ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ତଥା ଆଖପାଖ ଅଞ୍ଚଳରେ ଆଲୋକର ପର୍ବ ଦୀପାବଳି ପର୍ବ ଆନନ୍ଦ ହଲ୍ଲାସ ଥିଲେ ମଧ୍ୟ କୋଭିଡ୍ କଟକଣା ଯୋଗୁଁ ନିରାଡ଼ମ୍ବରରେ ପାଳିତ ହୋଇଯାଇଛି ।
ଚଳିତ ବର୍ଷ ହାଟ-ବଜାରରେ , ଦୀପାବଳି ପୂଜା ଅବସରରେ ଘରେ ଘରେ ଆବଶ୍ୟକ ପଡୁଥିବା ଆଖୁ , କାଉଁରିଆ ଡାଙ୍ଗ , କାମରା(ଜଡ଼ା)ଡାଙ୍ଗ, ଆମ୍ବଡାଲ , ଫୁଲ , ଦୁବ , ଫଳମୂଳ ଓ ମାଟିର ଦୀପ ପ୍ରଭୃତି ପ୍ରଚୁର ପରିମାଣରେ ପସରା ଖୋଲି ବସିଥିବା ବେଳେ କୋଭିଡ୍ କଟକଣା ଯୋଗୁଁ ସେତେଟା ଗହଳି ଦେଖାଯାଇନଥିଲା । କୋଭିଡ କଟକଣା ଯୋଗୁଁ ବାଣ ବିକ୍ରି ଉପରେ ନିଷେଧାଦେଶ ଥିବା ଯୋଗୁଁ ବାଣ ଦୋକାନ ବନ୍ଦ ଥିଲା ।
ଘରେ ଘରେ ଦୀପାବଳି ଉତ୍ସବ ପାଳିତ ହୋଇଥିଲା । ତୁଳସୀ ଚଉଁରା ମୂଳେ ପାରମ୍ପରିକ ପୂଜାବିଧି ହେବା ପରେ ପିତୃପୁରୁଷଙ୍କୁ ପୂଜା-ଦୀପରେ ଡାଙ୍ଗ ଜଳାଇ ତାହା ଆକାଶ ଉପରକୁ ଦେଖାଇ , ଗଙ୍ଗା , ଗୟା ଓ ମଥୁରା , କାଶୀ ଓ ଚାରି ଧାମ ପ୍ରଭୃତି ଆଲୋକରେ ଯିବା ପାଇଁ ହୁଳହୁଳି ଦେଇ ସମସ୍ତେ ଏକ ସ୍ୱରରେ କହିଥିଲେ ।
କୋଭିଡ୍ କଟକଣା ଯୋଗୁଁ ବାଣ ଫୁଟା ମଧ୍ୟ ମାନ୍ଦା ଦେଖା ଯାଇଥିଲା । କୌଣସି ଆଡେ ମଧ୍ୟ ବାଣ ଫୁଟା ପ୍ରାୟତଃ ଦେଖା ଯାଇ ନଥିଲା । କେତେକ ଠାରେ କେବଳ ଛୋଟ ପିଲାମାନେ ଏହାର ମଜା ନେଉଥିବା ଦେଖା ଯାଇଥିଲା ।
ଲିଚୁ-ବଲବର ଲମ୍ବା ଆଲୋକ ମାଳାରେ କେତେକ ଘର କିଛିଟା ସାଜସଜ୍ଜା ହୋଇଥିବା ଦେଖା ଯାଇଥିଲା ।
ସହରର ଏକମାତ୍ର କାଳୀ ପୂଜାମଣ୍ଡପ ପରିସର ମଧ୍ୟ ବିନାଭକ୍ତରେ ଅତ୍ୟନ୍ତ ଖାଁ ଖାଁ ଲାଗୁଥିଲା । ମାଁ'ଙ୍କ ଦର୍ଶନ ବେଳେ ଭକ୍ତଙ୍କ ସମ୍ଭାବ୍ୟ ଗହଳିକୁ ଦୃଷ୍ଟିରେ ରଖି ଏବଂ କୋଭିଡ୍ ନୀତିନିୟମର ସମ୍ଭାବ୍ୟ ଖିଲାଫ ହେବା ପ୍ରତି ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନର ବାରଣ ଯୋଗୁଁ ମାଁ'ଙ୍କ ସମ୍ମୁଖରେ ପୂଜା କମିଟି ପକ୍ଷରୁ ପରଦା ପକା ହୋଇଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ପରଦା ପଡିଥିବା ଦେଖି ଏବଂ ମାଁ କାଳୀଙ୍କ ଦର୍ଶନ ନ ପାଇ ନିରାଶରେ ଫେରି ଯାଉଥିଲେ ।