-
ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ବିଧାନସଭାର ଅଧିବେଶନ କରାଇବା ପାଇଁ ଦାବି କରିବେ ବରଗଡ଼ ସାଂସଦ।
-
ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟାଳୟ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ପ୍ରୟାସ କରିବେ ସାଂସଦ।
ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ାଠାରେ ପ୍ରତିଷ୍ହେବ କୋଇଲା ଖଣି ସଂପର୍କିତ କୋର୍ଟ। ଏ ନେଇ ବରଗଡ଼ ସାଂସଦଙ୍କ ଦାବୀକୁ ଗୁରୁତ୍ବ ଦେଇ ଏକ ପତ୍ର ମାଧ୍ୟମରେ ଏହା ଉପରେ ପଦକ୍ଷେପ ନେବାର ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ତଥା ଖଣି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଷୀ।ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀଙ୍କୁ ଏକ ପତ୍ର ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଷୀ।
କେନ୍ଦ୍ରମନ୍ତ୍ରୀ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ ଲୋକଙ୍କ ସମସ୍ୟା ବିଷୟରେ ଅବଗତ ହେବା ପରେ ସେ କୋଲ ଇଣ୍ଡିଆ ଲିମିଟେଡ ଓ ମହାନଦୀ କୋଲ ମାଇନ୍ସ ଲିମିଟେଡ ସହ ଆଲୋଚନା ପରେ ହୃଦୟଙ୍ଗମ କରିଛନ୍ତି ଯେ ଦୀର୍ଘ ୩୫୦ କିମି ଦୂରରେ ଥିବା ଢେଙ୍କାନାଳ କୋର୍ଟରେ ତିନୋଟି ଜିଲ୍ଲାର ଶୁଣାଣି ପ୍ରକୃତରେ କଷ୍ଟକର। ତେଣୁ ଝାରସୁଗୁଡ଼ାଠାରେ ଏହି କେସ ଗୁଡ଼ିକର ଶୁଣାଣି ପାଇଁ ଏକ ଟ୍ରିବ୍ୟୁନାଲ ଗଠନ ପାଇଁ ମନ୍ତ୍ରାଳୟ ମହାନଦୀ କୋଲଫିଲ୍ଡ ଲିମିଟେଡକୁ ପ୍ରସ୍ତାବ ଦେଇ ଏକ ପତ୍ର ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘ ଦିନରୁ ଝାରସୁଗୁଡ଼ା ବାର ଏସୋସିଏସନ ପି. ରାମମୋହନ ରାଓଙ୍କ ନେତୃତ୍ୱରେ ଏହି ଟ୍ରିବ୍ୟୁନାଲ ଗଠନ ପାଇଁ ଦାବି କରି ଆସୁଥିଲେ।
ଝାରସୁଗୁଡ଼ା ବାର ଏସୋସିଏସନ ସାଂସଦ ସୁରେଶ ପୂଜାରୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ କରିଥିଲେ। ଉକ୍ତ ବୈଠକରେ ଶ୍ରୀ ପୂଜାରୀ ପଶ୍ଚିମ ଓଡ଼ିଶା ପ୍ରତି ହେଉଥିବା ଅବହେଳାକୁ ନେଇ ସଂସଦରେ ସ୍ବର ଉତ୍ତୋଳନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ ସେ ଦାବୀ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ବିକାଶମୂଳକ କାର୍ଯ୍ୟକ୍ରମ ଗୁଡ଼ିକ କିପରି ବାଧିତ ହେଉଛି ଏହା ରାଜ୍ୟର ଅନ୍ୟ ପ୍ରାନ୍ତର ମନ୍ତ୍ରୀ ଓ ନେତାମାନଙ୍କ ନଜର ଆଣିବା ପାଇଁ ବର୍ଷରେ ଥରେ ବିଧାନସଭାର ଅଧିବେଶନ ପଶ୍ଚିମ ଓଡ଼ିଶାରେ କରାଯାଉ। ଏହା ବ୍ୟତୀତ ସେ ସ୍ବୀକାର କରିଛନ୍ତି ଯେ ଦୂର୍ବଳ ନେତୃତ୍ୱ ଯୋଗୁଁ ପଶ୍ଚିମ ଓଡ଼ିଶାର ସମସ୍ୟାଗୁଡ଼ିକୁ ଠିକ ଭାବରେ ଉପସ୍ଥାପିତ ହୋଇ ପାରୁ ନାହିଁ। ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବା ପାଇଁ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାରେ ସ୍ଥାପନ କରିବା ପାଇଁ ମଧ୍ୟ ଦାବି ଜଣାଇବେ।
ସୁରେଶ ପୂଜାରୀଙ୍କ ଏହି ଦାବିଗୁଡ଼ିକ ଆସନ୍ତା ସମୟରେ ପଶ୍ଚିମ ଓଡ଼ିଶା ରାଜନୀତିରେ ନିଶ୍ଚିତ ଭାବରେ ଏକ ନୂତନ ସମୀକରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।