ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୨୦-୨୧ ବର୍ଷପାଇଁ ମଞ୍ଜୁର ହୋଇଥିବା ୧୫ ତମ କେନ୍ଦ୍ରୀୟ ଅର୍ଥ କମିଶନ ଟଙ୍କା ଏଣିକି ନୂତନ ଭାବେ ଜିଲ୍ଲା ପରିଷଦ ସଭ୍ୟାସଭ୍ୟଙ୍କୁ ନିଜ ଅଞ୍ଚଳର ବିକାଶ ପାଇଁ ଫଣ୍ଡ ଦିଆଯିବା ସାମିଲ ହୋଇଛି । ସେଥିପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ୧୫ ତମ କେନ୍ଦ୍ରୀୟ ଅର୍ଥ କମିଶନ ମଞ୍ଜୁର ୨୦୨୦-୨୧ ଉପରେ ଏକ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟତଃ ମଞ୍ଜୁର ଟଙ୍କା କେତେ ଓ କେଉଁ କେଉଁ ଦିଗରେ କିଭଳି ଓ କାହାଦ୍ବାରା ଖର୍ଚ୍ଚ ହେବ ସେ ସମସ୍ତ ବିଷୟ ଉପରେ କାର୍ଯ୍ୟ-ଖସଡ଼ା ପ୍ରସ୍ତୁତ ଓ ତା ଉପରେ ବିଷାଦ ଆଲୋଚନା କରାଯିବା ଏହି ବୈଠକର ମୁଖ୍ୟ ବିଷୟ ଥିଲା ।
ଜିଲ୍ଲା ପରିଷଦ ସଭାପତି ଅନିତାରାଣୀ ବେହେରାଙ୍କ ସଭାପତିତ୍ୱରେ ଏହି ବୈଠକ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ , ମୋହନା ବିଧାୟକ ଦାଶରଥି ଗମାଙ୍ଗ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର.ବିଜୟ କୁମାର , ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଡିଆରଡିଏ-ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୋଧୁରୀ ପ୍ରମୁଖ ମଞ୍ଚାସୀନ ରହିଥିଲେ ।
ଜିଲ୍ଲାପାଳ ଅନୁପମ ସାହା , ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଏହି ୧୫ତମ କେନ୍ଦ୍ରୀୟ ଅର୍ଥ କମିଶନ ମଞ୍ଜୁର ଟଙ୍କା ସଫଳତାର ସହ କିଭଳି ଖର୍ଚ୍ଚ ହେବ , ସେ ଦିଗରେ ଜିଲ୍ଲା ପରିଷଦ ସଭ୍ୟାସଭ୍ୟ ମାନଙ୍କୁ ଯତ୍ନବାନ ହେବା ପାଇଁ କହିଥିଲେ ।
ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ବସନ୍ତ କୁମାର ପାତ୍ର ଏଥିରେ ଯୋଗଦେଇ ବୈଠକର କାର୍ଯ୍ୟକ୍ରମ ସୂଚୀ ପ୍ରକାରେ ସମସ୍ତ ବିଷୟ ପାଠ କରିଥିଲେ ।
ସେହିଭଳି ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ କୁମାର ଚୋଧୁରୀ ବୈଠକରେ ଉପସ୍ଥିତ ରହି , ଚଳିତ ୨୦୨୦-୨୧ ବର୍ଷ ପାଇଁ ଆସିଥିବା ୧୫ ତମ କେନ୍ଦ୍ରୀୟ ଅର୍ଥ କମିଶନ ପକ୍ଷରୁ ଗଜପତି ଜିଲ୍ଲାକୁ ପ୍ରଥମ ଓ ଦ୍ଵିତୀୟ କିସ୍ତିରେ ମୋଟ ୨ କୋଟି ୫୧ ଲକ୍ଷ ୬୮ ହଜାର ୭୯୦ ଟଙ୍କା ମଞ୍ଜୁର ହୋଇଛି । ଏସବୁ ମଞ୍ଜୁର ଟଙ୍କାର କାର୍ଯ୍ୟନିର୍ବାହୀ ସଂସ୍ଥା ଭାବେ ଜିଲ୍ଲା ଜଳ ଓ ପରିମଳ ମିଶନ ବିଭାଗ ରହିଛନ୍ତି ।
ପୂର୍ବରୁ ଏହି ଅର୍ଥକମିଶନ ମଞ୍ଜୁର ଟଙ୍କାରେ ଜିଲ୍ଲା ପରିଷଦ ସଭ୍ୟାସଭ୍ୟ ମାନଙ୍କ ଅଞ୍ଚଳ ବିକାଶ ପାଇଁ କୌଣସି ଫଣ୍ଡ ନ ଥିବା ବେଳେ ଚଳିତ ଥର ଏହା ନୂତନ ଭାବେ ସାମିଲ ହୋଇଛି । ମୁଖ୍ୟତ ଭାବେ ଜିଲ୍ଲା ପରିଷଦ ସଭ୍ୟାସଭ୍ୟ ମାନଙ୍କ ପ୍ରକଳ୍ପ ପ୍ରସ୍ତାବ ପ୍ରକାରେ ପଞ୍ଚାୟତ ସମିତି ମାଧ୍ୟମରେ ପାନୀୟ ଜଳ ଯୋଗାଣ , ପରିମଳ ବିକାଶ , ମାଧ୍ୟମିକ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଓ ଅଞ୍ଚଳର ଆନ୍ୟନ୍ୟ ବିକାଶ କାର୍ଯ୍ୟ ଦିଗରେ ଖର୍ଚ୍ଚ କରାଯିବ ।
ଏତଦବ୍ୟତୀତ , ଉପଖଣ୍ଡ ଡାକ୍ତରଖାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଭୃତି ନୂତନ ନିର୍ମାଣ କାର୍ଯ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ହେବ ଏବଂ ଏହାର ରକ୍ଷଣାବେକ୍ଷଣ ସବୁ ଜିଲ୍ଲା ପରିଷଦ ଫଣ୍ଡରେ ହେବ ବୋଲି ବୁଝାଇଥିଲେ । ଏହି ବୈଠକରେ ମଞ୍ଚାସୀନ ଅତିଥିମାନେ ଅଞ୍ଚଳର ବିକାଶ ପାଇଁ ସମସ୍ତ ଜିଲ୍ଲା ପରିଷଦ ସଭ୍ୟାସଭ୍ୟ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ ।
ସେହିଭଳି ୫ମ ରାଜ୍ୟ ଅର୍ଥ କମିଶନ ଗ୍ରାଣ୍ଟ ୨୦୨୦-୨୧ରେ ପ୍ରଥମ କିସ୍ତିରେ ୧ କୋଟି ୨ ଲକ୍ଷ ୧୫୫ ଟଙ୍କା ଏବଂ ଦ୍ଵିତୀୟ କିସ୍ତିରେ ମଧ୍ୟ ୧ କୋଟି ୨ ଲକ୍ଷ ୧୫୫ ଟଙ୍କା ଏଭଳି ମୋଟ ୨ କୋଟି ୪ ଲକ୍ଷ ୩୧୦ ଟଙ୍କା ମଞ୍ଜୁର ହୋଇ ଆସିଥିବା ସୂଚନା ଦିଆଯାଇଥିଲା । ଏହି ସବୁ ଟଙ୍କା ମଧ୍ୟ କିଭଳି କାହା କାହା ମାଧ୍ୟମରେ ଏବଂ କେଉଁ କେଉଁ ଦିଗରେ ଖର୍ଚ୍ଚ କରାଯିବ ତାର ମଧ୍ୟ ବିସ୍ତୃତ ସୂଚନା ଦେଇ ବୁଝାଇ ଦିଆ ଯାଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟାସଭ୍ୟ , ସମସ୍ତ ବ୍ଲକ ଅଧ୍ୟକ୍ଷ ଏବଂ ଲାଇନ ବିଭାଗ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।