କରୋନାକୁ ରୋକିବା କଷ୍ଟ, କିନ୍ତୁ ଅସମ୍ଭବ ନୁହେଁ : ଡ଼ ଶ୍ରୀନାଥ ରେଡ୍ଡୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ସାମାଜିକ ଦୂରତା, ହାତ ଧୋଇବା  ଏବଂ ମାସ୍କ ପିନ୍ଧିବା ଦ୍ବାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ

  • ସଂକ୍ରମଣ ରୋକିବା ପାଇଁ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ସର୍ବାଦୌ ଗୁରୁତ୍ବପୂର୍ଣ୍ଣ

  • ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବାହାରିପାରେ କରୋନା ପ୍ରତିଷେଧକ ଟୀକା

  • କରୋନା ଭାଇରସ ନିୟନ୍ତ୍ରଣରେ ସମଗ୍ର ଦକ୍ଷିଣ ଏସିଆରେ ଓଡିଶାର ପଦକ୍ଷେପ ଅନୁକରଣୀୟ

ଭୁବନେଶ୍ବର(ଶାସକ ପ୍ରଶାସକ) : କରୋନାକୁ ରୋକିବା କଷ୍ଟ କିନ୍ତୁ କିନ୍ତୁ ଅସମ୍ଭବ ନୁହେଁ  |  ସାମାଜିକ ଦୂରତା ପାଳନ କରିବା, ହାତ ଧୋଇବା  ଏବଂ ମାସ୍କ ପିନ୍ଧିବା ଦ୍ବାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ | ସବୁ ବର୍ଗ ବା ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ଦ୍ୱାରା ଏହାର ସଂକ୍ରମଣକୁ ରୋକାଯାଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି  ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ବିଭାଗର ପରାମର୍ଶଦାତା ତଥା ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନର ସଭାପତି (ପଦ୍ମଭୂଷଣ) ଡଃ କେ. ଶ୍ରୀନାଥ ରେଡ୍ଡୀ |

ଆଜି ହରିୟାଣାର  ଗୁରୁଗାଓଁରୁ ଭିଡିଓ କନଫରେନସିଂ ମାଧ୍ୟମରେ “କୋଭିଡରୁ ଶିକ୍ଷା – ଆମେ କଣ ଶିଖିଲେ ଏବଂ କିପରି କୋଭିଡ ଯୁଦ୍ଧ ଜିତିବା”  ବିଷୟ ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପରିଷଦର ସଦସ୍ୟଗଣ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପୋଲିସ ସୁପରିଟେଣ୍ଡଟ୍‌ ମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଡଃ ରେଡ୍ଡୀ ମୁଖ୍ୟତଃ କରୋନା ଭାଇରସର ଉତ୍ପତି, ସଂକ୍ରମଣ ସାରା ବିଶ୍ବର ପରିସ୍ଥିତି ଏବଂ ଭବିଷ୍ୟତ ରଣକୌଶଳ ଉପରେ ଆଲୋକପାତ କରିଥିଲେ।  ଯେହେତୁ କରୋନା ଭାଇରସ ଜନିତ ରୋଗର ନିୟନ୍ତ୍ରଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଫଳ ପ୍ରତିଷେଧକ ଟୀକା ବା ଔଷଧ ଉଦ୍ଭାବନ ହୋଇନାହିଁ, ତେଣୁ ସାମାଜିକ ଦୂରତ୍ବ ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ । ଜନସାଧାରଣଙ୍କର ସହଯୋଗ ଓ ଗୋଷ୍ଠୀର ସକ୍ରିୟ ଅଂଶଗ୍ରହଣ ହିଁ ଶ୍ରେଷ୍ଠ ରକ୍ଷା କବଚ ବୋଲି ସେ ମତ ଦେବା ସହିତ ବୟସ୍କ ମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

