ବିକଶିତ ରାଜ୍ୟ ଓ ବିକଶିତ ରାଷ୍ଟ୍ର ଗଠନରେ ପରିସଂଖ୍ୟାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ ।
କେନ୍ଦ୍ରାପଡ଼ା:୨୯.୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ, କେନ୍ଦ୍ରାପଡ଼ା ପକ୍ଷରୁ ଆଜି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୨୦ତମ ଜିଲ୍ଲାସ୍ତରୀୟ ଜାତୀୟ ପରିସଂଖ୍ୟାନ ଦିବସ–୨୦୨୬ ପାଳନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକର ଉପନିର୍ଦ୍ଦେଶିକା ଆରତୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଜାତୀୟ ପରିସଂଖ୍ୟାନ ଦିବସ ପାଳନର ଉଦ୍ଦେଶ୍ୟ, ଆବଶ୍ୟକତା ଏବଂ ବିକାଶମୂଳକ ଯୋଜନା ପ୍ରସ୍ତୁତିରେ ପରିସଂଖ୍ୟାନର ଭୂମିକା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
ମୁଖ୍ୟ ଆଲୋଚକ ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପରିସଂଖ୍ୟାନ ବିଭାଗର ପ୍ରାଧ୍ୟାପକ ଅଜୟ କୁମାର ଦାସ, ନାବାର୍ଡର ଡିଡିଏମ ସ୍ମିତା ବଡ଼ଜେନା ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼. ସୁସ୍ମିତା ମହାନ୍ତି ଯୋଗଦେଇ ଜାତୀୟ ପରିସଂଖ୍ୟାନ ଦିବସର ତାତ୍ପର୍ଯ୍ୟ ଓ ଦେଶର ଯୋଜନାବଦ୍ଧ ବିକାଶରେ ପରିସଂଖ୍ୟାନର ଗୁରୁତ୍ୱ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ। ଏହି ଅବସରରେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା EARAS, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, NSS, ବିଭିନ୍ନ ପଦାର୍ଥର ଦରଦାମ ସର୍ଭେ, କୃଷି ଗଣନା, କ୍ଷୁଦ୍ର ଜଳସେଚନ ଏବଂ ଅର୍ଥନୈତିକ ଗଣନା ଭଳି ବିଭିନ୍ନ ସର୍ଭେ ଓ ଯୋଜନାର କାର୍ଯ୍ୟକାରିତା, ଆବଶ୍ୟକତା ଓ ଉପାଦେୟତା ଉପରେ ବକ୍ତାମାନେ ଆଲୋକପାତ କରିଥିଲେ।
ଜିଲ୍ଲା ଯୋଜନା କାର୍ଯ୍ୟାଳୟର ସହକାରୀ ପରିସଂଖ୍ୟାନ ଅଧିକାରୀ ସୌମ୍ୟରଞ୍ଜନ ଦାସ ପାୱାର ପଏଣ୍ଟ ଉପସ୍ଥାପନା (PPT) ମାଧ୍ୟମରେ ବିଭିନ୍ନ ପରିସଂଖ୍ୟାନ ତଥ୍ୟ ଓ ସେଗୁଡ଼ିକର ବ୍ୟବହାରିକ ଉପଯୋଗିତା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ।
ବକ୍ତାମାନେ ଉଲ୍ଲେଖ କରିଥିଲେ ଯେ, ପରିସଂଖ୍ୟାନର ଜନକ ଭାବେ ପରିଚିତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିସଙ୍କ ଜନ୍ମ ଜୟନ୍ତୀ ଅବସରରେ ୨୦୦୭ ମସିହାରୁ ପ୍ରତିବର୍ଷ ୨୯ ଜୁନରେ ଜାତୀୟ ପରିସଂଖ୍ୟାନ ଦିବସ ପାଳନ କରାଯାଉଛି। କୃଷି, ସ୍ୱାସ୍ଥ୍ୟ, ଜଳସେଚନ, ଗମନାଗମନ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଠିକ୍ ପରିସଂଖ୍ୟାନ ତଥ୍ୟ ଉନ୍ନୟନମୂଳକ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତାର ମୂଳ ଆଧାର ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ କେନ୍ଦ୍ରାପଡ଼ାର ପାଞ୍ଚଟି ମହାବିଦ୍ୟାଳୟର ୪୪ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ପରିସଂଖ୍ୟାନ ବିଭାଗର ଅବସରପ୍ରାପ୍ତ କର୍ମଚାରୀ, ପରିସଂଖ୍ୟାନ ସୁପରଭାଇଜର, ବ୍ଲକ ପରିସଂଖ୍ୟାନ ଅଧିକାରୀ, ପରିସଂଖ୍ୟାନ କ୍ଷେତ୍ର ସୁପରଭାଇଜର, କେନ୍ଦ୍ରାପଡ଼ାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।







