ଭୁବନେଶ୍ୱର (ଶାସକ ପ୍ରଶାସକ): “ଚିଟଫଣ୍ଡ ମାମଲାର ତଦନ୍ତ ପାଇଁ ସିବିଆଇର ବାସ୍ତବିକ ଆନ୍ତରିକତା ନାହିଁ | ଗୋଟେ ତାମସା ଚାଲିଛି। ଯେତେବେଳେ ନିର୍ବାଚନ କିମ୍ବା ଉପ-ନିର୍ବାଚନ ସମାପ୍ତ ହୁଏ, ସିବିଆଇ ଗଭୀର ନିଦରୁ ଉଠେ | ସାତ ବର୍ଷ ଧରି ସିବିଆଇ ଚିଟ୍ ଫଣ୍ଡ ସ୍କାମର ଯାଞ୍ଚ କରୁଛି। ଚିଟ୍ ଫଣ୍ଡ ମାମଲାରେ ସିବିଆଇ ଅନୁସନ୍ଧାନର ଗତି କୁଆଡେ ? ବେଗ କେତେ ? ପହଂଚିଛି କୋଉଠି | ଆମର କଣ ଲାଭ ହେଲାଣି ? ଜମାକାରୀ ନ୍ୟାୟ ପାଇବେ କେବେ ? ସେମାନେ ପରସ୍ପର ଉପରେ ଦାଉ ସାଧିବା ପାଇଁ ଓ ରାଜନୈତିକ ରୁଟି ସେକିବା ଭଳି ଡ୍ରାମାବାଜି ଭିତରେ ହନ୍ତସନ୍ତ ହେଇଗଲେଣି ଜମାକାରୀ | ଅଭିଯୁକ୍ତ ବା ଦୋଷୀଙ୍କୁ କାହିଁକି ଧରୁନି | ମାମଲା କେବେ ସରିବ, ଜମାକାରୀ କେବେ ନ୍ୟାୟ ପାଇବେ | ଖାଲି ଭୋଟ ବେଳେ ଆସି କିଛିଦିନ ଘୋ ଘା କରିଦେଇ ପଳେଇଯାଉଛନ୍ତି | ତାପରେ ଯୋଉଟାକୁ ସେଇଟା ? ଯାହା କରିବା କଥା ସିବିଆଇ କରୁ , ଯାହାକୁ ବାନ୍ଧିବା କଥା ବାନ୍ଧୁ ଆଉ ଜମାକାରୀଙ୍କୁ ଜଲ୍ଦି ନ୍ୟାୟ ମିଳୁ | କେବଳ ଭୋଟ ବେଳେ ରେଡ କରି ତଦନ୍ତକୁ ପ୍ରହସନ ନକରୁ ? ” ତଦନ୍ତକାରୀ ସଂସ୍ଥା ସିବିଆଇ ଦୀର୍ଘଦିନର ନୀରବତା ଭାଙ୍ଗି ପୂର୍ବତନ ମନ୍ତ୍ରୀ ତଥା ଶାସକ ବିଜେଡି ଦେବୀ ପ୍ରସାଦ ମିଶ୍ରଙ୍କ ବାସଭବନ ଉପରେ ଚଢ଼ାଉ କରିବା ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ଅଭିଯୋଗ କରିଛନ୍ତି ସାଧାରଣ ଲୋକେ ଓ ରାଜନୈତିକ ଦଳ ।
ଅନୁସନ୍ଧାନକାରୀ ସଂସ୍ଥାର ମନୋଭାବକୁ ନେଇ ଲୋକମାନେ ଅତ୍ୟଧିକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତଦନ୍ତ କେବେ ଶେଷ ହେବ? ଦୋଷୀମାନେ କେବେ ଦଣ୍ଡ ପାଇବେ ? କେତେବେଳେ ଲୋକମାନଙ୍କୁ ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କା ସହିତ ଫେରସ୍ତ କରାଯିବ | ଲୋକମାନେ ସିବିଆଇର ଅନୁସନ୍ଧାନ ଶୈଳୀ ଉପରେ ଏକ ପ୍ରଶ୍ନ ଚିହ୍ନ ରଖିଛନ୍ତି। ନିର୍ବାଚନ କିମ୍ବା ନିର୍ବାଚନ ପୂର୍ବରୁ ସିବିଆଇ ରେଡ କରେ ବୋଲି ଓଡ଼ିଶାର ଲୋକମାନେ ବିଶ୍ୱାସ କରିବା ସ୍ୱାଭାବିକ। ସିବିଆଇ କାର୍ଯ୍ୟକଳାପର ଶେଷ ଅଧ୍ୟାୟ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଓଡିଶାରେ ଦେଖିବାକୁ ମିଳିଥିଲା | ସେତେବେଳେ ନବୀନଙ୍କ ୟଙ୍ଗ ବ୍ରିଗେଡର ଦୁଇ ପ୍ରଭାବଶାଳୀ ନେତାଙ୍କୁ କେବଳ ନୋଟିସ୍ ଜାରି କରାଯାଇଥିଲା। କିଛି ଦିନ ପାଇଁ ସିବିଆଇ ଘୋ ଘା ଚାଲିଲା | ତା’ପରେ ସିବିଆଇ ଚୁପ |ଏବେ ପୁଣି ଦେଢବର୍ଷର ବ୍ୟବଧାନରେ ଦୁଇଟି ବିଧାନସଭା ଉପ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ପୁଣି ସିବିଆଇ ଚିଟଫଣ୍ଡ କଥା ମନେ ପକାଇଛି, ଏହା କାକତାଳୀୟ ହୋଇପାରେ | କାରଣ ମୁଣ୍ଡ ଉପରେ ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପ ନିର୍ବାଚନ | ଆଉ ସେଥିପାଇଁ ପ୍ରତ୍ୟେକ ଦଳ ସେମାନଙ୍କ ସମରସଜ୍ଜା କରିବାରେ ବ୍ୟସ୍ତ | ଆଉ ସେଇ ସମୟରେ ସିବିଆଇ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ଚଢ଼ାଉ କରିଛି ୨୦୧୩ ମସିହାରେ ଯେତେବେଳେ ଶ୍ରୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସି ସୋର କମ୍ପାନୀକୁ ବୋଟିଂ ପ୍ରକଳ୍ପ ପାଇଁ ଘାଟେଶ୍ୱର ଘାଟକୁ ଲିଜରେ ଦେବା ପ୍ରସଙ୍ଗ ନେଇ |
ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଦେବୀ ମିଶ୍ରଙ୍କୁ ଏହି ମାମଲାରେ ପୂର୍ବରୁ ଦୁଇଥର ସିବିଆଇ ଅଧିକାରୀମାନେ ପଚରାଉଚରା କରିଥିଲେ। ଏ ବାବଦରେ ସରକାରୀ ଦଲିଲ ମଧ୍ୟ ଜବତ କରାଯାଇଛି। ସିବିଆଇ ପାଖରେ ସବୁ ତଥ୍ୟ ଅଛି | ଆଉ ସେଇ ପ୍ରସଙ୍ଗରେ ପୁଣି ଠାରେ ସିବିଆଇ ଦେବୀ ମିଶ୍ରଙ୍କ ଭୁବନେଶ୍ୱର ଏବଂ ନରସିଂହପୁର ଘର ସମେତ ନଅଟି ସ୍ଥାନ ଉପରେ ଚଢ଼ାଉ କରିଛି। ଶ୍ରୀ ମିଶ୍ରଙ୍କ ବ୍ୟତୀତ ସିବିଆଇ ମଧ୍ୟ ତତ୍କାଳୀନ ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ବିଜେଡି ନେତା ଶ୍ରୀ ରବିନାରାୟଣ ନନ୍ଦଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରିଛି ।
ବର୍ତ୍ତମାନ ସିବିଆଇର ଚଢ଼ାଉ ଏକ ଫାର୍ସ ବୋଲି କହିଛି କଂଗ୍ରେସ | ସିବିଆଇର ତଦନ୍ତକୁ କଂଗ୍ରେସ କଡ଼ା ସମାଲୋଚନା କରିବା ସହ ଭୋଟ ଆସିଲେ ସିବିଆଇର ତଦନ୍ତ କରଥା ମନେପଡେ | ଦୁଇଟି ଉପ-ନିର୍ବାଚନ ଆଗରେ ଥିବାବେଳେ ସିବିଆଇ ଚିଟ୍ ଫଣ୍ଡ ସ୍କାମକୁ ମନେ ପକାଇଛି। ଏହି ରେଡ ଗୋଟେ ଡ୍ରାମା ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ | ଦୁଇଟି ଉପ-ନିର୍ବାଚନ ମୁଣ୍ଡ ଉପରେ ଥିବା ଯୋଗୁ ସିବିଆଇ କେନ୍ଦ୍ର ସରକାରଙ୍କ ଆଦେଶ ଅନୁଯାୟୀ କାର୍ଯ୍ୟ କରୁଛି ବୋଲି କଂଗ୍ରେସ ଅଭିଯୋଗ କରୁଛି |
ବିଜେଡି ମୁଖପାତ୍ର ଲେଲିନ୍ ମହାନ୍ତି କହିଛନ୍ତି ଯେ ଗତ ସାତ ବର୍ଷ ମଧ୍ୟରେ ଓଡିଶାରେ ସିବିଆଇ ମାମଲା ଅନୁସନ୍ଧାନ କରୁଛି। ଏକ ପ୍ୟାଟର୍ଣ୍ଣ ଦେଖାଯାଉଛି ଯେ ଉପ-ନିର୍ବାଚନ, ସାଧାରଣ ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିବିଆଇ ସର୍ଚ୍ଚ, ରେଡ ଏବଂ ନୋଟିସ ଜାରି କରେ । କୌଣସି ନିର୍ବାଚନ ପୂର୍ବରୁ କାହିଁକି ଏପରି ଘଟଣା ଘଟେ ବୋଲି ଓଡିଶାବାସୀ ପ୍ରଶ୍ନ କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ମହାନ୍ତି |
ଅନ୍ୟପକ୍ଷରେ ସିବିଆଇ ଏହାର କାର୍ଯ୍ୟ କରୁଛି ବୋଲି ବିଜେପି କହିଛି।