୧୫ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ, ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମାନେ ଓଡିଆ ଭାଷାରେ ନାମ ଫଳକ
ଯାଜପୁରରୁ ଜୟଶଙ୍କର ଦାଶ : ଓଡିଆ ଭାଷାକୁ ସାର୍ବଜନୀନ କରିବା ଲକ୍ଷ୍ୟରେ ପ୍ରଶାସନ ପ୍ରୟାସ ଜାରି ରଖିଛି । ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ, ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମାନେ ଓଡିଆ ଭାଷାରେ ନାମ ଫଳକ ବା ସାଇନ ବୋର୍ଡ ଲେଖିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଛନ୍ତି । ବୁଧବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏ ସମ୍ପର୍କରେ ଏକ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଏପରିକି ଓଡିଆ ଭାଷାରେ ନାମଫଳକ ଲେଖିବାକୁ ବାଧ୍ୟତା ମୂଳକ କରିବା ସହ ଏହାର ଉଲଘଂନ କ୍ଷେତ୍ରରେ ଆର୍ଥିକ ଦଣ୍ଡର ବ୍ୟବସ୍ଥା ମଧ୍ୟ କରିଛନ୍ତି । ନୂଆ ବର୍ଷଠାରୁ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳ ମାନଙ୍କରେ ଓଡିଆରେ ଫାଇଲ କାର୍ଯ୍ୟ ଚାଲିଥିବା ବେଳେ ଚିଠି ପତ୍ର ଆଦାନ ପ୍ରଦାନ କ୍ଷେତ୍ରରେ ମଧ୍ୟ ଓଡିଆକୁ ପ୍ରାଧାନ୍ୟ ଦିଆଯାଉଛି । ତେବେ ଇଂରାଜୀ ଅଭ୍ୟାସକୁ ଯେଉଁ ମାନେ ଏପର୍ଯ୍ୟନ୍ତ ସୁଧା ଛାଡି ନାହାଁନ୍ତି ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ର ସମୟ ଆସିଛି ବୋଲି ଜିଲ୍ଲାପାଳ ସତର୍କ କରାଇ ଦେଇଛନ୍ତି । ଖୁବ ଶିଘ୍ର ଏକ କମିଟି ମାଧ୍ୟମରେ ଓଡିଆ ଭାଷାର ବ୍ୟବହାର ସମ୍ପର୍କରେ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ବାଣିଜି୍ୟକ ପ୍ରତିଷ୍ଠାନ ମାନଙ୍କରେ ନାମ ଫଳକକୁ ଓଡିଆ ଭାଷାରେ ଲେଖା ଯାଇଛି କି ନା ତାହାକୁ ଅନୁଧ୍ୟାନ କରି କମିଟି ଉପଯୁକ୍ତ କାର୍ଯାନୁଷ୍ଠାନ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଗାମୀ ୧୫ ଦିନ ମଧ୍ୟରେ ଯାଜପୁର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକ ଓଡିଆ ଭାଷାରେ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସର୍ବାଗ୍ରେ ଓଡିଆରେ ଲେଖି ତାହାର ତଳେ ପରବର୍ତି ଲେଖା ଗୁଡିକୁ ଅନ୍ୟଭାଷାରେ ମଧ୍ୟ ଲେଖା ଯାଇ ପାରେ, କିନ୍ତୁ ସମସ୍ତ କ୍ଷେତ୍ରରେ ଓଡିଆ ଭାଷା ସର୍ବାଗ୍ରେ ଓ ସୁନ୍ଦର ଭାବେ ପ୍ରଦର୍ଶିତ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ ମତ ଦେଇଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ଶ୍ରମ ଅଧିକାରୀ ଶିବଶଙ୍କର ମିଶ୍ର, ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ମୋହନ ଚରଣ ଜେନା, ବ୍ୟାସନଗର ବଣିକ ସଂଘ ଅଧ୍ୟକ୍ଷ ବସନ୍ତ କୁମାର ପାତ୍ର ପ୍ରମୁଖ ଯୋଗଦେଇଥିଲେ ।