ହେଡଲାଇନସ୍:

ଦିନରେ ଲଣ୍ଠନ ଦେଖାଉଛନ୍ତି ବୈଜୟନ୍ତ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପାରାଦୀପ ହରିଦାସପୁର ରେଳ ପକଳ୍ପ ଶ୍ରେୟ ଲଢେଇ : ବୈଜୟନ୍ତଙ୍କୁ ପାଲଟା ଜବାବ ଦେଲେ ଅତନୁ

"ରେଳ ପ୍ରକଳ୍ପ ସଫଳତା ଶ୍ରେୟ ବିଜୁବାବୁ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯିବ"

କେନ୍ଦ୍ରାପଡା/ ଶାସକ ପ୍ରଶାସକ: ହରିଦାସପୁର- ପାରାଦୀପ ହରିଦାସପୁର ରେଳପଥ ହେବ କାର୍ଯ୍ୟକ୍ଷମ । ଆପାତତଃ ବହୁ ଦଶନ୍ଧୀର ପ୍ରତିକ୍ଷାରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । ହେଲେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଶ୍ରେୟ ଲଢେଇ । ପ୍ରଥମେ ଗଣମାଧ୍ୟମରେ ନିଜ ମନ୍ତବ୍ୟ ରଖି ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଶ୍ରେୟର ବଡଭାଗ ଅଣ୍ଟି ରେ ପୁରାଇବାକୁ ଚେଷ୍ଟା କରିଥିବା ବେଳେ ବିଜେଡି ପକ୍ଷରୁ ଆଗକୁ ଆସିଛନ୍ତି କେନ୍ଦ୍ରାପଡ଼ାର ଟାଣୁଆ ନେତା, ବୈଜୟନ୍ତଙ୍କ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ , ପୂର୍ବତନ ମନ୍ତ୍ରୀ ସର୍ବୋପରି ନିକଟରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଥିବା ଅତନୁ ସବ୍ୟସାଚୀ ନାୟକ । ପାରାଦୀପ ହରିଦାସପୁର ପ୍ରକଳ୍ପ ନେଇ କେନ୍ଦ୍ରାପଡାବାସୀଙ୍କୁ ବିଭ୍ରାନ୍ତ କରୁଛନି ବୈଜୟନ୍ତ ବୋଲି ଅଭିଯୋଗ କରିଛନ୍ତି ଅତନୁ । ଦିନରେ ବୈଜୟନ୍ତ ଲଣ୍ଠନ ଦେଖାଉଛନ୍ତି ବୋଲି ପରୋକ୍ଷରେ ଇଙ୍ଗିତ କରିଛନ୍ତି ଶ୍ରୀ ନାୟକ ତାଙ୍କ ପାଲଟା ଜବାବରେ । ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପର ​ଶ୍ରେୟ ଦିବଙ୍ଗତ ନେତା ବିଜୁବାବୁ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯିବ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି ।

ଶ୍ରୀ ନାୟକ ଓ ବିଧାୟକ ଶଶୀ ଭୂଷଣ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏକ ପ୍ରେସ୍‌ ବିବୃତିରେ ଏହି ରେଳପଥ ଶ୍ରେୟ ନେବାକୁ ପ୍ରୟାସ କରୁଛନ୍ତି। କେନ୍ଦ୍ରପଡ଼ାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହା ଏକ ଅପଚେଷ୍ଟା ବୋଲି ବିଧାୟକ ଶ୍ରୀ ବେ​‌ହେରା କହିଛନ୍ତି।

ବିଧାୟକ ଶ୍ରୀ ନାୟକ କହିଛନ୍ତି ଯେ ୧୯୯୬ ମସିହାରେ କେନ୍ଦ୍ରରେ ଶାସନରେ ଥିବା ଜନତା ଦଳ ପ୍ରଧାନମନ୍ତ୍ରୀ ଦେ​‌ବେଗୌଡା ଓ ରେଳ ମନ୍ତ୍ରୀ ରାମବିଳାସ ପାଶ୍ବାନଙ୍କୁ ଓଡ଼ିଶା ଆଣି ବିଜୁବାବୁ ଇଷ୍ଟକୋଷ୍ଟ ଜୋନ୍‌ ସୃଷ୍ଟି କରିଥିଲେ। ସେ ସମୟରେ ବିଜୁବାବୁ କେବଳ ସାଂସଦ ଥିଲେ ମଧ୍ୟ ଦିଲ୍ଲୀ ସରକାରରେ ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ୧୯୯୭ରେ ରେଳ ମନ୍ତ୍ରୀ ନିତୀଶ କୁମାର ଥିବାବେଳେ ଦିଲ୍ଲୀରେ ନବୀନ ବାବୁ କେନ୍ଦ୍ରମନ୍ତ୍ରୀ ଥିଲେ। ତେଣୁ ଏହି ପ୍ରକଳ୍ପ କିଛି ବାଟ କାମ ଆଗେଇଥିଲା। ଜମି ଅଧିଗ୍ରହଣରେ ସମସ୍ୟା ଓ ରେଳବାଇ କର୍ତ୍ତୃପକ୍ଷଙ୍କ ଟାଳଟୁଳ ନୀତି ପାଇଁ ଏହି ପ୍ରକଳ୍ପ ବିଳମ୍ବ ହୋଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ କ୍ରମାଗତ ସମୀକ୍ଷା ଓ ଉଦ୍ୟମ ଯୋଗୁଁ ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତବର୍ଷ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ରେଳବାଇ କର୍ତ୍ତୃପକ୍ଷ ଓ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର ଅଧିକାରୀଙ୍କ ସହ ବୈଠକ କରିଥିଲେ। ବୈଠକରେ ୨୦୧୯ ସେପ୍ଟେମ୍ବର ସୁଦ୍ଧା କେନ୍ଦ୍ରାପଡ଼ାକୁ ପାସେଞ୍ଜର ଟ୍ରେନ୍‌ ଚଳାଇବାକୁ ନିର୍ଦେଶ ଦେଇଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ଉଭୟ  ମତ ରଖିଥିଲେ। ପୂର୍ବରୁ ବିଜୁ ଜନତା ଦଳର ସାଂସଦ ଭାବରେ ନିଜର ବାହାଦୂର ପାଇଁ କେବଳ କିଛି ଫ​‌ଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ମିଥ୍ୟା ଶ୍ରେୟ ନେବାକୁ ଶ୍ରୀ ପଣ୍ଡା ଉଦ୍ୟମ କରୁଛନ୍ତି। ଏହି ପ୍ରକଳ୍ପର ଶ୍ରେୟ ନବୀନ ବାବୁ ଓ ବିଜୁବାବୁଙ୍କ ସହ ଦଳମତ ନିର୍ବିଶେଷରେ ସମସ୍ତ ଜନପ୍ରତିନିଧି ଓ କେନ୍ଦ୍ରାପଡ଼ାବାସୀଙ୍କର। ଏହି ପ୍ରସଙ୍ଗକୁ ନେଇ ରାଜନୀତି କରିବାରୁ ମିଥ୍ୟା ଶ୍ରେୟ ମାଧ୍ୟମରେ ଶସ୍ତା ଲୋକପ୍ରିୟତା ଅର୍ଜିବାର ଅପାଚେଷ୍ଠାରୁ ବୈଜୟନ୍ତ ନିବୃତ୍ତ ରୁହନ୍ତୁ ବୋଲି ଶ୍ରୀ ନାୟକ ଦାବି କରିଥିଲେ।

0
0
0
s2sdefault