-
ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ବୈଠକ।
-
ଚୌକିପଡ଼ାଠାର ରେଲୱେ ଓଭରବ୍ରିଜ୍ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରାଯିବ।
-
ପୁରୁଣା ବସଷ୍ଟାଣ୍ଡ ପୂର୍ବଭଳି କାର୍ଯ୍ୟକ୍ଷମ ରହିବ।
ଝାରସୁଗୁଡ଼ା :( ସୁଭାଷ ସହାରେ) -ଝାରସୁଗୁଡ଼ାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଗାମୀ ଦିନରେ ଚୌକିପଡ଼ାରେ ଏକ ଓଭରବ୍ରିଜ୍ ନିର୍ମାଣ ଓ ପୁରୁଣା ବସଷ୍ଟାଣ୍ଡକୁ ପୂର୍ବଭଳି କାର୍ଯ୍ୟକ୍ଷମ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ସୂଚନାନୁସାରେ, ଝାରସୁଗୁଡ଼ା ଚୌକିପଡ଼ାଠାରେ ବହୁ ଦିନରୁ ଦାବୀ ହୋଇ ଆସୁଥିବା ଓଭରବ୍ରିଜ୍ ନିର୍ମାଣକୁ ଉଭୟ ପ୍ରଶାସନ ଓ ରେଲୱେ ବିଭାଗ ତରଫରୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଜିଲ୍ଲାପାଳଙ୍କ ଡିଏମଏଫ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଯୋଗଦେଇ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଏସପି ରାହୁଲ ପି ଆର, ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀ ଏହି ନିର୍ମାଣ ଉପରେ ସମ୍ମତ ହୋଇଥିଲେ। ପୂର୍ବରୁ ପୂର୍ତ୍ତ ବିଭାଗ ଓ ରେଲୱେ ବିଭାଗ ଦ୍ବାରା ଏହାର ଡିଜାଇନ ଅନୁମୋଦନ ଲାଭ କରି ସାରିଛି। ଏଥିପାଇଁ ଅନ୍ୟାନ୍ୟ ସମସ୍ତ ଆବଶ୍ୟକ ପଦକ୍ଷେପ ସହିତ ଏହାଦ୍ବାରା କ୍ଷତିଗ୍ରସ୍ତ ଓ ବିସ୍ଥାପିତ ହେଉଥିବା ଲୋକଙ୍କ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହା ପୂର୍ବରୁ ରେଳବିଭାଗଠାରୁ ଲିଜରେ ନେବାକୁ ଥିବା ଜମି ବାବଦରେ ଓଡ଼ିଶା ସରକାର ୬ କୋଟି ୬୨ ଲକ୍ଷ ୨୦ ହଜାର ୯୯୭ ଟଙ୍କା ଜମା କରି ସାରିଛନ୍ତି। ରେଳ ବିଭାଗ ଏହି କାର୍ଯ୍ୟ ପାଇଁ ତୁରନ୍ତ ଏକ ଟେଣ୍ଡର ଆହ୍ବାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ସେହିପରି ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ପୂର୍ବଭଳି କାର୍ଯ୍ୟକ୍ଷମ କରି ରଖିବା ପାଇଁ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ନୂଆ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ପୁରୁଣା ବସଷ୍ଟାଣ୍ଡର ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରିଥିଲେ ଝାରସୁଗୁଡ଼ାବାସୀ।ମାତ୍ର ଏହା ଯଥାବତ୍ କାର୍ଯ୍ୟ କରିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ମିନି ବସଷ୍ଟାଣ୍ଡ ବା ସିଟି ବସଷ୍ଟାଣ୍ଡ ଭାବରେ କାର୍ଯ୍ୟ କରିବ ବୋଲି ସେ ଜଣାଇଛନ୍ତି।