ହେଡଲାଇନସ୍:

ନିର୍ଭୀକ ସଂସ୍କାର ଆଣିବା ଉପରେ ଇଙ୍ଗିତ ଦେଲେ ପ୍ରଧାନମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୋଭିଡ-19 ମୁକାବିଲାର ଭବିଷ୍ୟତ ଯୋଜନା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

• ଲକଡାଉନର ସୁଫଳ ମିଳିଛି, ଦେଢ଼ ମାସ ମଧ୍ୟରେ ରକ୍ଷା ହୋଇପାରିଛି ହଜାର ହଜାର ଜୀବନ 

• “ଦୁଇ ଗଜ ଦୂରତା” ମନ୍ତ୍ର ସମୟର ଆହ୍ବାନ, ମାସ୍କ ବ୍ୟବହାର ଜୀବନର ଅଙ୍ଗ 

• ରେଡକୁ ଅରେଞ୍ଜ ଓ ଅରେଞ୍ଜକୁ ଗ୍ରୀନ ଜୋନରେ ପରିବର୍ତ୍ତନ କରିବା ଲାଗି ରାଜ୍ୟମାନେ ଚେଷ୍ଟା କରିବା ଉଚିତ

• ଏକ ସଂଗେ କୋଭିଡ-19 ବିରୋଧରେ ସଂଗ୍ରାମ ଓ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱ ଦେବାକୁ ପଡିବ

• ଆର୍ଥିକ ଆହ୍ୱାନର ମୁକାବିଲା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ /ଶାସକ ପ୍ରଶାସକ : ଲକଡାଉନର ସୁଫଳ ଆମକୁ ମିଳିଛି ଓ ଏଥିଯୋଗୁ ଗତ ଦେଢ଼ ମାସ ମଧ୍ୟରେ ଆମେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇପାରିଛେ । ଭାରତର ଜନସଂଖ୍ୟା ଅନ୍ୟ କେତେକ ଦେଶର ମିଳିତ ଜନସଂଖ୍ୟା ସହ ସମାନ । ମାର୍ଚ୍ଚ ମାସ ଆରମ୍ଭରେ ଭାରତ ଅବସ୍ଥା ଅନ୍ୟାନ୍ୟ ଦେଶଗୁଡିକର ପରିସ୍ଥିତି ସହ ସମାନ ଥିଲା । ମାତ୍ର ସମୟୋଚିତ ପଦକ୍ଷେପ ଯୋଗୁ ଆମେ ଅନେକ ଲୋକଙ୍କୁ ନିରାପଦରେ ରଖି ପାରିଲୁ । ମହାମାରୀର ବିପଦ ଏବେ ବି ଟଳିନାହିଁ ଓ ନିରବଚ୍ଛିନ୍ନ ସତର୍କତା ରକ୍ଷା କରିବା ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଏହାସହିତ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମକୁ କୋଭିଡ-19ର ମୁକାବିଲା କରିବା ସହ ଅର୍ଥନୀତି ଉପରେ ମଧ୍ୟ ଗୁରୁତ୍ୱାରୋପ କରିବାକୁ ପଡିବ । ଆମକୁ ସାହସୀ ହେବା ସହ ସାଧାରଣ ନାଗରିକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ସଂସ୍କାର ଆଣିବାକୁ ପଡିବ ବୋଲି ସେ କହିଛନ୍ତି । 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ-19 ମହାମାରୀର ଭବିଷ୍ୟତ କାର୍ଯ୍ୟ ପନ୍ଥା ନେଇ ଆଲୋଚନା କରିଛନ୍ତି । ଏହା ହେଉଛି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଚତୁର୍ଥ ମତବିନିମୟ । ପୂର୍ବରୁ ମାର୍ଚ୍ଚ 20, ଏପ୍ରିଲ 2 ଓ ଏପ୍ରିଲ 11 ତାରିଖ ଦିନ ସେ ଏହିପରି ମତବିନିମୟ କରିଥିଲେ ।ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ମଧ୍ୟରେ ଦୁଇଟି ଲକଡାଉନ ଦେଖି ସାରିଛି ଦେଶ ଓ ବିଭିନ୍ନ ଦୃଷ୍ଟିରୁ ଉଭୟ ଭିନ୍ନ ଧରଣର  । ସେ କହିଛନ୍ତି ଯେ, ବିଶେଷଜ୍ଞମାନଙ୍କ ମତରେ କରୋନା ଭୂତାଣୁ ଆହୁରି କିଛି ମାସ ପର୍ଯ୍ୟନ୍ତ ରହିବ, ସେ ଦୃଷ୍ଟିରୁ “ଦୁଇ ଗଜ ଦୂରତା” ମନ୍ତ୍ର ସହ ମାସ୍କର ବ୍ୟବହାର ଆଗକୁ ଆମ ଜୀବନର ଏକ ଅଙ୍ଗ ଭାବେ ପରିଗଣିତ ହେବ । 

 ସେ ପ୍ରଯୁକ୍ତି ବିଦ୍ୟା ଉପରେ ଗୁରୁତ୍ୱ ଦେବା ସହ ସଂସ୍କାରଧର୍ମୀ ପଦକ୍ଷେପ ଉପରେ ମଧ୍ୟ ଜୋର ଦେଇଛନ୍ତି ।  କୋଭିଡ-19ର ମୁକାବିଲା ପାଇଁ ଦେଶରେ ଅଧିକରୁ ଅଧିକ ଲୋକ ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରିବାକୁ ପରାମର୍ଶ ଦେଇଛନ୍ତି । ବିଶ୍ୱବିଦ୍ୟାଳୟ ସହ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନେ ସେମାନଙ୍କର ଗବେଷଣା ଓ ଉଦ୍ଭାବନ କାର୍ଯ୍ୟକୁ ଅଧିକ ମଜବୁତ କରି ଏହି ମହାମାରୀର ମୁକାବିଲା ପାଇଁ ଉପାୟ ବାହାର କରିବାକୁ ପ୍ରସ୍ତାବ ଦେଇଛନ୍ତି ।

ରାଜ୍ୟଗୁଡିକରେ ଥିବା ହଟସ୍ପଟ ବା ରେଡ ଜୋନ ଅଞ୍ଚଳଗୁଡିକୁ ଅଧିକ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ରେଡ ଜୋନକୁ ଅରେଞ୍ଜ ଜୋନ ଓ ଅରେଞ୍ଜ ଜୋନକୁ ଗ୍ରୀନ ଜୋନରେ ପରିଣତ କରିବା ଉପରେ ରାଜ୍ୟମାନେ ଅଧିକ ଧ୍ୟାନକେନ୍ଦ୍ରୀତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ବିଦେଶରେ ଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପ୍ରସଂଗରେ ସେ କହିଛନ୍ତି ଯେ, ସେମାନେ ଓ ସେମାନଙ୍କ ପରିବାରର ଭଲମନ୍ଦ ବିଚାରକୁ ନିଆଯାଇ ଏହି ପଦକ୍ଷେପ ନିଆଯିବ । ନିକଟରେ ମୌସୁମୀ ବର୍ଷାର ଆଗମନକୁ ଦୃଷ୍ଟିରେ ରଖି ଯେପରି ଲୋକମାନେ ଅନ୍ୟାନ୍ୟ ରୋଗରେ ସଂକ୍ରମିତ ନ ହୁଅନ୍ତି ତାହା ଉପରେ ନଜର ରଖିବାକୁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି ।

କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଲକଡାଉନ ଯୋଗୁ ବହୁତ ଲୋକଙ୍କର ଜୀବନ ରକ୍ଷା ହୋଇପାରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏଭଳି ଜଟିଳ ପରିସ୍ଥିତିରେ ସଂକ୍ରମଣକୁ ରୋକିବା ଦିଗରେ ନିଆଯାଇଥିବା ପଦକ୍ଷେପ ଯୋଗୁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ । ସେମାନେ ଆନ୍ତର୍ଜାତିକ ସୀମା ଉପରେ କଡା ନଜର ରଖିବା ସହ ଆର୍ଥିକ ଆହ୍ୱାନର ମୁକାବିଲା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ଉପରେ ମତବ୍ୟକ୍ତ କରିଥିଲେ । କୋଭିଡ-19ର ମୁକାବିଲା ଦିଗରେ ପୁଲିସ ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପ୍ରତି ସେମାନେ କୃତଜ୍ଞତା ଜ୍ଞାପନ କରିଥିଲେ ।

0
0
0
s2sdefault