ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାରେ ଅବସ୍ଥିତ ବେଦାନ୍ତ ଆଲୁମିନାର ସ୍ମେଲଟର ପ୍ଲାଣ୍ଟର କ୍ଷମତା ବୃଦ୍ଧିକୁ ନେଇ ଜନଶୁଣାଣି ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦେଇଥିବା ବିଜ୍ଞପ୍ତିକୁ ଭିତ୍ତି କରି ସ୍ଥାନୀୟ ପରିବେଶବିତ୍ ତଥା ଆଡଭୋକେଟ ପି.ରାମମୋହନ ରାଓ ଓଡ଼ିଶା ସରକାରଙ୍କ ମୂଖ୍ୟ ସଚିବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଚିବ, ଜିଲ୍ଲାପାଳ, ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଝାରସୁଗୁଡ଼ା ଆଞ୍ଚଳିକ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି। ଏହି ପତ୍ର ମାଧ୍ୟମରେ ସେ ବୋର୍ଡକୁ ଜନଶୁଣାଣି ପାଇଁ ନିର୍ଦ୍ଦିଷ୍ଟ ହୋଇଥିବା ତାରିଖକୁ ଘୁଞ୍ଚାଇ ଅନ୍ୟ ଏକ ତାରିଖ ଦେବା ପାଇଁ ଅନୁରୋଧ କରିଛନ୍ତି।
ଗତ ୨୭/୦୮/୨୦୨୦ ତାରିଖରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଚିବ ସମ୍ବାଦପତ୍ର ମାନଙ୍କରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ବେଦାନ୍ତ ନିଜର ସ୍ମେଲଟର ପ୍ଲାଣ୍ଟର କ୍ଷମତାକୁ ୧୬ ଏଲପିଟିଏରୁ ୧୮ ଏଲପିଟିଏକୁ ବୃଦ୍ଧି କରିବାକୁ ଚାହୁଁଥିବା ପାଇଁ ଦେଇଥିବା ଆବେଦନ ଉପରେ ଲୋକଙ୍କ ମତାମତ ପାଇଁ ଆସନ୍ତା ୩୦/୦୯/୨୦୨୦ରେ ଏ ଜନଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଏହି ବିଜ୍ଞପ୍ତିରେ ସୂଚନା କରାଯାଇଥିଲା। ମାତ୍ର ବର୍ତ୍ତମାନ ଝାରସୁଗୁଡ଼ା ଜିଲ୍ଲା କୋରୋନା ମହାମାରୀର ଭୟଙ୍କର ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଏହିପରି ଜନଶୁଣାଣି ବ୍ୟବସ୍ଥା କରିବା ଉଚିତ୍ ହେବ ନାହିଁ ବୋଲି ଏହି ପତ୍ରରେ ଶ୍ରୀ ରାଓ ଉଲ୍ଲେଖ କରିଛନ୍ତି। ଏହିପରି ସମୟରେ ଜନଶୁଣାଣି କରିବା ଲୋକଙ୍କ ସହିତ ଛଳନା ଅଟେ କାରଣ ଲୋକେ କୋଭିଡ କଟକଣା ପାଇଁ ଶୁଣାଣି ସ୍ଥାନରେ ଠୁଳ ହୋଇପାରିବେ ନାହିଁ ବୋଲି ଶ୍ରୀ ରାଓ ମତ ପ୍ରକାଶ କରିଛନ୍ତି। ଲୋକମାନେ ଏପରି ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବା ଭଳି ପରିସ୍ଥିତିରେ ନ ଥିବା ବେଳେ ସମଗ୍ର ଜିଲ୍ଲାକୁ କୁପ୍ରଭାବ ପକାଉଥିବା ପରିବେଶ ସମ୍ପର୍କିତ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଲୋକଙ୍କୁ ଏକତ୍ର ହେବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ଆଦୌ ସମୀଚୀନ ନୁହେଁ ବୋଲି ସେ ପତ୍ରରେ ଦର୍ଶାଇଛନ୍ତି। ବର୍ତ୍ତମାନ ସମୟରେ ସ୍ମେଲଟର ପ୍ଲାଣ୍ଟର କ୍ଷମତା ବୃଦ୍ଧି ନୁହେଁ ବରଂ ସରକାର ମହାମାରୀ ବିରୁଦ୍ଧରେ ଧ୍ୟାନ ଦେବା ବେଶୀ ଗୁରୁତ୍ବପୂର୍ଣ୍ଣ ବୋଲି ଆବେଦନକାରୀ ଶ୍ରୀ ରାଓ କହିଛନ୍ତି। ଏତଦବ୍ୟତୀତ ଓଡ଼ିଶା ସରକାରଙ୍କ ତା:31/08/2020 ର Vide Notification Number HFW-SCH-1- COVID-0025-2020-19646/H
