କରୋନା ମୁକାବିଲା :  ଅଂଟା ଭିଡି ଲାଗି ପଡିଛି ଜିଲ୍ଲା ପ୍ରଶାସନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ରୁଷୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗାଁର ଦୁଇଜଣ ଯୁବକଙ୍କ ସ୍ବାବ ଟେଷ୍ଟ ଶୁକ୍ରବାର ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ହାତକୁ ନିଆଯାଇଛି। ଜିଲାପାଳ ଅରିନ୍ଦମ ଡାକୁଆଙ୍କ ନିର୍ଦ୍ଦେଶକ୍ରମେ ଲିଖିରିଆ ଗାଁ ସମେତ ଆଖପାଖ ଗାଁକୁ କନ୍‌ଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା କରାଯାଇ ପ୍ରଶାସନ ପକ୍ଷରୁ ବିଭିନ୍ନ ରାସ୍ତାକୁ ସିଲ୍‌ କରିଦିଆଯାଇଛି।  ଲିଖିରିଆ ଗାଁ, ତୁଷରା ଏନଏସିର ତୁଷରା, ନଅଗାଁ, ଖର୍ଡା, ଟିକିରିପଡା ସମେତ ଗୁଡଭେଲା ବ୍ଳକ୍ର ୩ଟି ଗ୍ରାମପଞ୍ଚାୟତର ସିନ୍ଦିରାବହାଲି, ତେବଡାମୁଣ୍ଡା, ରୁଷୁଡା, ବର୍ଲା, ଚାଣ୍ଟିପଦର, ପିପଲମୁଣ୍ଡା ଓ ଦେଓଗାଁ ବ୍ଳକର ୭ଟି ଗ୍ରାମପଞ୍ଚାୟତର ଚନ୍ଦ୍ରପୁର, ମଦନାପାଲି, ସାଗରପାଲି, ଜରାସିଂହା, ବରକାନୀ, ମହାକୁଡପାଲି, ସାରସବାହାଲ, କୁତୁର୍ଲା, ପାଣ୍ଡେଲ, ବଡଡୁଙ୍ଗୁରିପାଲି ଓ ଉଡାର ଗାଁକୁ କନ୍‌ଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଲିଖିରିଆ-ଟିକିରିପଡା ରାସ୍ତା, ଲିଖିରିଆ-ସାଲେପାଲି ରାସ୍ତା, ଲିଖିରିଆ-ବର୍ଲା ରାସ୍ତା, ଦେଓଗାଁ-ମଦନାପାଲି ରାସ୍ତା, ଦେଓଗାଁ-ଚନ୍ଦ୍ରପୁର ରାସ୍ତା ଓ ଦେଓଗାଁ-ଗାଈବହାଲ ରାସ୍ତାକୁ ସିଲ କରିଦିଆଯାଇଛି। ଏହି କନ୍‌ଣ୍ଟେନ୍‌ମେଣ୍ଟ ଜୋନ୍‌ରେ କୌଣସି ପ୍ରକାର ଯାନବାହାନ, ମାଲବାହୀ ଗାଡ଼ି ଓ ଜନସାଧାରଣଙ୍କ ଯାତାଯାତକୁ ବାରଣ କରାଯାଇଛି।

କନ୍‌ଣ୍ଟେନ୍‌ମେଣ୍ଟ ଅଞ୍ଚଳର ବିଭିନ୍ନ ଗାଁର ଜନସାଧାରଣଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ମଧ୍ୟ ବନ୍ଦ ଘୋଷଣା କରାଯାଇଛି । ଏହି କନ୍‌ଣ୍ଟେନ୍‌ମେଣ୍ଟ ୪୮ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲାପାଳ ଡାକୁଆ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କାର୍ଯ୍ୟକ୍ରମ ଅନୁଧ୍ୟାନ ପାଇଁ ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ଭିନ୍ନ ଭିନ୍ନ ଦାୟିତ୍ୱ ଦିଆଯାଇଛି । ବଲାଙ୍ଗୀର ଉପଜିଲାପାଳଙ୍କ ଅଫିସରେ ଏକ କଣ୍ଟ୍ରୋଲ ରୁମ ଖୋଲିବାକୁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇ କନ୍‌ଣ୍ଟେନ୍‌ମେଣ୍ଟ ଅଞ୍ଚଳର ଲୋକଙ୍କ ମେଡିସିନ ଓ ଗ୍ରୋସରୀ ସାମଗ୍ରୀ ବିଷୟ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଶୁକ୍ରବାର ଉଭୟ ସଂକ୍ରମିତ ଯୁବକଙ୍କୁ ଲିଖିରିଆ ଗାଁରୁ ବଲାଙ୍ଗୀର କିସ୍‌ କ୍ୟାମ୍ପସ ସ୍ଥିତ କୋଭିଡ ହସ୍‌ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା । ରାପିଡ ରେସପନ୍ସ ଟିମ୍‌ ଓ ଅନ୍ୟ ମେଡିକାଲ ଟିମ ଲିଖିରିଆ ଗାଁରେ ପହଞ୍ଚିଥିଲେ । ସେଠାରେ ସଂକ୍ରମିତ ଯୁବକଙ୍କ ସଂସ୍ପର୍ଶ ତାଲିକା ଓ ଭ୍ରମଣ ଇତିହାସ ସଂଗ୍ରହ କରାଯାଇଥିଲା। ସଂକ୍ରମିତ ଯୁବକଙ୍କ ପରିବାର ଲୋକ ଓ ସେମାନଙ୍କ ସଂସ୍ପର୍ଶ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଏହା ସହିତ ପୋଲିସ ଫୋର୍ସ ସେଠାରେ ମୁତୟନ କରାଯାଇ ଗାଁକୁ ସିଲ୍‌ କରିଥିଲେ। ଶନିବାର ସକାଳୁ ଲିଖିରିଆ ଗାଁରେ ଅଗ୍ନିଶମ ବିଭାଗ ଓ ପୌର ସଂସ୍ଥାର କରୋନା ଯୋଦ୍ଧାମାନେ ପହଞ୍ଚି ଗାଁରେ ସାନିଟାଇଜ୍‌ କାମ ଆରମ୍ଭ କରିଛନ୍ତି । ସମସ୍ତ ଲିଖିରିଆ ଗାଁକୁ ସେନିଟାଇଜ କରାଯିବ । ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗର କରୋନା ଯୋଦ୍ଧାମାନେ ଘଟଣାସ୍ଥଳରେ ପହଞ୍ଚି ଆନୁସଙ୍ଗିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଶା, ଅଙ୍ଗନୱାଡି କର୍ମୀ, ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ପହଞ୍ଚିଛନ୍ତି।

0
0
0
s2sdefault