କୁରାଳ ୮ ଓ ସୁନାମୁହିଁରୁ ୧୨ ଜଣ ପୁଣି ବାହ୍ୟ ସଂକ୍ରମିତ ଚିହ୍ନଟ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରାଳ ଓ ସୁନାମୁହିଁ ଅଂଚଳରେ ବୃଦ୍ଧି ପାଉଥିବା ବାହ୍ୟ ସଂକ୍ରମଣକୁ ସାମାନ୍ୟ ଅଣଦେଖା କଲେ ଗୋଷ୍ଠୀ ସଂକ୍ରମଣର ରୁପ ନେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଆଜି ପୁଣି କୁରାଳରୁ ୮ ଏବଂ ସୁନାମୁହିଁରୁ ୧୨ଜଣ ମୋଟ ୨୦ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ବାହ୍ୟ ସଂକ୍ରମିତଙ୍କ ସଂଖ୍ୟା ୩୫ ପହଁଚିଲାଣି । କରୋନା ସଂକ୍ରମିତ ବୃଦ୍ଧିକୁ ନେଇ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ଗତ ୭ଦିନ ତଳେ ଜଣେ ବାହ୍ୟ ସଂକ୍ରମିତ ବ୍ୟସାୟୀଙ୍କ ସଂସ୍ପର୍ଶରେ ଆସି କୁରାଳ ଏବଂ ସୁନାମୁହିଁ ଅଂଚଳରେ ବାହ୍ୟ ସଂକ୍ରମିତ ବୃଦ୍ଧି ପାଇଥିବା ସହିତ ନିକଟରେ ଜଣେ ଯୁବ ବ୍ୟବସାୟୀଙ୍କର ହଠାତ୍ ମୃତ୍ୟୁକୁ ସ୍ଥାନୀୟ ଅଂଚଳବାସୀ କରୋନା ସଂକ୍ରମିତ ମୃତ୍ୟୁ ବୋଲି ଦାବୀ କରିଥିଲେ । ତେଣୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ୱିତୀୟ ଦଫା ସ୍ୱାବ ସଂଗ୍ରହ ବେଳେ ମୃତକଙ୍କ ପରିବାରର ସ୍ୱାବ ସଂଗ୍ରହ କରିଥିଲେ । ଆଜି ସଂକ୍ରମିତଙ୍କ ମଧ୍ୟରେ ତାଙ୍କ ପରିବାରର ଅନ୍ୟମାନେ ସଂକ୍ରମିତ ଥିବା ଜଣା ପଡିଥିବାରୁ ଯୁବ ବ୍ୟବୟୀ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ପରିବାର ସନେ୍ଦହ କରୁଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ସୁନାମୁହିଁରୁ ବାହ୍ୟ ସଂକ୍ରମିତ ଜଣା ପଡିବା ପରେ ପ୍ରଥମ ଦଫାରେ ସ୍ୱାସ୍ଥ୍ୟ ବିଭାଗ ପରୀକ୍ଷା କରିଥିବା ୯୦ଟି ସ୍ୱାବ ମଧ୍ୟରୁ କୁରାଳରୁ ୪ଜଣ ସୁନାମୁହିଁରୁ ୧୧ଜଣ ବାହ୍ୟ ସଂକ୍ରମମିତ ଚିହ୍ନଟ ହୋଇଥିଲେ । ଏହି ଘଟଣା ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ଓଡ଼ଗାଁ ଏନଏସି ସହିତ କୁରାଳ, ସୁନାମୁହିଁ, ଗିରିଡ଼ିପଲ୍ଲୀ, ପାଣ୍ଡେରୀପଡା ଏବଂ କୋମଣ୍ଡ ପଂଚାୟତର ୨୦ଟି ଗାଁକୁ କଂଟେନମେଂଟ ଅଂଚଳ ଘୋଷଣା କଲେ । ଏବଂ ରଙ୍ଗଣୀପାଟଣା, ରବିଗାଡିଆ ସହିତ ଉପରୋକ୍ତ ପଂଚୟତ ଗୁଡିକର ଅନ୍ୟ ୧୫ଖଣ୍ଡ ଗାଂକୁ ବଫର ଜୋନ ଅଂଚଳ ଭାବେ ଘୋଷଣା କଲେ । ଏବଂ ଦିତୀୟ ଦଫାରେ ୧୩୨ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରିବା ପରେ ସେଥିମଧ୍ୟରୁ ଆଜି ୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଜିଲ୍ଲା ପ୍ରଶାସନ ସହାୟତାରେ ସେମାନଙ୍କୁ ଚିକିସାô ପାଇଁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଅଧିକ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କଲେ ସଂକ୍ରମିତଙ୍କ ସଂଖ୍ୟା ବଢିପାରେ ବୋଲି ସ୍ଥାନୀୟ ଅଂଚଳରେ ଆଲୋଚିତ ହେଉଛି । ଓଡ଼ଗାଁ ଅଂଚଳର ସମସ୍ତ ଜନସାଧାରଣ କରୋନାର ଭୟାବହତାକୁ ହୃଦୟଙ୍ଗମ କରି କୋଭିଡ-୧୯ ନିୟମକୁ ପାଳନ କରି ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କଲେ ମହାମାରୀ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଆଶା କରାଯାଉଛି ।