       ବନ୍ୟଜନ୍ତୁ ବିଶେଷକରି ବାଦୁଡି ଠାରୁ ମଣିଷକୁ ସଂକ୍ରମିତ ହୋଇଥିବା ଏହି ଭାଇରସ ନାକ, ଆଖି ଓ ପାଟି ଦ୍ବାରା ମଣିଷ ଶରୀରରେ ପ୍ରବେଶ କରିଥାଏ । ମଣିଷ ଶରୀରରୁ କାଶ, ଛିଙ୍କ ସମୟରେ ବାହାରୁଥିବା କଣିକା ଦ୍ବାରା ଏହା ଅନ୍ୟକୁ ସଂକ୍ରମିତ କରିଥାଏ। ତେଣୁ ବାରମ୍ବାର ହାତ ଧୋଇବା, ମୁହଁରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ବ ଦ୍ବାରା ହିଁ କୋଭିଡ ଯୁଦ୍ଧରେ ଆମେ ବିଜୟ ହୋଇପାରିବା ବୋଲି ସେ ମତବ୍ୟକ୍ତ କରିଥିଲେ ।

ବିଭିନ୍ନ ସଂକ୍ରମିତ ଦେଶ ମାନଙ୍କରୁ ମିଳିଥିବା ତଥ୍ୟ ଉପରେ ଆଲୋଚନା କରି ଡଃ ରେଡ୍ଡୀ କହିଲେ ଯେ କରୋନା ଭାଇରସ କେବଳ ନିମୋନିଆ ସୃଷ୍ଟି କରୁନାହିଁ । ତାସହିତ ଏହା ହୃଦୟ, ମସ୍ତିଷ୍କ ତଥା ଅନ୍ତନଳୀରେ ସଂକ୍ରମଣ କରି କ୍ଷତି ପହଞ୍ଚାଇଥାଏ । କେତେକ କ୍ଷେତ୍ରରେ ଏହା Thrombosis ପରିସ୍ଥିତି ସୃଷ୍ଟି କରି ଘାତକ ସାଜିଥାଏ । ବୟସ ନିର୍ବିଶେଷରେ ଏହି କରୋନା ଭାଇରସ ସମସ୍ତଙ୍କୁ ସଂକ୍ରମିତ କରିଥାଏ। କିନ୍ତୁ ଯେହେତୁ ଯୁବ ଗୋଷ୍ଠୀ ବାହାରେ ଅଧିକ ସମୟ ରହନ୍ତୁ, ତାଙ୍କ ଠାରେ ସଂକ୍ରମଣ ସଂଖ୍ୟା ଅଧିକ ଥିଲେ ମଧ୍ୟ ବୟସ୍କ ତଥା ରୋଗୀ ମାନେ ଗୁରୁତର ଭାବରେ ପୀଡିତ ହେବା ଏବଂ ମୃତ୍ୟୁମୁଖରେ ପଡିବା ଅଧିକ ଆଂଶକା ରହିଛି ।

କରୋନା ଭାଇରସ ନିୟନ୍ତ୍ରଣରେ ଭାରତ ବିଶେଷ କରି ଓଡିଶାର ସଫଳତାର ସେ ଉଚ୍ଚପ୍ରଶଂସା କରିଥିଲେ ଏବଂ ସମଗ୍ର ଦକ୍ଷିଣ ଏସିଆରେ ଓଡିଶାର ପଦକ୍ଷେପ ଅନୁକରଣୀୟ ବୋଲି ସେ ମତବ୍ୟକ୍ତ କରିଥିଲେ । ବ୍ରିଟେନ, ଆମେରିକା, ସ୍ବିଡେନ ପରି ଆଗୁଆ ଦେଶମାନେ ଲକ୍‌ ଡାଉନ୍‌ ନ କରିବା ଫଳରେ ସେ ଦେଶ ଗୁଡିକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିଛି । କିନ୍ତୁ ଭିଏତନାମ ପରି ଦେଶ Isolation, Contract Tracing ଏବଂ Large Scale Testing ଦ୍ବାରା ରୋଗ ନିୟନ୍ତ୍ରଣରେ ସଫଳ ହୋଇପାରିଛି। ଉଚ୍ଚ ତାପମାତ୍ରା ସହିତ ଆଦ୍ରତାର ପ୍ରଭାବରେ ଏହି ଭାଇରସ ପ୍ରଭାବହୀନ ହେଉଥିବାର ଆପାତତଃ ପ୍ରମାଣ ମିଳିଥିଲେ ମଧ୍ୟ କରୋନା ଭାଇରସ Climatic Temperature Neutral ବୋଲି ସେ ମତ ଦେଇଥିଲେ ।ଭାରତୀୟମାନେ ବିସିଜି, ପୋଲିଓ ଟୀକା ସହିତ ମ୍ୟାଲେରିଆ ପରି ଔଷଧ ବ୍ୟବହାର କରୁଥିବାରୁ କୋଭିଡ ରୋଗ ଆମ ଦେଶରେ ସେଭଳି ଜଟିଳ ପରିସ୍ଥିତି ନ କରିପାରେ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ। କିନ୍ତୁ ଏ ସବୁ ତଥ୍ୟ ଉପରେ ବିଶେଷ ଗୁରୁତ୍ବ ନ ଦେଇ ଆମେ ସାମାଜିକ ଦୂରତା ଉପରେ ଅଧିକ ଧ୍ୟାନ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ।

