ଝାରସୁଗୁଡ଼ା :(ସୁଭାଷ ସହାରେ)- ଆଜି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ଏକ ସାଧାରଣ ବୈଠକ ସ୍ଥାନୀୟ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସ୍ବତନ୍ତ୍ର କମିଟିର ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ନୂତନ ଭାବରେ ଲାଗୁ ହୋଇଥିବା ତିନୋଟି କୃଷି ନିୟମ ବିରୋଧରେ ଦସ୍ତଖତ ଅଭିଯାନ ଆରମ୍ଭ କରିବା କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା।
କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି ନୂତନ କୃଷି ନିୟମକୁ କଳା ଆଇନ ଭାବରେ ଅଭିହିତ କରିଛି କଂଗ୍ରେସ ଦଳ। ଏଥିପାଇଁ ସମଗ୍ର ଦେଶରେ ଏହି ତିନୋଟି ନିୟମ ଯଥା ଚାଷୀ ଉତ୍ପାଦର ବାଣିଜ୍ୟ କାରବାର(ପ୍ରୋତ୍ସାହନ ଓ ସୁଗମିକରଣ) ଆଇନ, କୃଷକ(ସଶକ୍ତୀକରଣ ଓ ସୁରକ୍ଷା) ଦର ପ୍ରତିଶୃତି ରାଜିନାମା ଓ କୃଷି ସେବା ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ(ସଂଶୋଧନ) ଆଇନର ପ୍ରତ୍ୟାହାର ଦାବିରେ ଦସ୍ତଖତ ଅଭିଯାନ ଆରମ୍ଭ କରିବ କଂଗ୍ରେସ ଦଳ। ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ବୀଜରୁ ଜିଲ୍ଲା ପର୍ଯ୍ୟନ୍ତ ସମସ୍ତ କଂଗ୍ରେସ କର୍ମୀ, ଶୁଭେଚ୍ଛୁ ଓ ସମସ୍ତ ସମର୍ଥକଙ୍କ ଦସ୍ତଖତ ସଂଗ୍ରହ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦେବା ପାଇଁ ନିଷ୍ପତ୍ତି ହୋଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ମଧ୍ୟ ଜିଲ୍ଲାବାସୀଙ୍କ ପ୍ରତି କିପରି ପ୍ରତାରଣା କରୁଛି, ସେ ବିଷୟରେ ଆଲୋଚନା କରିବାକୁ ଜିଲ୍ଲା ପ୍ରଶାସନ ସହ କଥାବାର୍ତ୍ତା କରିବା ପାଇଁ ମଧ୍ୟ ସମୟ ମଗାଯାଇଛି। ସେହିପରି ବେଦାନ୍ତ ସପକ୍ଷରେ ହୋଇଥିବା ଜନଶୁଣାଣିକୁ ପୁଣି ଥରେ କରାଇବା ପାଇଁ ଜିଲ୍ଲାର ୧୦ଟି ସଂଗଠନଙ୍କ ପିଟିସନ ପରେ ଜିଲ୍ଲାପାଳଙ୍କୁ ମାନନୀୟ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପ୍ରଶାସନ ଠିକ ଭାବରେ ତର୍ଜମା ନ କରିବାକୁ ମଧ୍ୟ ନିନ୍ଦା କରାଯାଇଛି। ଏହିସବୁ ପରିପ୍ରେକ୍ଷୀରେ କଂଗ୍ରେସ ଦଳ ତରଫରୁ ରାଜ୍ୟପାଳଙ୍କୁ ମଧ୍ୟ ଏକ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ନିଆଯାଇଛି।
ଉକ୍ତ ସଭାରେ ଭରତ ଅୱସ୍ତି, ସିଆରାମ ଦାସ, ନିଖିଳ ଘୋଷ, ଫକୀର ନାଏକ, ସଞ୍ଜୟ ମହାପାତ୍ର, ଫକୀର କିସାନ, ଶାହାରୁଖ ଖାନ, ରାହୁଲ ଠାକୁର, ତ୍ରିଲୋଚନ ଡନସନା,ଚିକୁ ଗାନ୍ଧୀ, ବିକ୍ରମ ମେହେର, ଗଙ୍ଗାଧର ଭୁଏ ଓ ସୁନିଲ ଖଡ଼ିଆ ପ୍ରମୁଖ ଉପସ୍ଥିତ ଥିଲେ।