ଝାରସୁଗୁଡ଼ା: ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଉନ୍ନତି ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିବା ବେଳେ କାର୍ଯ୍ୟର ଗୁଣବତ୍ତାକୁ ନେଇ ପୁଣି ଉଠିଛି ପ୍ରଶ୍ନ। ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକର ପତ୍ରାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ କୋଠାରେ ହୋଇଥିବା ରଙ୍ଗ କାମ ମାତ୍ର ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଛାଡ଼ିଯାଇଥିବାରୁ ନିମ୍ନମାନର କାର୍ଯ୍ୟ ଓ ସରକାରୀ ଅର୍ଥର ଅପବ୍ୟୟ ଅଭିଯୋଗ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ତ୍ୱାବଧାନରେ ଠିକାଦାରଙ୍କ ଦ୍ୱାରା ବିଦ୍ୟାଳୟରେ ରଙ୍ଗ କାମ କରାଯାଇଥିଲା। ୨୦୨୩ ସେପ୍ଟେମ୍ବରରୁ ନୂତନ କୋଠାରେ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ କାନ୍ଥରୁ ରଙ୍ଗ ଖସିପଡ଼ୁଥିବା ଦେଖି ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଓ ରଙ୍ଗର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଅଭିଯୋଗ ହେଉଛି, ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଯୋଗୁଁ ନିମ୍ନମାନର ରଙ୍ଗ ବ୍ୟବହାର କରାଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କୋଟି କୋଟି ଟଙ୍କାର ପ୍ରକଳ୍ପରେ ଏଭଳି ନିମ୍ନମାନର କାମ ସରକାରୀ ଅର୍ଥର ଅପବ୍ୟୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ବିଦ୍ୟାଳୟ ଅଧ୍ୟକ୍ଷ ପଦ୍ମନାଭ ନାଏକ ରଙ୍ଗ କାମର ନିମ୍ନମାନକୁ ସ୍ୱୀକାର କରି କହିଛନ୍ତି ଯେ, ଏହି ପ୍ରସଙ୍ଗ ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରାଯାଇଛି।
ଏହି ଘଟଣା ଶିକ୍ଷା ବିଭାଗର ତଦାରଖ ବ୍ୟବସ୍ଥାକୁ ମଧ୍ୟ କାଠଗଡ଼ାରେ ଛିଡ଼ା କରିଛି। ବିଦ୍ୟାଳୟ ନିର୍ମାଣ ଓ ରକ୍ଷଣାବେକ୍ଷଣରେ ଗୁଣବତ୍ତା ଯାଞ୍ଚ କରିବାର ଦାୟିତ୍ୱ ଥିବା ସତ୍ତ୍ୱେ କିପରି ଏଭଳି ନିମ୍ନମାନର କାମ ପାସ୍ ହେଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅଭିଭାବକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିବାରୁ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।







