ହେଡଲାଇନସ୍:

ମୋ ପାଇଁ ଏବଂ ମୋ ସରକାର ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ : ମୁଖ୍ୟମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ରାଜ୍ୟରେ ଆରମ୍ଭ ହେଲା ନିଃଶୁଳ୍କ ପ୍ଲାଜମା ଥେରାପି ଚିକିତ୍ସା ବ୍ୟବସ୍ଥା 

  • ଦିଲ୍ଲୀ ଏବଂ ମହାରାଷ୍ଟ୍ର ପରେ ଦେଶର ତୃତୀୟ ରାଜ୍ୟ ହେଲା ଓଡ଼ିଶା

ଭୁବନେଶ୍ୱର(ଶାସକ ପ୍ରଶାସକ) : "ମୋ ପାଇଁ ଏବଂ ମୋ ସରକାର ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଜୀବନର ସୁରକ୍ଷା ପାଇଁ ଯାହା ସମ୍ଭବ ରାଜ୍ୟ ସରକାର ତାହା ହିଁ କରିବେ । କରୋନା ବିରୋଧୀ ଆମ ଲଢ଼େଇରେ ପ୍ଲାଜମା ଥେରାପି ଏକ ଉପାଦେୟ ଅସ୍ତ୍ର ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |  ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ପ୍ଲାଜମା ଥେରାପି ବ୍ୟବସ୍ଥାର  ଭିଡ଼ିଓ କନଫରେନ୍ସିଂରେ କଟକ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ରୁ ଏହାର ଶୁଭାରମ୍ଭ କରିବା ଅବସରରେ ଏହା କହିବା ସହ  ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବାକୁ ସବୁ କରୋନା ଆରୋଗ୍ୟଙ୍କୁ ବିନମ୍ର ନିବେଦନ କରିଛନ୍ତି  ମୁଖ୍ୟମନ୍ତ୍ରୀ ।

ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  ଦିଲ୍ଲୀ ଏବଂ ମହାରାଷ୍ଟ୍ର ପରେ ଦେଶର ତୃତୀୟ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି ଚିକିତ୍ସା । ଗୁରୁତର କରୋନା ରୋଗୀଙ୍କୁ ମାଗଣାରେ ଏହି ଚିକିତ୍ସା କରାଯିବ | ଓଡ଼ିଶାବାସୀଙ୍କୁ ସବୁ ପ୍ରକାର ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ । ଅତ୍ୟାଧୁନିକ ଚିକିତ୍ସା ସୁବିଧାରୁ କାହାରିକୁ ବଞ୍ଚିତ କରାଯିବ ନାହିଁ । ରାଜ୍ୟ ସରକାର ଏଥିପାଇଁ ଦୃଢ଼ ସଂକଳ୍ପବଦ୍ଧ  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । କୋଭିଡ୍ ସଙ୍କଟ ପରିପ୍ରେକ୍ଷୀରେ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସେବା ଓ ଅକ୍ଲାନ୍ତ ପରିଶ୍ରମକୁ ଏ ଅବସରରେ  ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି  । ବର୍ତ୍ତମାନ ଭୁବନେଶ୍ୱରର ସମ୍, କିମ୍ସ ଓ କଟକ ଅଶ୍ୱିନୀ ହସ୍ପିଟାଲ୍ ରେ ପ୍ଲାଜମା ଥେରାପି ସହାୟତାରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କରାଯିବ । କଟକ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ ନୋଡାଲ୍ ସେଣ୍ଟର୍ ଭାବେ କାର୍ଯ୍ୟ କରିବ ।

ସୂଚନାଯୋଗ୍ୟ ଯେ.  ମହାମାରୀ କରୋନା ଦ୍ୱାରା ଆକ୍ରାନ୍ତ ଗୁରୁତର ରୋଗୀଙ୍କ ଚିକିତ୍ସା ଲାଗି ପ୍ଲାଜମା ଥେରାପି ବେଶ୍ ଫଳପ୍ରଦ ହେଉଛି । ପ୍ଲାଜମା ଥେରାପି ଏକ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା । ଏଥିରେ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ରକ୍ତ(ପ୍ଲାଜମା) ସଂଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଦିଆଯାଏ । କାରଣ କରୋନା ସଂକ୍ରମିତମାନେ ସୁସ୍ଥ ହେବା ପରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବାର ୪ ସପ୍ତାହ ପରେ ପ୍ଲାଜମା ଦାନ କରି ୨ ଜଣ କରୋନା ରୋଗୀଙ୍କୁ ନୂଆ ଜୀବନ ଦେଇପାରିବେ । ପ୍ଲାଜମା ଥେରାପି ଶୁଭାରମ୍ଭ ଅବସରରେ ରାଜ୍ୟର ୪ ଜଣ ବ୍ୟକ୍ତି ସେମାନଙ୍କର ପ୍ଲାଜମା ଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏ ଅବସରରେ କହିଥିଲେ ଯେ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବ | ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏସସିବି ମେଡିକାଲ କଲେଜ ଅଧ୍ୟକ୍ଷ ଧନ୍ୟବାଦ ଅର୍ପଣ କରିଥଲେ | 

ସୂଚନାଜୋଗ୍ୟ ଯେ, ପଙ୍କଜ କୁମାର ବେହେରା, , ଡଃ ଚିଦ ଭୂଷଣ ପଣ୍ଡା, ମନୋଜ କୁମାର ବରାଳ ଏବଂ ଅବିନାଶ ରାଉତ ହେଉଛନ୍ତି ରାଜ୍ୟର ପ୍ରଥମ ଚାରି ପ୍ଲାଜମାଦାତା | ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସମେତ  ଆଉ ୧୨ଜଣ କୋବିଦ ରୋଗମୁକ୍ତ ହେଲେ ଏହି ମିଶନରେ ଯୋଗ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି | ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଦେବା ସହ ଶୁଭ କାମନା ଜ୍ଞାପନ କରିଥିଲେ | 

ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ  ସୁବ୍ରତ ଵାଗଚୀ, ମୁଖ୍ୟଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର ବାଲକ୍ରିଷ୍ଣନ,  ଉନ୍ନୟନ  କମିଶନର ସୁରେଶ ମହାପାତ୍ର ,ଅତିରିକ୍ତ  ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ  ରିଲିଫ କମିଶନର ପ୍ରଦୀପ ଜେନା , ଶ୍ରମ ଓ ଇ.ଏ.ଆଇ ବିଭାଗର ପ୍ରମୁଖ ସଚିବ , ଇଟି ଓ ଆଇଟି ସଚିବ ଏବଂ ଏସି.ସି.ବି ମେଡିକାଲ ପ୍ରଫେସର ଓ  ଡାକ୍ତରମାନେ ଉପସ୍ଥିତ ଥିଲେ | 

0
0
0
s2sdefault