ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି” ବୈଠକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ୨୦୨୦-୨୧ ଖରିଫ ବର୍ଷର ଏଫ:ଏ:କ୍ୟୁ: ମାନର ଧାନ ସଂଗ୍ରହ ନିମନ୍ତେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ଓ ଜିଲ୍ଲା ଯୋଗାଣ ବିଭାଗର ମିଳିତ ଆନୁକୂଲ୍ୟରେ “ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି” ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । 

ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଏହି ବୈଠକରେ ଅଧ୍ୟକ୍ଷତା କରି ପ୍ରାରମ୍ଭରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇ ସରକାରଙ୍କ ଧାନ ସଂଗ୍ରହ ନୀତି ସମ୍ପର୍କରେ କହିଥିଲେ । ପରେ ଶୃଙ୍ଖଳିତ ଭାବେ ଧାନ ସଂଗ୍ରହ ପ୍ରକ୍ରିୟା ପରିଚାଳନା ନିମନ୍ତେ ଯୋଗାଣ ଓ ସମବାୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ ।

 ଅନ୍ୟପକ୍ଷରେ ଚାଷୀମାନେ ଯେଭଳି ଧାନ କ୍ରୟ ପ୍ରକ୍ରିୟାରେ ପ୍ରାପ୍ୟ ପାଇବାରେ କୌଣସି ପ୍ରକାର ହଇରାଣ ହରକତ ହୋଇ ଅସୁବିଧା ନ ଭୋଗିବେ ସେଥିପାଇଁ ଯତ୍ନବାନ ହେବାପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । 

ଜିଲ୍ଲା ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ଶ୍ରୀ ଅନାଦି ଚରଣ ସେଠୀ, ଚଳିତ ବର୍ଷ ଧାନ ସଂଗ୍ରହର କାର୍ଯ୍ୟ ଖସଡ଼ା ଓ ପ୍ରସ୍ତୁତିର ବିଭିନ୍ନ ଦିଗ ସମ୍ପର୍କରେ ବୈଠକରେ ଅବଗତ କରାଇଥିଲେ । ଅନ୍ୟପକ୍ଷରେ ଚଳିତ ବର୍ଷ ଏଫଏକ୍ୟୁ: ମାନର ଧାନର କ୍ୟୁଣ୍ଟାଲ ପ୍ରତି ମୂଲ୍ୟ ୧୮୬୮ ଟଙ୍କା ଧାର୍ଯ୍ୟ କରା ଯାଇଥିବା ବେଳେ ଗ୍ରେଡ “ଏ” ମାନର ଧାନ କ୍ୟୁଣ୍ଟାଲ ପ୍ରତି ମୂଲ୍ୟ ୧୮୮୮ ଟଙ୍କା ଧାର୍ଯ୍ୟ କରା ଯାଇଥିବା ସୂଚନା ଦେଇଥିଲେ । 

ଚଳିତ ଖରିଫ ଋତୁରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନ ବିକ୍ରୟ କରିବା ପାଇଁ ଅନଲାଇନରେ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ନାମ ପଞ୍ଜିକରଣ ପାଇଁ ସରକାରଙ୍କ ପକ୍ଷରୁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ସେହି ଅନୁଯାୟୀ ଜିଲ୍ଲାରେ ମୋଟ ୧୬,୦୭୮ ଜଣ ଚାଷୀ , ଅନଲାଇନରେ ସେମାନଙ୍କ ନାମ ପଞ୍ଜିକରଣ କରିଛନ୍ତି । 

ଚଳିତ ୨୦୨୦-୨୧ ଖରିଫ ଋତୁରେ ପଞ୍ଜିକୃତ ହୋଇଥିବା ମୋଟ ୧୬,୦୭୮ ଜଣ ଚାଷୀଙ୍କ ଠାରୁ ସମୁଦାୟ ୩୬ ହଜାର ୪୧୭.୯୧୦ ମେଟ୍ରିକ ଟନ ଧାନ ତଥା ୨୪.୪୦୦ ମେଟ୍ରିକ ଟନ ଚାଉଳ ସଂଗ୍ରହ କରାଯିବାକୁ ଲକ୍ଷ ଧାର୍ଯ୍ୟ ରଖାଯାଇଛି । ଏହି ସବୁ ଧାନ ତଥା ଚାଉଳ ଆରଏମସି: ମାଧ୍ୟମରେ ମୋଟ ୪୪ ଟି ପେକସ , ଚାଷୀଙ୍କ ଠାରୁ ଧାନ କ୍ରୟ କରାଯିବ । ଆସନ୍ତା ଡିସେମ୍ବର ମାସ ୨୩ ତାରିଖ ଠାରୁ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି ସର୍ବସମ୍ମତି କ୍ରମେ ବୈଠକରେ ଦିନ ଧାର୍ଯ୍ୟ ହୋଇଥିଲା ।

ଅନ୍ୟପକ୍ଷରେ ଚାଷୀମାନେ ପୂର୍ବରୁ ଟୋକେନ୍ ପାଇବା ୭ ଦିନ ମଧ୍ୟରେ ସେମାନଙ୍କ ଉତ୍ପାଦିତ ଧାନ କ୍ରୟ କରିବା ଧାର୍ଯ୍ୟ ହୋଇଥିଲା କିନ୍ତୁ ଚଳିତ ଥର ଏହି ଧାର୍ଯ୍ୟ ସମୟ ସୀମାକୁ ୧ ମାସ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ତେଣୁ ଚାଷୀମାନେ ଟୋକେନ୍ ପାଇବା ପରେ ଶେଷ ଦିନ ପର୍ଯ୍ୟନ୍ତ ଅପେକ୍ଷା ନ କରି ଆରମ୍ଭରୁ ହିଁ ମଣ୍ଡିକୁ ନେଇ ଧାନ ଦେଲେ ଧାନ ବିକିବା ପାଇଁ ଭିଡ଼ ହେବନାହିଁ । ଏଥିସହିତ ବର୍ତ୍ତମାନ କରୋନା ସମୟ ଚାଲିଥିବା ଯୋଗୁଁ ଧାନ ସଂଗ୍ରହ ବେଳେ କୋଭିଡ-୧୯ ଗାଇଡ଼ ଲାଇନ୍ ପାଳନ କରାଯିବ , ସମସ୍ତ ଚାଷୀ ମଣ୍ଡିକୁ ଧାନ ଆଣିବା ସମୟରେ ମାସ୍କ ପିଣ୍ଡିବା ବାଧ୍ୟତା ସହ ସେମାନଙ୍କ କରୋନା ସ୍କାନିଙ୍ଗ କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଉପଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ କୁମାର ଚୌଧୁରୀ , ଏସିଏସଓ: ଶତ୍ରୁଘନ ଗିରି , ଏସିଏସଓ: ମାନସ ରଞ୍ଜନ ପାତ୍ର , ଏଆରସିଏସ: ଶ୍ରୀ ପିଭି:ପ୍ରସାଦ ରାଓ, ଆରଏମସି: ସେକ୍ରେଟାରୀ ଶ୍ରୀ ଏଲ: ରଘୁବାବୁ , ଅଗ୍ରଣୀ ଚାଷୀ ଶ୍ରୀ ବସନ୍ତ ଦାସ , ବିଜୟ ଜେନା , ମଧୁବାବୁ ପ୍ରମୁଖଙ୍କ ସମେତ ବହୁ ଅଗ୍ରଣୀ ମିଲରସ ଯୋଗଦେଇ ସମସ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

0
0
0
s2sdefault