ଭଉଁରୀରେ ହେଲା ହେଲା ମହାପ୍ରଭୁଙ୍କ ରଥର ଚକଡେରା ; ରଥ ଯାତ୍ରାକୁ ନେଇ ଦୂର ହେଉଛି ଅନିଶ୍ଚିତତା
ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ଲାଗି ଦଇତାପତିଙ୍କୁ ନେଇ ଅନୁଷ୍ଠିତ ହେଲା ଆୟୋଜିତ ବୈଠକ
ପୁରୀ( ଶାସକ ପ୍ରଶାସକ) ଶ୍ରୀଜୀଉଙ୍କ ଘୋଷଯାତ୍ରାକୁ ନେଇ ରହିଥିବା ଅନିଶ୍ଚିତତା ଆପାତତଃ ଦୂର ହେବାରେ ଲାଗିଛି | କାରଣ ଯେତେ ବିଳମ୍ବରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ପ୍ରଶାସନର ଶ୍ରୀମନ୍ଦିର ତତ୍ପରତା ଓ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକମାନଙ୍କ ନିଷ୍ଠା ଯୋଗୁ ରହିଲା ପରମ୍ପରା | ଭଉଁରୀରେ ହେଲା ମହାପ୍ରଭୁଙ୍କ ଚକଡେରା | ଶ୍ରୀକ୍ଷେତ୍ରରଏକ ଭକ୍ତିଭାବପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି ଭଉଁରୀ ଯାତ୍ରା । ପୁରୀରେ ଚକଡ଼େରା ନୀତି ସଂପନ୍ନ ହୋଇଛି । ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହେବାରୁ ନୃସିଂହ ଚତୃଦ୍ଦଶୀରେ ଗୁଜ ଅନୁକୂଳ ହୋଇପାରି ନଥିଲେ ମଧ୍ୟ ତିଥି ଅନୁସାରେ ଚକଡ଼େରା ନୀତି ସଂପନ୍ନ ହୋଇଛି ।
ସେପଟେ ଗାଇଡ୍ଲାଇନ୍ ଅନୁସାରେ ସ୍ନାନଯାତ୍ରା, ଅଣସର ନୀତି ଓ ରଥଯାତ୍ରା ଲାଗି ଦଇତାପତିଙ୍କୁ ନେଇ ଆୟୋଜିତ ବୈଠକରେ ବିସ୍ତାର ଆଲୋଚନା ହୋଇଛି । ଘଣ୍ଟା କାହାଳୀ ବାଦ୍ୟ ସହିତ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ପରେ ରଥଖଳାର ଏକ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା । କରୋନା କଟକଣା ଭିତରେ କାର୍ଯ୍ୟରତ ସେବାୟତ ମାନେ ଉତ୍ସାହିତ ହୋଇପଡ଼ିଥିଲେ ।
ଆଜ୍ଞାମାଳ ବିଜେ ପରେ କାଳବିଳମ୍ବ ନକରି ଆରମ୍ଭ ହୋଇଥିଲା ଚକଡେରା ନୀତି । ସେବାୟତ ମାନେ ତିନି ରଥର ତିନୋଟି ଅଖ ସହ ଛଅଟି ଚକ ସଂଯୋଗ କରିଥିଲେ । ସମସ୍ତେ ଥିଲେ ବେଶ୍ ଉତ୍ସାହିତ । ଚଳିତବର୍ଷ ୧୨ ଦିନ ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହୋଇଥିବାରୁ ଭଉଁରୀ ତିଥିରେ ଚକଡେରା ନୀତି ସେବାୟତ ମାନଙ୍କ ପାଇଁ ଏକ ଚାଲେଞ୍ଜ୍ ଥିଲା ।
ବିନା ବିଘ୍ନରେ ଏହିନୀତି ସଂପନ୍ନ ହେବା ପରେ ରଥ ନିର୍ମାଣର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି । ଆଗକୁ ରଥ ନିର୍ମାଣର ସମସ୍ତ କାମ ତିଥି ଅନୁସାରେ ସଂପନ୍ନ ହୋଇ ଠିକ୍ ସମୟରେ ରଥ ନିର୍ମାଣ ସମ୍ପୁର୍ଣ୍ଣ ହେବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।
ଋଥ ଖଳାରୁ ରଥ ନିର୍ମାଣ ଅଗ୍ରଗତି ସମ୍ପର୍କ ଅନୁଯାୟୀ ଆଜି ପବିତ୍ର ଭଉଁରୀ ଯାତ୍ରା ଅବସରରେ ପରମ୍ପରା ଅନୁଯାୟୀ ତିନି ରଥର ଛଅ ଗୋଟି ଚକରେ ଅଖ ସଂଯୋଗ ନୀତି ସମ୍ପର୍ଣ୍ଣ ହୋଇଅଛି । ଅନୁକୂଳ ଚକକୁ ଛାଡ଼ି ତିନି ରଥର ଦୁଇଟି ଲେଖାଏଁ ଚକ ସମ୍ପୂର୍ଣ୍ଣ ହୋଇଥିବାବେଳେ ଦୁଇଟି ଲେଖାଏଁ ଅର ଲାଗି ଏବଂ ଦୁଇଟି ଲେଖାଏଁ ଚକରେ ବିଲେଇ ବା ଡିଆ କାର୍ଯ୍ୟ ଚାଲିଅଛି । ଏଥିସହିତ ତିନି ରଥର ପାର୍ଶ୍ୱ ଦେବତାଙ୍କ ବିଜେ ଅବସ୍ଥା ‘ଜଳଯନ୍ତ୍ର’ ନନ୍ଦିଘୋଷ ରଥର ୯ଟି, ମଝି ରଥର ୪ଟି ଏବଂ ବଡ଼ ରଥର ୯ଟି ସମ୍ପୂର୍ଣ ହୋଇଛି । ସେହିପରି ଚାରି ନାହାକା ଉପରେ ସ୍ଥାପନ ପାଇଁ ଦୁଇଟି ଲେଖାଏଁ ଓରା ପ୍ରସ୍ତୁତ ସରିଛି ।
ଏତଦ୍ ବତୀତ ଦୋଳବେଦୀଠାରେ ସ୍ଥାପିତ ଅସ୍ଥାୟୀ ଶାଳରେ ଓଝା ସେବକଙ୍କ ଦ୍ୱାରା ତିନି ରଥ ପାଇଁ ଅର କଂଟା ୨୦୦ଟି ବଳା ୧୨ଟି ପନ୍ଦାରି ପୋଡ଼ା ୧୫ଟି ପ୍ରସ୍ତୁତ ହୋଇଅଛି ।
ଆଜି ସକାଳେ ତିନି ରଥଖଳାରେ କାମ ଆରମ୍ଭ ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ସେବକମାନଙ୍କର ଥର୍ମାଲ ସ୍କ୍ରିନିଂ କରାାଇଥିଲା ସମସ୍ତ ସେବକ ସୁସ୍ଥ ଥିବା ଜଣାାଇଛି । ଏଥିସହିତ କୋଭିଡ୍ -୧୯ପରୀକ୍ଷା ପାଇଁ ଆଜି ୫୮ଜଣଙ୍କର ସ୍ୱାବ କଲେକ୍ସନ କରାାଇଅଛି । ଏହାକୁ ମିଶାଇ ୧୮୮ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି ।