୨୯ତମ ସଡକ ସୁରକ୍ଷା ସପ୍ତାହ ଉଦଯାପିତ
ବଲାଙ୍ଗିର(ନିରୋଜ ମିଶ୍ର)- ଗତ ୨୩ ତାରିଖରୁ ଆରମ୍ଭହୋଇଥିବା ୨୯ତମ ସଡକ ସୁରକ୍ଷା ସପ୍ତାହ ଆଜି ସାଇଟ ସଦାଇପାଲି ପରିସରରେ ଉଦ୍ୟାପିତ ହୋଇଯାଇଛି । ଭାରପ୍ରାପ୍ତ ଜିଲ୍ଲା ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍ୟାପନିସଭାରେ ବଲାଙ୍ଗିର ଜିଲ୍ଲାପାଳ ତଥା ସଡକ ସୁରକ୍ଷା ପ୍ରାଧିକରଣର ଅଧ୍ୟକ୍ଷ ଅରିନ୍ଦମ ଡାକୁଆ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ବଲାଙ୍ଗିର ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ, ଅତିରିକ୍ତ ଏସପି ରିଶିକେଶ ଖିଲାରୀ ଓ ସାଇଟ ଅନୁଷ୍ଠାନ ତରଫରୁ ମନୋଜ କୁମାର ମିଶ୍ର ମଂଚାସୀନ ହୋଇଥିଲେ । ସାମ୍ବାଦିକ ସନ୍ଦିପ କୁଅଁରଙ୍କ ସଭା ସଂଯୋଜନା କ୍ରମେ ସାଇଟ ନର୍ସିଂ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗିତ ପରେ ଭାରପ୍ରାପ୍ତ ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ସ୍ୱାଗତ ବକ୍ତବ୍ୟ ଦେବା ସହ ସଡକ ସୁରକ୍ଷା ସମ୍ପର୍କରେ ସମବେତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ଶ୍ରୀ ଡାକୁଆ ଏ ଅବସରରେ ଉଦ୍ବୋଧନ ଦେଇ କହିଥିଲେ ଯେ ସଡକ ଦୁର୍ଘଟଣାରେ ଅନେକ ନିରୀହ ଜୀବନ ଅକାଳରେ ଚାଲିଯାଉଛି | ତେଣୁ ବ୍ୟକ୍ତିଗତ ସଚେତନତା ସହ ଅନ୍ୟମାନଙ୍କୁ ସଚେତନ କରାଇପାରିଲେ ଦୁର୍ଘଟଣାକୁ ଏଡାଇ ଯାଇ ପାରିବ ବୋଲି କହିଛନ୍ତି ଜିଲ୍ଲାପାଳ ଶ୍ରୀ ଡାକୁଆ | ଅନ୍ୟ ସମ୍ମାନିତ ଅତିଥି ବୃନ୍ଦ ମଧ୍ୟ ସଡକ ସୁରକ୍ଷା ନିମନ୍ତେ ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଆୟୋଜିତ ଚିତ୍ରଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଆଦ୍ୟା ଅରୁଣିମା ନାଥ, ସୌମ୍ୟ ପଟ୍ଟନାୟକ, ସୁବ୍ରତ ବଗର୍ତ୍ତୀ, ମହମ୍ମଦ ମୃର୍ତ୍ତଜା ଖାନ୍, ଗୌତମ ସାମଲ, ତନୁଶ୍ରୀ ବଘେଲ, ବବଲୁ ନନ୍ଦ, ଶୋମେଶ ସୁଭମ ଷଡଙ୍ଗୀ, ଶିବାଶ୍ରୀ ସାହୁ ଓ ନିସାରାଣୀ ସାଙ୍କୁ ମଂଚାସୀନ ଅତିଥି ବୃନ୍ଦ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଶେଷରେ ସାଇଟ ଅନୁଷ୍ଠାନ ତରଫରୁ ଡ. ସିଦ୍ଧେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସପ୍ତାହ ବ୍ୟାପି କାର୍ଯ୍ୟକ୍ରମରେ ପରିବହନ ଅଧିକାରୀଙ୍କ କାର୍ଯ୍ୟଳୟର କର୍ମଚାରୀ ବୃନ୍ଦ, ଏନ୍ସିସି ଛାତ୍ରଛାତ୍ରୀ, ପୋଲିସ ପ୍ରଶାସନ, ବେସରକାରୀ ବସ୍ ମାଲିକ ସଂଘ, ଟ୍ରକ ମାଲିକ ସଂଘ ଓ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହଯୋଗ କରିଥିଲେ ।