ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ଭଞ୍ଜସେନା ସହିତ ସ୍ବର ମିଶାଇଲେ ଦୁଇ ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଧାୟକଙ୍କ ବାସଭବନ ଆଗରେ ହେବାକୁ ଥିବା ଧାରଣା ସ୍ଥଗିତ ରଖିଲା ଭଞ୍ଜସେନା

ବାରିପଦା,/ ଦିଲ୍ଲୀପ ମହାନ୍ତି: ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ନେଇ ବିଜେପିର ଦୁଇ ବିଧାୟକ ଭଞ୍ଜସେନା ସହିତ ସ୍ବର ମିଶାଇଛନ୍ତି। ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ ଜିଲ୍ଲାରେ ସ୍ବାସ୍ଥ୍ୟସେବା ଦୟନୀୟ ହୋଇପଡ଼ିଥିବା ମତ ରଖିଛନ୍ତି। ଆବଶ୍ୟକ ସଂଖ୍ୟା ଡାକ୍ତର ଅଭାବ, ଫାର୍ମାସିଷ୍ଟ୍, ଷ୍ଟାଫ୍ନର୍ସଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ଟେକ୍ନିକାଲ ଆସିସ୍ଟାଣ୍ଟ୍ ନଥିବା ବିଧାୟକ ପ୍ରକାଶ ସୋରେନ ଆଜି ପ୍ରକାଶ କରିଛନ୍ତି। ରୋଗ ନିରୂପଣ ନିମନ୍ତେ ଯନ୍ତ୍ରପାତି ଥିଲେ ମଧ୍ୟ ସେଗୁଡ଼ିକୁ ବ୍ୟବହାର କରିବାକୁ ଟେକ୍ନିକାଲ ଏକ୍ସପର୍ଟ ନାହାନ୍ତି। ସିଟି ସ୍କାନ୍ ମେସିନ ଅଧିକାଂଶ ସମୟ ଖରାପ ହେଉଛି। ଉଦଳା ସବ୍ଡିଭିଜନ ଡାକ୍ତରଖାନାରେ ଚକ୍ଷୁ ବିଭାଗରେ ଡାକ୍ତର ଏବଂ କମ୍ପ୍ୟୁଟର ନଥିବାରୁ ଏହି ବିଭାଗ କାର୍ଯ୍ୟରେ ଲାଗିପାରୁନାହିଁ। ପୁରା ଜିଲ୍ଲାରେ ସ୍ବାସ୍ଥ୍ୟସେବା ରୁଗ୍ଣ ହୋଇପଡ଼ିଥିବା ବିଧାୟକ ପ୍ରକାଶ ସୋରେନ ଅଭିଯୋଗ କରିଛନ୍ତି। କରୋନା ଆଳରେ ରୋଗୀଙ୍କୁ ଡାକ୍ତର ଆଦୌ ଦେଖୁନଥିବା ସେ କହିଛନ୍ତି। ବାଙ୍କିଶୋଳରେ ଥିବା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହେଉଥିବାର ରୋଗୀଙ୍କୁ ସଠିକ ସେବା ଦିଆଯାଉନାହିଁ। ଭେଣ୍ଟିଲେଟର ସୁବିଧା ନଥିବାରୁ ଅମ୍ଳଜାନ ଅଭାବରୁ ଅନେକ ରୋଗୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଏନେଇ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଭଞ୍ଜସେନା ସ୍ବର ଉତ୍ତୋଳନ କରିଛି। ଯାହାକି ସ୍ବାଗତଯୋଗ୍ୟ। ଭଞ୍ଜସେନା ଏନେଇ ଜିଲ୍ଲାର ସମସ୍ତ ବିଧାୟକ ଏବଂ ସାଂସଦଙ୍କ ଘର ଆଗରେ ଧାରଣା ଦେବାର ଯୋଜନା କରିଛି। ଏହି ଧାରଣା ସହିତ ତାଙ୍କର ପୂର୍ଣ୍ଣ ସମର୍ଥନ ଥିବା ବିଧାୟକ ପ୍ରକାଶ କରିଛନ୍ତି। ଜିଲ୍ଲାର ସ୍ବାର୍ଥ ପାଇଁ ସେ ସର୍ବଦା ପ୍ରସ୍ତୁତ ବୋଲି ପ୍ରକାଶ ସୋରେନ୍ କହିଛନ୍ତି। ଦୁଇ ବିଧାୟକଙ୍କଠାରୁ ଏପରି ସମର୍ଥନ ପାଇ ସୋମବାର ଦିନ ସେମାନଙ୍କ ବାସଭବନ ସମ୍ମୁଖରେ କରିବାକୁ ଥିବା ଧାରଣାକୁ ଭଞ୍ଜସେନା ସ୍ଥଗିତ ରଖିଥିବା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ତେବେ ଜିଲ୍ଲାର ଅନ୍ୟ ୭ ବିଧାୟକ ଏବଂ ସାଂସଦ ଏଥିପ୍ରତି ସଚେତନ ଏବଂ ସଜାଗ ନହୁଅନ୍ତି ତେବେ ଦୁର୍ଗାପୂଜା ପରେ ସେମାନଙ୍କ ବାସଭବନ ସମ୍ମୁଖରେ ପୁନର୍ବାର ଭଞ୍ଜସେନା ରଣନୀତି ଅବଲମ୍ବନ କରିବବୋଲି ସୂଚନା ଦିଆଯାଇଛି।

0
0
0
s2sdefault