ହେଡଲାଇନସ୍:

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନୂଆ ଟିମ :ମୟୂରଭଞ୍ଜକୁ ଗୁରୁତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିମରେ ସାଂସଦଙ୍କୁ ଗୁରୁତ୍ୱ ଓ ପୂର୍ବତନ ଜିଲ୍ଲା ସଭାପତିଙ୍କ ପତିଆରା ହ୍ରାସ

ବରିଷ୍ଠ  ନେତା ଜୀବନ ସାହୁ  ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ 

ବାରିପଦା(ଦିଲ୍ଲୀପ ମହାନ୍ତି)- ବିଜେପିର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡାଙ୍କ  ଅନୁମୋଦନ କ୍ରମେ ପ୍ରକାଶ ପାଇଛି ଦଳୀୟ କର୍ମକର୍ତ୍ତାମାନଙ୍କ ନାମ ତାଲିକା । ସମୀର ମହାନ୍ତିି ରାଜ୍ୟ ସଭାପତି ମଙ୍ଗ ଧରିବାର ପାଞ୍ଚ ମାସ ପରେ ଦଳକୁ ଅଧିକ ସୁସଙ୍ଗଠିତ ଓ ସଶକ୍ତିକରଣ କରାଇବା ସହିତ ତୃଣମୂଳ ସ୍ତରରୁ  ଶକ୍ତିଶାଳୀ କର ଗଢ଼ି ତୋଳିବା ନିମନ୍ତେ ଗଠନ କରିଛନ୍ତି ନୂଆ ଟିମ । ଉକ୍ତ ଟିମରେ ମୟୂରଭଞ୍ଜ ଜିଲ୍ଲାକୁ ଅଧିକ ଗୁରୁତ୍ୱ ଦିଆଯାଇଥିବାର ପରିଲକ୍ଷିତ ହୋଇଛି । ସେହିପରି ମୟୂରଭଞ୍ଜ ଲୋକସଭା ସାଂସଦ ଇଂ ବିଶ୍ୱେଶ୍ୱର ଟୁଡ଼ୁଙ୍କ ଉପରେ ସଭାପତି ଶ୍ରୀମହାନ୍ତି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଅର୍ପଣ କରିଛନ୍ତି । ସାଂସଦ ଶ୍ରୀଟୁଡ଼ୁଙ୍କୁ ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚାର  ସଭାପତି କରାଯାଇଥିବା ବେଳେ ପୂର୍ବତନ ବିଧାୟକ ଭାସ୍କର ମଢେ଼ଇଙ୍କୁ ଦଳର ଉପସଭାପତି,  ନବୀନ ରାମଙ୍କୁ ମିଳିଛି ସମ୍ପାଦକ ପଦ । ସେହିପରି ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତାଲିକାରେ ମୟୂରଭଞ୍ଜ ଜିଲ୍ଲାରୁ ବଡ଼ସାହି ବିଧାୟକ ସନାତନ ବିଜୁଳି, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ଯଶୀପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡ଼ୁ, ପୂର୍ବତନ ମନ୍ତ୍ରୀ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୂର୍ବତନ ବିଧାୟକ ପଦ୍ମ ଚରଣ ହାଇବୁରୁ ଓ ଡ଼ା. କୃଷ୍ଣଚନ୍ଦ୍ର ମହାପାତ୍ର  ପ୍ରମୁଖ ରହିଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ତାଲିକାରେ ବିଜେପିର ବରିଷ୍ଠ  ନେତା ଜୀବନ ସାହୁ, ଛୋଟଲାଲ ମହାନ୍ତ, ନିହାର ମୋଦି ଓ ପ୍ରମିଳା ପଣ୍ଡା ପ୍ରମୁଖ ରହିଛନ୍ତି । ଏହି ସମୟରେ ଦଳୀୟ ରାଜନୀତି କ୍ଷେତ୍ରରେ ଅତୀତରେ ପତିଆରା ବିସ୍ତାର କରିଥିବା ପୂର୍ବତନ ମୟୂରଭଞ୍ଜ(ପୂର୍ବ) ଜିଲ୍ଲା ସଭାପତି ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଗୁରୁତ୍ୱ ହ୍ରାସ ପାଇଥିବା ବିଷୟକୁ ନେଇ ଜିଲ୍ଲାରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି ।

                  ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚାର ମଙ୍ଗୁଆଳ ଭାବେ ମୟୂରଭଞ୍ଜ ଲୋକସଭା  ସାଂସଦ ଶ୍ରୀଟୁଡ଼ୁଙ୍କ ନାମ ଘୋଷଣା ହେବା ପରେ ସେ ପ୍ରେସ ବିବୃତ୍ତି ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ନେତୃ ବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ଦିଆଯାଇଥିବା ପଦକୁ ଏକ ପଦବୀ ଭାବେ ଗ୍ରହଣ କରୁନାହିଁ, ତାକୁ ଏକ ଦାୟିତ୍ୱ ଭାବେ ଗ୍ରହଣ କରୁଛି । ସମଗ୍ର ଓଡ଼ିଶାରେ ଅବହେଳିତ ଓ ନିଷ୍ଟେଷିତ ଅବସ୍ଥାରେ କାଳାତିପାତ କରିଆସୁଥିବା ଅନୁସୂଚିତ ଜନଜାତି ସମ୍ପ୍ରଦାୟର ସାମଗ୍ରୀକ ବିକାଶ ନିମନ୍ତେ ପ୍ରତିଜ୍ଞାବଦ୍ଧ । ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାରରେ ଚାଲିଥିବା ଅନୁସୂଚିତ ଜନଜାତି ଶୋଷଣ ନୀତିକୁ ଦୃଢ଼ ଭାବେ ବିରୋଧ କରାଯିବ । ଆଗାମୀ ଦିନରେ ରାଜ୍ୟର ସମସ୍ତ ବର୍ଗର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଭାଇ ଓ ଭଉଣୀମାନଙ୍କୁ ସଙ୍ଗଠିତ କରି ସେମାନଙ୍କ ଆର୍ଥିକ, ସାମାଜିକ ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମକୁ ସାଂସଦ ଶ୍ରୀଟୁଡ଼ୁ ସୂଚନା ଦେଇଛନ୍ତି । 

 

0
0
0
s2sdefault