ଅନୁସାରେ କୌଣସି ସ୍ଥାନରେ ୧୦ ଜଣଙ୍କରୁ ଅଧିକ ଲୋକ ଜମା ହୋଇ ପାରିବେ ନାହିଁ,ଏହା ଉପରେ ମଧ୍ୟ ବୋର୍ଡ଼ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଉଲ୍ଲେଖ କରାଯାଇଛି। ଏହିପରି ଏକ ଜନଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ସରକାରଙ୍କ ନିୟମର ବିରୋଧ ତଥା ଉଲ୍ଲଘଂନ ବୋଲି ଶ୍ରୀ ରାଓ ଉଲ୍ଲେଖ କରିଛନ୍ତି। ମହାମାରୀ ଭଳି ପରିସ୍ଥିତିକୁ ମୁକାବିଲା କରିବାରେ ସରକାରୀ ପ୍ରୟାସକୁ ଏହା ବିଫଳ କରିବାରେ ସହାୟକ ହେବ ବୋଲି ମଧ୍ୟ ସେ କହିଛନ୍ତି।
ଏହା ସହିତ ସେ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଏହିପରି ଏକ ଜନଶୁଣାଣି କାର୍ଯ୍ୟକ୍ରମ କରାଗଲେ ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ଅଛି ଏବଂ ଏହାଦ୍ବାରା ସରକାରଙ୍କ ନିମନ୍ତେ ଅସୁବିଧାର କାରଣ ହେବ। ଶ୍ରୀ ରାଓଙ୍କ ପତ୍ର ଅନୁସାରେ ଆପତ୍ତି ଦାଖଲ କରିବାକୁ ଅନେକ ଲୋକ ପ୍ରସ୍ତୁତ ହୋଇ ଅଛନ୍ତି, ମାତ୍ର ବର୍ତ୍ତମାନର ପରିସ୍ଥିତି ସେମାନଙ୍କୁ ଆପତ୍ତି କରିବାକୁ ଅନୁମତି ଦେଉନାହିଁ। ଏପରିକି ଲୋକେ ଆପତ୍ତି କରିବାକୁ ଆବଶ୍ୟକ ହେଉଥିବା ତଥ୍ୟ ମଧ୍ୟ ସଂଗ୍ରହ କରିବାରେ ଅସମର୍ଥ। ଦେଶର ୨୦ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଝାରସୁଗୁଡ଼ା ମଧ୍ୟ ରହିଛି, ତେଣୁ ଏହାର ପରିବେଶକୁ ଆହୁରି ପ୍ରଦୂଷିତ ହେବାକୁ ସହରବାସୀ ନିଶ୍ଚିତ ଭାବରେ ଚାହିଁବେ ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ତେଣୁ ସେ କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ତଥା ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ମଧ୍ୟ ଏ ବିଷୟରେ
ଜ୍ଞାତ ହେବା ଆବଶ୍ୟକ ଏବଂ ଯେପରି କମ୍ପାନୀକୁ ପରିବେଶ ବିରୋଧୀ କାର୍ଯ୍ୟ ପାଇଁ ଅନୁମତି ମିଳିବା ସମ୍ଭବ ହେବ ନାହିଁ। ଶ୍ରୀ ରାଓ ଏଥିପାଇଁ କୋରୋନା ପରିସ୍ଥିତି ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ଏହି ଜନଶୁଣାଣିକୁ ସ୍ଥଗିତ ରଖିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ଅନ୍ୟାନ୍ୟ ମାନଙ୍କୁ ଲେଖିଥିବା ପତ୍ରରେ ଅନୁରୋଧ କରିଛନ୍ତି।