ହେଡଲାଇନସ୍:

କିଏ ଡାକିଥିଲା କେହି ଜାଣିନାହାନ୍ତି, ହେଲେ ସମର୍ଥନ ଥିଲା ଦେଖିଲା ଭଳିଆ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜାତିଭିତ୍ତିକ ଆରକ୍ଷଣକୁ ବିରୋଧ କରି ଭାରତ ବନ୍ଦ

ବାରିପଦାରୁ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲ୍ଲାରେ ଜାତିଭିତ୍ତିକ ଆରକ୍ଷଣକୁ ବିରୋଧ କରି ଭାରତ ବନ୍ଦକୁ ମିଳିଛି ଅଦ୍ଭୂତପୂର୍ବ ଜନସମର୍ଥନ । ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ସର୍ବତ୍ର ଗୁଞ୍ଜରିତ ହୋଇ ଉଠିଥିଲା, ଆମେ ଆରକ୍ଷଣକୁ ବିରୋଧ କରୁ ନାହୁଁ, ଜାତି ଭିତ୍ତିକ ଆରକ୍ଷଣକୁ ତୀବ୍ର ଭାବେ ବିରୋଧ କରୁଛୁ । ବନ୍ଦ ଫଳରେ ବାରିପଦା ସହରରେ ଦୋକାନବଜାର, ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ  ବ୍ୟାଙ୍କ, ପୋଷ୍ଟ ଅଫିସ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, କୋର୍ଟ କଚେରୀର ଫାଟକ ଖୋଲି ପାରି ନଥିବା ବେଳେ ଗମନାଗମନ, ପରିବହନ ବ୍ୟବସ୍ଥା ପୂରାପୁରି ଠପ୍ ହୋଇଯାଇଥିଲା । ସାଧାରଣ ବର୍ଗର ସମସ୍ତ ଜନସାଧାରଣ ବନ୍ଦ ପାଳନ ନିମନ୍ତେ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହି ଭାରତ ବନ୍ଦ ଡ଼ାକରା କିଏ ଦେଇଛି ସେ ସମ୍ପର୍କରେ କାହାରି ନିକଟରେ କୌଣସି ସୂଚନା ନାହିଁ । ତେବେ ସାମାଜିକ ଗଣମାଧ୍ୟମ ଓ ହ୍ୱାଟସଆପରେ କେତେକ ଅଣରାଜନୈତିକ ସଂଗଠନ ପକ୍ଷରୁ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଅପ୍ରେଲ ୧୦ ଭାରତ ବନ୍ଦର ଡ଼ାକରା ଦିଆ ଯିବା ପରେ ସୋମବାର ସନ୍ଧ୍ୟାରେ ସହରରେ ର୍ୟାଲି କିମ୍ବା କୌଣସି ଶୋଭାଯାତ୍ରା ନ ବାହାରି କେବଳ ଏକ ଡ଼ାକବାଜି ଯନ୍ତ୍ରରେ ଭାରତ ବନ୍ଦକୁ ନେଇ କେବଳ ପ୍ରଚାର କରାଯାଇଥିଲା । ମାତ୍ର ମଙ୍ଗଳବାର ସକାଳ ୬ଟାରୁ ସାଧାରଣ ବର୍ଗର ଜନସାଧାରଣ ଜଣେପରେ ଜଣେ ରାଜରାସ୍ତାକୁ ଆନ୍ଦୋଳନ  ନିମନ୍ତେ ଓହ୍ଲାଇ ଆସିଥିଲେ । ଶହଶହ ସଂଖ୍ୟାରେ ଜନସାଧାରଣ ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳଚ୍ଚ ସମ୍ମୁଖରେ ଆମେ ଜାତିଭିତ୍ତିକ ଆରକ୍ଷଣକୁ ବିରୋଧ କରୁ ନାରାବାଜି ଚଳାଇ ଥିବା ସମୟରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଗଙ୍ଗାଧର ନାୟକ କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ସାଇକେଲ ଚଳାଇ ଜିଲ୍ଲାପାଳଙ୍କ ଫାଟକ ସମ୍ମୁଖରେ ପହଁଞ୍ଚି ଯାଇଥିଲେ । ମାତ୍ର ଆନ୍ଦୋଳନକାରୀମାନେ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ନ ଦେବାରୁ ଶେଷରେ ଆସିଥିବା ରାସ୍ତାରେ ଫେରାଇ ଦେଇଥିଲେ । ସେହିପରି ବାରିପଦା ସହର ଉପକଣ୍ଠ ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଶହଶହ ଗାଡ଼ି ମୋଟର ଅଟକି ରହିଥିଲା । ଏହି ଭାରତ ବନ୍ଦ ବାରିପଦା ସହରରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଥିବାର ପରିଲକ୍ଷିତ ହୋଇଛି । 

          ଏସସି/ଏସଟି ଆଇନ ଉପରେ ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶକୁ  ବିରୋଧ କରି  ଦଳିତ ବର୍ଗ ପକ୍ଷରୁ ଅପ୍ରେଲ ୨ରେ ଭାରତ ବନ୍ଦ ଡ଼ାକରା ଦିଆଯିବାର ପରବର୍ତ୍ତି ସମୟରେ ସୋସିଆଲ ମିଡ଼ିଆରେ ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଭାରତ ବନ୍ଦ ଡ଼ାକରା ପରିସ୍ଥିତିକୁ ଗୋଳମାଳିଆ କରିପକାଉଛି । ସାଧାରଣ ବର୍ଗର ଜନସାଧାରଣଙ୍କ ଯୁକ୍ତି ଅନୁସାରେ ଏସସି ଓ ଏସଟି ବର୍ଗର ଜନସାଧାରଣ କୋଟିପତି ହୋଇଥିଲେ ମଧ୍ୟ ସେମାନଙ୍କର ପରିବାରର ପିଲାମାନେ ସଂରକ୍ଷଣ ବ୍ୟବସ୍ଥାରେ ରହିଥିବା ସମସ୍ତ ସୁବିଧାସୁଯୋଗ ହାତେଇ ଆସୁଥିବା ବେଳେ ସାଧାରଣ ବର୍ଗର ଜନସାଧାରଣ ଗରୀବ ଦିନ ମଜୁରୀଆ ପରିବାରର ମେଧାବୀ ପିଲାମାନେ ଆର୍ଥିକ ଅନାଟନ କାରଣରୁ ବଣର ମଲ୍ଲୀ ବଣରେ ଫୁଟି ମଉଳି ଯାଉଛି । ତେଣୁ ସମାଜରେ ଏହିପ୍ରକାରର ପାତର ଅନ୍ତର ଆଇନ ବଦଳରେ ଆର୍ଥନୈତିକ କ୍ଷେତ୍ରରେ ପଛରେ ପଡ଼ିଯାଇଥିବା ଜାତିକୁ ନେଇ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା ନିମନ୍ତେ ଦାବି କରାଯାଇଛି । ଏହି 

 ଆନ୍ଦୋଳନରେ ବିଶ୍ୱଜିତ ମହାନ୍ତି, ଶୀତଳ ମହାନ୍ତି, ସମାଜସେବୀ ଅଭିଜିତ ରାମ, ସୁଦୀପ ମନ୍ତ୍ରୀ, ନରୋତ୍ତମ ପାଣିଗ୍ରାହୀ, ଚନ୍ଦନ ଶେଜପଡ଼ା, ମଳୟ ଜେନା, ଲୁନା ଦାଶ, ଉମେଶ ସାହୁ ପ୍ରମୁଖ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ । 

 

 

 

0
0
0
s2sdefault