ଝାରସୁଗୁଡ଼ା :(ସୁଭାଷ ସହାରେ) -ସାମାଜିକ ଗଣମାଧ୍ୟମରେ ଯାହା ଚର୍ଚ୍ଚ ହେଉଛି ବା ଯାହା ଅଭିଯୋଗ ଆସୁଛି ଯଦି ସେଥିରେ ସତ୍ୟତା ଥାଏ ତେବେ ଏହା ସଂଘାତିକ ଆଉ କରୋନା ଯୋଦ୍ଧାଙ୍କ ପ୍ରତି ଘୋର ଅସମ୍ମାନ | କୋରୋନା ସଂକ୍ରମଣ ସମୟରେ ସରକାରମାନେ ଆଣି ଥୋଇଲେ ଗଦାଗଦା ଘୋଷଣା ଓ ପ୍ରତିଶ୍ରୁତି। କିଏ କୋଡ଼ିଏ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ତ କିଏ କୋଭିଡ ଯୋଦ୍ଧାଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କଲେ। ରାଜ୍ୟ ସରକାର କୋଭିଡ ଯୋଦ୍ଧାଙ୍କ ପାଇଁ ଯେଉଁ ପ୍ୟାକେଜ ସବୁ ଘୋଷଣା କଲେ, ତାହାକୁ ଲାଗୁ କରିବାର ସତ୍ୟତାକୁ ନେଇ ଅନେକ ଅନିଶ୍ଚିତତା ଓ ସନ୍ଦେହ ରହିଛି। ଦିନକୁ ଦିନ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଡାକ୍ତରମାନେ ସରକାରଙ୍କ ମୁଖା ଖୋଲିବା ଭଳି ଟ୍ବିଟ୍ କରି ଚାଲିଛନ୍ତି। ବର୍ତ୍ତମାନ ଏପରି ଏକ ଟ୍ବିଟ୍ ଆସିଛି କଟକ ଏସସିବି ମେଡିକାଲ କଲେଜରେ କାର୍ଯ୍ୟରତ ଜଣେ ପିଜି ଡାକ୍ତର ଅମିତ ଦାସ । ଗତ ପାଞ୍ଚମାସ ଧରି ପିଜି ଡାକ୍ତରମାନେ ଦରମା ପାଉନାହାଁନ୍ତି କି ଇନସେନ୍ଟିଭ୍ସ। ଏହା ପୂର୍ବରୁ ସରକାର ଡାକ୍ତରମାନଙ୍କୁ ଚାରି ମାସର ଦରମା ଆଗୁଆ ଦେବେ ବୋଲି କହିଥିଲେ ସୁଦ୍ଧା ମାସମାସ ଧରି ଦରମା ନ ପାଇ ଡାକ୍ତରମାନଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବା ସହ ମାନସିକ ଦୁଶ୍ଚିନ୍ତାର ଶୀକାର ହେଉଛନ୍ତି ବୋଲି ଡାକ୍ତର ଦାସ କହିଛନ୍ତି।
ଏବିଷୟରେ ମେଡିକାଲ କଲେଜର ପ୍ରିନ୍ସିପାଲ ଓ ଡିଏମଇଟିଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଅମିତ ଦାସଙ୍କର ଏହି ଅଭିଯୋଗକୁ ସମର୍ଥନ ଜଣାଇଥିଲେ ଅନ୍ୟ କିଛି ଡାକ୍ତର। ଏହା ପୂର୍ବରୁ ମଧ୍ୟ ଆଉ ଜଣେ ଡାକ୍ତର ଗତ ୧୪ ଅକ୍ଟୋବରରେ ଏକ ଟ୍ବିଟ୍ କରି ବିଭିନ୍ନ ସିଡିଏମଓ ଅଫିସରେ କାର୍ଯ୍ୟରତ ପିଜି ଡାକ୍ତରମାନେ ଦୀର୍ଘ ଚାରି ମାସ ହେଲା ଦରମା ପାଉ ନଥିବା ଅଭିଯୋଗ ଆଣିଥିଲେ। ଏହି ଟୁଇଟକୁ ସେ ସ୍ବାସ୍ଥ୍ୟମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟକୁ ଟ୍ୟାଗ କରିଥିଲେ। ଏହା ସତ୍ତ୍ବେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କାହିଁକି ଚୁପ ଅଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଡାକ୍ତରମାନେ ପ୍ରଶ୍ନ ଉଠାଇବା ସ୍ବାଭାବିକ।