ତିତିଲି ବାତ୍ୟାରେ ଅନାଥ ହୋଇଥିବା ୫ ଜଣ ପିଲାଙ୍କୁ ଭେଟିଲେ ଜିଲ୍ଲାପାଳ ଅନୁପମ ସାହା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତିତିଲି ବାତ୍ୟାକୁ ଦୁଇବର୍ଷ ପୁରିବାକୁ ଯାଉଥିଲା ବେଳେ ସେହି ବାତ୍ୟାରେ ବାପା ମାଆ ହରାଇ ଅନାଥ ହୋଇଥିବା ପାଞ୍ଚଜଣ ପିଲାଙ୍କୁ ଜିଲ୍ଲାପାଳ ଅନୁପମ ସାହା ଶୁକ୍ରବାର ଦିନ ଭେଟି ପ୍ରାୟ ଏକ ଘଣ୍ଟା କଟାଇଥିଲେ ।ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତିତିଲି ବାତ୍ୟା ପରେ ଘୋଷଣା କରିଥିଲେ ଯେ ଅନାଥ ହୋଇଥିବା ପିଲାଙ୍କୁ ସରକାର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ। ତାପରେ ଗଜପତି ଜିଲ୍ଲା ପ୍ରଶାସନ ସେହି ପିଲାମାନଙ୍କୁ ଶିଶୁ ମଙ୍ଗଳ ସମିତିରେ ଉପସ୍ଥାପନ କରାଇଥିଲେ ।
ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଛଅ ଜଣ ପୁଅ ବିବେକାନନ୍ଦ ଆବାସିକ ବିଦ୍ୟାଳୟ (ଶିଶୁ ଯତ୍ନ ଓ ଶିଶୁ ସୁରକ୍ଷା ଅନୁଷ୍ଠାନ) ଗ୍ରାମ- ଏସ୍. ଉରୁଡା , ପଞ୍ଚାୟତ- ରମ୍ପା , ଗୋଷାଣୀ ପଞ୍ଚାୟତ ସମିତିରେ ରହି ଆସିଥିବା ବେଳେ ଗୋଟିଏ ଝିଅ ନବଜୀବନ ବ୍ଲାଇଣ୍ଡ ଏଣ୍ଡ ରିଲିଫ କେନ୍ଦ୍ର ପାରଳାଖେମୁଣ୍ଡିରେ ରହିଆସୁଅଛି ।
ଏହି ପିଲାମାନଙ୍କର ରହିବା , ଖାଇବା , ପାଠପଢିବା ,ପିନ୍ଧିବା ଓ ଯାବତୀୟ ଖର୍ଚ୍ଚ ରାଜ୍ୟ ସରକାର ତୁଲେଇ ଆସୁଛନ୍ତି । ଜିଲ୍ଲାପାଳ ଏହି ଗସ୍ତ ସମୟରେ ପିଲାଙ୍କୁ ମିଠା ବାଣ୍ଟିବା ସହ ସେମାନଙ୍କ ଗହଣରେ ବସି ମିଠା ଖାଇଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲାପାଳ କ୍ରିକେଟ୍ ଏବଂ ବ୍ୟାଡମିଣ୍ଟନ ପିଲାଙ୍କ ସହ ଖେଳି ଥିଲେ । ପ୍ରତି ପିଲାଙ୍କର ଜଣ ଜଣ କରି ଭଲମନ୍ଦ ବୁଝିବା ସହ ପାଠପଢା ଏବଂ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ତିତିଲି ବାତ୍ୟାରେ ଅନାଥ ହୋଇଥିବା ଗୋଟିଏ ପିଲା ସୀମାଞ୍ଚଳ ଶବର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପ୍ରବେଶ ପରୀକ୍ଷା ଦେଇ ଏକ ସିଟ୍ ପାଇଥିବା ଶୁଣି ଜିଲ୍ଲାପାଳ ଖୁସି ଅନୁଭବ କରିଥିଲେ । ପିଲାମାନଙ୍କ ପାଇଁ ବ୍ୟାଡମିଣ୍ଟନ ଓ କ୍ରିକେଟ୍ ଖେଳ ସାମଗ୍ରୀ , ସୋଲାର ଲାଇଟ ଯୋଗାଣ କରିବା ସହ ଆବଶ୍ୟକ ଥିବା ପାଚେରୀ ତିଆରି କରିବା ପାଇଁ ପ୍ରତିଶୃତି ଦେଇଥିଲେ ।