡ-19ର ନିୟମର ପାଳନ କରି ଏଥର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ଜିଲ୍ଲାରେ ବିଗତ ୧୭ ବର୍ଷରେ ୪୭ ଜଣ ଏଡସ ରୋଗୀଙ୍କର ମୃତ୍ୟୁ ହୋଇ ସାରିଛି। ଗତ ୨୦୦୭ ରେ ସର୍ବାଧିକ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦୯ ମସିହାରେ ସର୍ବାଧିକ ୩୦ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ଜିଲ୍ଲାରେ ଏ ଯାଏ ୨୬୧ ଜଣ ରୋଗୀ ଚିହ୍ନଟ ହୋଇସାରିଛନ୍ତି। ୨୦୧୯-୨୦ ରେ ୧୨,୭୫୬ଟି ନମୂନା ପରୀକ୍ଷା ହୋଇସାରିଥିବା ବେଳେ ଏ ମଧ୍ୟରୁ ୩୬ଟି ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୦୨୦-୨୧ ବର୍ଷର ଏପର୍ଯ୍ୟନ୍ତ ୮୪୧୫ଟି ନମୂନା ପରୀକ୍ଷା ହୋଇସାରିଥିବା ବେଳେ ୧୫ଟି ପଜିଟିଭ ବୋଲି ଜଣାପଡ଼ିଛି।