-
ସୀମା ବିବାଦ ନେଉଛି ଉଗ୍ର ରୂପ : ସୀମାନ୍ତରେ ବଢୁଛି ଛତିଶଗଡର ଦାଦାଗିରି
-
ପୂର୍ବତନ ମୁଖ୍ୟମନ୍ତ୍ରୀ କହିଥିଲେ ଓଡିଶା ବଡ଼ଭାଇ ଛତିଶଗଡ଼ ସାନ ଭାଇ
-
ସୀମା ବିବାଦରେ ସନ୍ତୁଳି ହେଉଛନ୍ତି ସୀମାନ୍ତବର୍ତ୍ତୀ ପ୍ରଜା ଓ ଚାଷୀ
-
ଚାଷୀଙ୍କୁ ଉଠାଇ ନେଉଛି ଛତିଶଗଡ଼ ପୋଲିସ, ଖୋଭ ବ୍ୟକ୍ତ କଲେ ବିଧ୍ୟାକ
-
ପ୍ରଶାସନ ଉଦାସୀନ, ଲାଗି ପାରିଲାନି ସୀମାରେ ସୀମାସୂଚନା ସମ୍ବଳିତ ସ୍ବାଗତଫଳକ ତୋରଣ
ଝାରସୁଗୁଡ଼ା :(ସୁଭାଷ ସହାରେ) -ଛତିଶଗଡ଼ ରାଜ୍ୟ ଗଠିତ ହେବା ପରେ ପ୍ରାୟ ଅନେକ କ୍ଷେତ୍ରରେ ଉଭୟ ରାଜ୍ୟର ବିବାଦ ତୁଟିବାର ନାମ ନେଉ ନାହିଁ। କେତେବେଳେ ମହାନଦୀରେ ଛତିଶଗଡ଼ ଦ୍ବାରା ଡ୍ୟାମ ନିର୍ମାଣ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ହେଉଛି ତ କେତେବେଳେ ସୀମାନ୍ତ ଅଞ୍ଚଳରୁ ଛତିଶଗଡ଼ର ଠିକାଦାରମାନଙ୍କ ଦ୍ବାରା ଓଡ଼ିଶାର ନଦୀବାଲି ଓ ପଥର ଚୋରା କାରବାର ନେଇ। ଫଳରେ ସୀମାନ୍ତ ଅଞ୍ଚଳରେ ଉଭୟ ପକ୍ଷର ସାଧାରଣ ଜନତା ଓ ପ୍ରଶାସନ ମଧ୍ୟରେ ଅସନ୍ତୋଷ ଲାଗି ରହୁଛି। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା -ଛତିଶଗଡ଼ ସୀମାରେ।
ଝାରସୁଗୁଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳର ସାଧାରଣ ଲୋକେ, ଚାଷୀ ସୀମାନ୍ତବର୍ତ୍ତୀ ଗ୍ରାମମାନଙ୍କୁ ବାରମ୍ବାର ଧମକଚମକ ଦେଇ ହଇରାଣ କରିବାର ଅଭିଯୋଗ ଆସୁଛି। ଦୁଇଦିନ ତଳେ ଛତିଶଗଡ଼ ପୋଲିସ ଓଡିଶା ସୀମାରେ ପଶି ଓଡିଶାର ଚାଷୀଙ୍କୁ ଉଠାଇ ନେବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉଦବେଗ ପ୍ରକାଶ ପାଇଛି | ବାରମ୍ବାର ଏଭଳି ଘଟଣା ଘଟୁଥବା ବେଳେ ଚାଷୀଙ୍କ ଧାନ ବି ଉଠାଇ ନେଇଯାଉଛନ୍ତି ଛତିଶଗଡ଼ ପୋଲିସ | ଲୋକ ସେ ଅଂଚଳରେ ତ୍ରାହି ତ୍ରାହି ଡାକିଲେଣି ଛତିଶଗଡ଼ ପୋଲିସସ ଆତଙ୍କରେ | ଦୁଇଦିନ ତଳେ ଏପରି ଘଟଣା ଘଟି ଜଣ ଅସନ୍ତୋଷ ତୀବ୍ର ହେବ ପରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ଭେଟିଛନ୍ତି | ଲୋକମାନେ ଛତିଶଗଡ଼ ପୋଲିସର ଅମାନୁଷିକ କାମ ବିଷୟରେ ବିଧାୟକଙ୍କୁ କହିଛନ୍ତି | ବିଧାୟକ ବି ଲୋକଙ୍କ ଉଦ୍ବେଗ ଓ ଘଟଣାର ସତ୍ୟତା ଆଉ ଗମ୍ଭୀରତାକୁ ଉପଲବ୍ଧି କରି ଛତିଶଗଡ଼ ପୋଲିସ ଓ ପ୍ରଶାସନଜେ ବିଭିନ୍ନ ସମୟରେ ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି | ଜିଲ୍ଲାପାଲଙ୍କୁ ଏ ବିଷୟରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି | ସିମାକୁ ନେଇ ପ୍ରଶାସନିକ ଓ ପୋଲିସ ବିବାଦ ସୃଷ୍ଟି ହେଉଥିବା ଯୋଗୁ ସୀମା ଚିହ୍ନଟ କରି ତୋରଣ ନିର୍ମାଣ କରିବାକୁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି |
ଗୋଟିଏ ପକ୍ଷରେ ରମଣ ସିଂ ମୂଖ୍ୟମନ୍ତ୍ରୀ ଥିବା ବେଳେ ନିର୍ବାଚନ ବେଳେ ଓଡ଼ିଶାକୁ ବଡ଼ଭାଇ ଓ ଛତିଶଗଡ଼କୁ ସାନଭାଇ ଭାବରେ ଅବିହିତ କରି ଯାଇଥିଲେ | ମାତ୍ର ତାଙ୍କ ଶାସନ କାଳରେ ମହାନଦୀ ଉପରେ ବନ୍ଧ ନିର୍ମାଣ ନେଇ ଦୁଇ ରାଜ୍ୟ ମଧ୍ୟରେ ଅନେକ ବିବାଦ ଉଠିଥିଲା। ଏପର୍ଯ୍ୟନ୍ତ ଏହାର କୌଣସି ଫଳାଫଳ ବାହାରି ନାହିଁ। ସେତେବେଳେ ମଧ୍ୟ ଛତିଶଗଡ଼ ପୋଲିସ ବାରମ୍ବାର ସୀମାନ୍ତବର୍ତ୍ତୀ ଗ୍ରାମମାନଙ୍କରେ ଏହିପରି ଜୁଲମ କରିବାର ଖବର ଆସୁଥିଲା। ସରକାର ବଦଳିବା ପରେ ମଧ୍ୟ ଛତିଶଗଡ଼ ପୋଲିସର କାର୍ଯ୍ୟକଳାପରେ କୌଣସି ପରିବର୍ତ୍ତନ ଆସିନାହିଁ। ଏ ନେଇ ଝାରସୁଗୁଡ଼ା ଓ ରାୟଗଡ଼ ପ୍ରଶାସନ ବାରମ୍ବାର ମୁହାଁମୁହିଁ ହୋଇଥିବାର ସୂଚନା ମିଳିଛି। ପୂର୍ବରୁ ଏହିପରି ସମସ୍ୟାକୁ ନେଇ ପ୍ରଶାସନିକ ନିଷ୍ପତ୍ତି ନିଆଯାଇଥିଲା ଯେ ସୀମାରେ ସୂଚନା ସମ୍ମିଳିତ ସ୍ବାଗତଫଳକ ତୋରଣ ଲଗାଯିବ। ମାତ୍ର ନିଷ୍ପତ୍ତିର ବର୍ଷେ ବିତିଗଲେ ସୁଦ୍ଧା ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହାଦ୍ୱାରା ଝାରସୁଗୁଡ଼ା ପ୍ରଶାସନ ସମାଲୋଚନାର ଶୀକାର ହେଉଛନ୍ତି। ଯଦି ପ୍ରଶାସନ ଶୀଘ୍ର ପଦକ୍ଷେପ ନ ନିଅନ୍ତି ତେବେ ଛତିଶଗଡ଼ ସୀମାକୁ ଲାଗିଥିବା ଝାରସୁଗୁଡ଼ାର ପ୍ରାକୃତିକ ସଂପଦ, ଗ୍ରାମଗୁଡ଼ିକୁ, ଚାଷଜମିକୁ ଏପରିକି ସ୍ଥାନୀୟ ଲୋକଙ୍କୁ କେତେବେଳେ ଛତିଶଗଡ଼ ନିଜର ବୋଲି ଦାବୀ କରିବ, ତାହା କହି ହେବ ନାହିଁ। ଏବଂ ଏପରି ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଉ ଅବା ନ ନେଉ, କିନ୍ତୁ ସାଧାରଣ ଜନତା ହଇରାଣ ହେବା ନିଶ୍ଚିତ।