ପ୍ରଧାନମନ୍ତ୍ରୀ ଓ ଜନଜାତି ବ୍ୟାପାର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ଜନଜାତି ଜନସଂଖ୍ୟାର ବିକାଶ ପାଇଁ ନିରନ୍ତର ଉଦ୍ୟମ କରିବା ତଥା ବିଶେଷଭାବରେ ଓଡ଼ିଶାରେ ଜନଜାତି ସମ୍ପ୍ରଦାୟଙ୍କର ସାମୂହିକ ବିକାଶ ଏବଂ କଲ୍ୟାଣକୁ ନିଶ୍ଚିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶାର ଜନଜାତି ତଥା ଅସୁବିଧାରେ କାଳାତିପାତ କରୁଥିବା ଅନ୍ୟାନ୍ୟ ସମ୍ପ୍ରଦାୟଙ୍କୁ ସଶକ୍ତ କରିବା ପାଇଁ ଗତ ତିନିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ୧୬୫୬.୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି । ମୋଦି ସରକାର ଗରିବ ଏବଂ ଅସହାୟଙ୍କୁ ସମାନ ସୁଯୋଗ ପ୍ରଦାନ କରି ସେମାନଙ୍କର ସାମୂହିକ ବିକାଶ ସହ ଆତ୍ମନିର୍ଭର ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭରେ ଯୋଡ଼ିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି |
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି "ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଥିବା ବେଳେ ବିଶେଷତଃ ଓଡ଼ିଶାର ଦୁର୍ଗମ ତଥା ମାଓ ଅଞ୍ଚଳରେ ସ୍ଥାପିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ(ଇଏମଆରଏସ) ରାଜ୍ୟର କମ୍ ସ୍ୱାକ୍ଷରତା ଜିଲ୍ଲାରେ ଶିକ୍ଷା କ୍ଷେତ୍ରକୁ ମଜବୁତ୍ କରିବାରେ ଗେମ-ଚେଞ୍ଚର ଭାବେ ଉଭା ହୋଇପାରିଛି । ଗତ ତିନି ବର୍ଷରେ ୧୬,୭୦୦ ଜନଜାତି ଛାତ୍ରଛାତ୍ରୀ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଛନ୍ତି । ସେହିପରି ମାଟ୍ରିକ ପୂର୍ବବର୍ତ୍ତୀ ବୃତ୍ତି ଏବଂ ମାଟ୍ରିକ ପରବର୍ତ୍ତୀ ବୃତ୍ତି ଯୋଜନାରେ ରାଜ୍ୟ ଅନୁସୂଚିତ ଜନଜାତିର ୬.୩୬ ଲକ୍ଷ ଛାତ୍ରଛାତ୍ରୀ ଏବଂ ୫.୫୪ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିଛନ୍ତି ।"
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି "ଗତ ୩ ବର୍ଷ ମଧ୍ୟରେ ଓଡିଶାର ଅନୁସୂଚିତ ଜନଜାତି ବିଭାଗରୁ ୩.୩୭ ଲକ୍ଷରୁ ଅଧିକ ହିତାଧିକାରୀ ମୋଦି ସରକାରଙ୍କ ‘ଏସଟି ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ଗୁଡିକୁ ଅନୁଦାନ ଦେଉଥିବା ବେଳେ ଅନେକ ଜନଜାତି ଅନ୍ୟାନ୍ୟ ଯୋଜନା ଅଧୀନରେ ଉପକୃତ ହୋଇଛନ୍ତି ।"