ଭାରତ ସହିତ ବିଭିନ୍ନ ଦେଶରେ କରୋନା ଭାଇରସ ପାଇଁ ପ୍ରତିଷେଧକ ଟୀକା ଉପରେ ଗବେଷଣା ଚାଲିଥିବା ବେଳେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବାହାରିପାରେ ବୋଲି ସେ ଆଶାପ୍ରକାଶ କରିଥିଲେ।  ଲକ୍ଷଣଭିତ୍ତିକ ରୋଗ ଅନୁସଂଧାନ ଉପରେ ସେ ଗୁରୁତ୍ବ ଦେବା ସହିତ ଗୋଷ୍ଠୀ ପ୍ରତିରୋଧ ଶକ୍ତି ବିକାଶ ଉପରେ ଗୁରୁତ୍ବ ନ ଦେଇ ଗୋଷ୍ଠୀ ସୁରକ୍ଷା ଉପରେ ଜୋର ଦେଲେ ଏହି ରୋଗକୁ ନିୟନ୍ତ୍ରଣ କରାଯିବ ବୋଲି ସେ ମତ ଦେଇଥିଲେ।

ସ୍ବାସ୍ଥ୍ୟକର୍ମୀଙ୍କ ପରି ପୋଲିମ କର୍ମଚାରୀ ମଧ୍ୟ ଅଧିକ ବିପଦସଂକୁଳ ଥିବାରୁ ସେମାନଙ୍କର ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର । ହାତ ଧୋଇବା ସହିତ ସାମାଜିକ ଦୂରତା ପାଇଁ barricade ଏବଂ ଆଖିର ସୁରକ୍ଷା ପାଇଁ ଚଷମା ବ୍ୟବହାର ନିତାନ୍ତ ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।  

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଡଃ ରେଡ୍ଡୀଙ୍କୁ ସ୍ବାଗତ କରି ଆଲୋଚନା ଆରମ୍ଭ କରିଥିଲେ। ତାଙ୍କର ଉପାଦେୟ ପରାମର୍ଶ ଓ ଅଭିଜ୍ଞତା କରୋନା ରୋଗ ସଂକ୍ରମଣ ରୋକିବାରେ ମାର୍ଗଦର୍ଶନ ଦେବ ବୋଲି ଆଶାପ୍ରକାଶ କରିଥିଲେ। 

ସୂଚନାଯୋଗ୍ୟ ଯେ ଡଃ ରେଡ୍ଡୀ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବିଭିନ୍ନ ବିଶେଷଜ୍ଞ କମିଟିରେ ସଦସ୍ୟ ଭାବରେ କାମ କରିଥିବା ବେଳେ ବର୍ତ୍ତମାନ Covid Solidarity Group Trial ଉପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଆନ୍ତର୍ଜାତିକ ସଂଚାଳନ କମିଟିର କାର୍ଯ୍ୟନିର୍ବାହୀ ଗୋଷ୍ଠୀର ସଦସ୍ୟ ଭାବରେ କାର୍ଯ୍ୟରତ । Covid Care,  ସଂକ୍ରମିତ ଅଞ୍ଚଳ, ସଂକ୍ରମଣ ଧାରା ଓ ଲକ୍‌ ଡାଉନ୍‌ର ପ୍ରଭାବ ଉପରେ ସେ ଅନେକ ଉପାଦେୟ ଲେଖା ରଚନା କରିଛନ୍ତି।

 

 

0
0
0
s2sdefault