ପୁରୀ: ପୁରୀର ଅସ୍ତିତ୍ବକୁ ନେଇ ଲେଖାଶ୍ରୀଙ୍କ ମନ୍ତବ୍ଯ ଏବେ ବିବାଦ ଭିତରକୁ ଟାଣି ହୋଇଯାଇଛି । ଗଣମାଧ୍ୟମ ଓ ସୋସିଆଲ୍ ମିଡ଼ିଆରେ ତାଙ୍କୁ ଭାରି ସମାଲୋଚନା କରାଯାଇଛି । ଏନେଇ ମଙ୍ଗଳବାର ପୁରୀ ଯୁବ କଂଗ୍ରେସ ତରଫରୁ ଲେଖାଶ୍ରୀଙ୍କୁ ସମାଲୋଚନା କରିବା ସହ ତାଙ୍କ ନାଁରେ ଟାଉନ ଥାନାରେ ଏତଲା ଦିଆଯାଇଛି ।
ସୂଚନା ଥାଉକି, ଗତକାଲି ଲେଖାଶ୍ରୀ, "ପୁରୀ ସହରର ପରିଚୟ ଦେଶରେ କେହି ଯାଣିନଥିଲେ । ପୁରୀ କହିଲେ କଲିକତା ସହର ମଧ୍ୟରେ ବୋଲି ଦେଶ ବାସି ଯାଣିଥିଲେ । ଭାରତୀୟ ଜନତା ପାର୍ଟିର ନେତା ସମ୍ବିତ ପାତ୍ର ଏଠାରେ ସାଂସଦ ପ୍ରତିଦ୍ଵନ୍ଦୀ ହେଇଥିବାରୁ ଦେଶବାସୀ ପୁରୀ ସହର କୁ ଚିହ୍ନିଲେ" ଏପରି ବିବାଦୀୟ ମନ୍ତବ୍ଯ ସୋସିଆଲ୍ ମିଡ଼ିଆରେ ଭାଇରାଲ ହୋଇଥିଲା । ଯାହା ସମଗ୍ର ବିଶ୍ବର ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଯେଉଁଠାରେ ଅବସ୍ଥାନ କରିଛନ୍ତି ତାହା ହେଉଛି ପବିତ୍ର ଶ୍ରୀକ୍ଷେତ୍ର ବା ପୁରୀ ଯାହା ଚାରି ଧାମ ମଧ୍ୟରେ ଶ୍ରେଷ୍ଠ ଧାମ ହିସାବରେ ପରିଚିତ, ଯେଉଁଠାରେ ବାଲି ଗରଡା ପଥର କୁ ଶାଳଗ୍ରାମ ହିସାବରେ ପୂଜା କରାଯାଏ ଓ ଯେଉଁଧାମର ଭୌଗୋଳିକ ଅବସ୍ଥିତ ମଧ୍ୟ ଏକ ଆଶ୍ଚର୍ଯ୍ୟ, ବାର ମାସରେ ତେର ପର୍ବ ଓ ବିଶ୍ବ ପ୍ରସିଦ୍ଧ ଘୋଷ ଯାତ୍ରା ଯେଉଁ ଧାମର ପରିଚୟ ବହନ କରେ ଯେଉଁ ଧାମକୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ଆରମ୍ଭ କରି ମହମ୍ମଦ ଏବଂ ଶ୍ରୀ ଚୈତନ୍ଯଙ୍କର ଆଗମନ କେବଳ ନୂହେଁ ପୃଥିବୀର ସମସ୍ତ ଧର୍ମ ର ଗୁରୁ ଯେଉଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ଧାମରେ ବର୍ଷ ବର୍ଷ ଧରି ଅବସ୍ଥାନ କରିଥିଲେ । ମାତ୍ର ଦୁର୍ଭାଗ୍ୟର କଥା ଭାରତୀୟ ଜନତା ପାର୍ଟିର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଯେଉଁ ବୟାନ ଦେଲେ ସମଗ୍ର ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ତାହା ଆଘାତ ଦେଇଛି ବୋଲି କହିଛି ଯୁବ କଂଗ୍ରେସ । ଏନେଇ ଲେଖାଶ୍ରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରି ଏତଲା ଦେଇଛି ଯୁବ କଂଗ୍ରେସ ।
କାର୍ଯ୍ୟକ୍ରମରେ ଏଆଇସିସି ସଭ୍ୟ ସୁଜିତ ମହାପାତ୍ର, ସ୍ବାଧୀନ କୁମାର ପଣ୍ଡା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମିଜିତ ମହାନ୍ତି, ସେକ୍ ଅଇନୁଲ ହକ, ଉମାକାନ୍ତ ବେହେରା, ବିଶ୍ବରଂଜନ ମହାପାତ୍ର, ଆଲୋକ କୁମାର ସାହୁ, ଅବିନାଶ ମିଶ୍ର, ଲଲାଟେନ୍ଦୁ ସିଂହ, ବିଶ୍ବନାଥ ଦାଶ ପ୍ରମୁଖ ଲେଖାଶ୍ରୀଙ୍କ ମନ୍ତବ୍ଯକୁ ପ୍ରତିବାଦ କରି ଶ୍ଳୋଗାନ ଦେଇଥିଲେ ।